ଶୁଖିଗଲାଣି ଚୁଆ, ହରିଣପୋଖରୀ: ପାଣି ପାଇଁ ଡହଳବିକଳ ହରିଣ

ଶୁଖିଗଲାଣି ଚୁଆ, ହରିଣପୋଖରୀ: ପାଣି ପାଇଁ ଡହଳବିକଳ ହରିଣ

ପୁରୀ: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମଲହରୀ ଜାରି ରହିଛି। ନଦୀ, ନାଳ ବି ଶୁଖିବାରେ ଲାଗିଛି। ଏହା କେବଳ ଜନଜୀବନକୁ ପ୍ରଭାବିତ କରିନି, ବନ୍ୟଜନ୍ତୁଙ୍କୁ ବି ଅସ୍ତବ୍ୟସ୍ତ କରି ପକାଇଲାଣି। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବାଲୁଖଣ୍ଡ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ପାଇଁ ଖୋଳାଯାଇଥିବା ହରିଣପୋଖରୀ, ଚୁଆ ସବୁ ଶୁଖିଲା ପଡ଼ିଛି। ଫଳରେ ବନ୍ୟଜନ୍ତୁମାନେ ପିଇବା ପାଣି ପାଇଁ ଜନବସତି ମୁହାଁ ହେଲେଣି। କିଛି ବନ୍ୟଜନ୍ତୁ ମଧ୍ୟ ମୃତ୍ୟୁବରଣ କରୁଛନ୍ତି।

ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଲମ୍ବିଛି ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ। କାଳକ୍ରମେ ଏଠାରୁ କୃଷ୍ଣସାର ମୃଗଙ୍କ ବଂଶ ଲୋପ ପାଇଗଲାଣି। ଏବେ କେବଳ ଚିତ୍ରାହରିଣଙ୍କ ସହ ବଣଭୁଆ, ଗଧିଆ, ବିଲୁଆ, ନେଉଳ, ଓଧ ଆଦି ବନ୍ୟଜନ୍ତୁ ବସବାସ କରୁଛନ୍ତି। ପ୍ରାୟ ୪ହଜାର ଚିତ୍ରା ହରିଣ ଏଠାରେ ମୁକ୍ତ ବିଚରଣ କରୁଥିବା ବନ ବିଭାଗ ଦାବି କରୁଛି। ବଙ୍ଗୋପସାଗର କୂଳରେ ବାଲି ଉପରେ ପ୍ରାୟ ୮୭ ବର୍ଗ କିଲୋମିଟର ପରିଧିରେ ଠିଆ ହୋଇଥିବା ଏହି ଅଭୟାରଣ୍ୟରେ ଝାଉଁ ସାଙ୍ଗକୁ କାଜୁ, ଆକାଶିଆ ଆଦି ଗଛ ସହ ବିଭିନ୍ନ ପ୍ରଜାତିର ଉଦ୍ଭିଦ ଶୋଭାବର୍ଦ୍ଧନ କରୁଥିଲା। ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳ ତିଆରିଥିଲା। କିନ୍ତୁ ୨୦୧୯ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପ୍ରହାରରେ ଏହି ଅଭୟାରଣ୍ୟ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। ଏବେ ବି ଅଣ୍ଟା ସଳଖି ପାରିନି ଏହି ଅଭୟାରଣ୍ୟ। ବିରାଟ ବିରାଟ ଗଛ ସବୁ ଭାଙ୍ଗି ପଡ଼ିବା ପରେ ଏହାର ଭରଣା ପାଇଁ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଉଛି ସତ, କିନ୍ତୁ ଏହା ସେତେ ବଡ଼ ହୋଇନି କି ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀ ଦେଇପାରିନି। ଏଭଳି ସ୍ଥିତିରେ ଯେଉଁ କାଁଭାଁ ଗଛ ଅଛି, ତା ତଳେ ଆଶ୍ରୟ ନେଉଛନ୍ତି ବନ୍ୟଜନ୍ତୁ।

ସେପଟେ ତାତି ବଢ଼ିବା ସହ ଅଭୟାରଣ୍ୟର ବାଲି ବି ତାତିଛି। ଖରାଦିନେ ପୋଖରୀ ଅବା ଚୁଆ କୂଳରେ ବନ୍ୟଜନ୍ତୁମାନେ ଥଣ୍ଡା ପାଇଁ ଶୋଇବା ସହ ପିଇବା ପାଣି ପାଇଁ ଆଶ୍ରୟ ନେଇଥାନ୍ତି। କିନ୍ତୁ ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ବନ୍ୟଜନ୍ତୁଙ୍କ ପାଇଁ ସୃଷ୍ଟି କରାଯାଇଥିବା କୃତ୍ରିମ ପୋଖରୀ ଓ ଚୁଆ ସବୁ ଶୁଖିଲା ପଡ଼ିଛି।
ମିଳିଥିବା ସୂଚନା ମୁତାବକ, ବାଲୁଖଣ୍ଡ ଅଭୟାରଣ୍ୟର ବାଲୁଖଣ୍ଡ ବନାଞ୍ଚଳ ଓ କୋଣାର୍କ ବନାଞ୍ଚଳରେ ପ୍ରାୟ ୩୫ଟି ବଡ଼ ବଡ଼ ହରିଣପୋଖରୀ ରହିଛି। ସେହିଭଳି ପ୍ରାୟ ୧୫୦ଟି ଚୁଆ ରହିଛି। ଏହାର ରକ୍ଷଣାବେକ୍ଷଣ ଓ ପାଣି ଭରିବା ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ପୋଖରୀ ଓ ଚୁଆରେ ପାଣି ସମସ୍ୟା, ବିଶେଷ କରି ଖରାଦିନେ ଦେଖାଯାଇଥାଏ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଶୁଖିଗଲାଣି। ସେପଟେ କାଁ ଭାଁ ଯେଉଁ ପୋଖରୀରେ ପାଣି ଅଛି, ତାହା ସଫା ହେଉନଥିବାରୁ ଦଳରେ ଭର୍ତ୍ତି। ପାଣି ବି ପଙ୍କୁଆ। ଏ ସଂପର୍କରେ ଡିଏଫ୍‌ଓ ବିବେକ କୁମାର କହିଛନ୍ତି, ଖରାଦିନେ ପୋଖରୀରୁ ପାଣି କମିବା ସ୍ବାଭାବିକ। କିନ୍ତୁ ହରିଣପୋଖରୀ ଶୁଖିନି। ବାକି ଚୁଆଗୁଡ଼ିକ ଶୁଖିଯାଇଛି। ଏଥିରେ ନିୟମିତ ବ୍ୟବଧାନରେ ପାଣି ଭରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe