କମୁଛି ପାଣି, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା

ସମ୍ବଲପୁର : ହୀରାକୁଦ ଗୁରବାର ଦିନ ୧୨ଟି ଗେଟ୍‌ ବନ୍ଦ କରିବା ପରେ ବର୍ତ୍ତମାନ ୨୮ଟି ଗେଟ୍‌ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି। ୧୨ ଗେଟ୍‌ ବନ୍ଦ ହେବା ପରେ ସମ୍ବଲପୁର ସହରରେ ଜଳମଗ୍ନ ହୋଇ ରହିଥିବା ବିଭିନ୍ନ ସ୍ଥାନରେ ପାଣି କମିବା ଆରମ୍ଭ କରିଛି। ପାଣି କମିବା ସହ କିନ୍ତୁ ଲୋକଙ୍କ ଦୁର୍ଦଶା ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ଘରୁ ଯଦିଓ ପାଣି ଶୁଖିଛି, କିନ୍ତୁ ଅବସ୍ଥା ଦେଖି ଏବେ ଲୋକଙ୍କ ଆଖିରୁ ପାଣି ଝରିଛି। ମହାନଦୀର ପଛୁଆ ପାଣି ପଶି ସେମାନଙ୍କ ଘରର ଅନେକ କିଛି ନଷ୍ଟ କରିଦେଇଛି। କାହା ଘର ଭାଙ୍ଗିଯାଇଛି ତ କାହା ଜିନିଷପତ୍ର ନଷ୍ଟ ହୋଇଯାଇଛି। ହୀରାକୁଦ କଲୋନି ବସ୍ତିରୁ ପାଣି ଶୁଖିଯାଇଥିବା ବେଳେ ଅନେକଙ୍କ ଘର ଭାଙ୍ଗିଛି। ହଜାର ହଜାର ଟଙ୍କାର ସାମଗ୍ରୀ ସହ ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଇଛି। ଯାହାକୁ ନେଇ ଏବେ ବସ୍ତିବାସିନ୍ଦା ଚିନ୍ତାରେ ଥିବା ବେଳେ ପ୍ରଶାସନ କିଛି କ୍ଷତିପୂରଣ ଦେଉ ବୋଲି ଦାବି କରିଛନ୍ତି।

ଅନ୍ୟପଟେ କମିସନର୍‌ସ କଲୋନି, ମନ୍ଦଲିଆ, ଚନ୍ଦନନଗର, ତାଲଭଟାପଡ଼ା, ପୁଟିବନ୍ଧ, ଚାରଭାଟି, ଗ୍ବାଲାପଡ଼ା, ଗୋବିନ୍ଦତୋଲା ଆଦି ଅଞ୍ଚଳରେ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ଅନ୍ୟପଟେ ଥଇଥାନ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ୧୨ ଶହକୁ ହ୍ରାସ ପାଇଥିବା ଏସ୍‌ଏମ୍‌ସି କମିସନର୍‌ ପ୍ରଦୀପ ସାହୁ କହିଛନ୍ତି। ବୁଧବାର ସନ୍ଧ୍ୟାରେ ୧୪୪୦ ଜଣଙ୍କୁ ଥଇଥାନ କରାଯାଇଥିଲା। ଶୁକ୍ରବାର ଥଇଥାନ ହୋଇଥିବା ଲୋକଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ସେ କହିଛନ୍ତି। ଗୋଟିଏ ପଟେ ହୀରାକୁଦ କଲୋନି ବସ୍ତି ବାସିନ୍ଦା ସୂଚନା ନ ଦେଇ ସ୍ଲୁଇସ୍‌ ଗେଟ୍‌ ‌ଖୋଲାଯିବାରୁ ସେମାନେ ଘରୁ ଜିନିଷପତ୍ର କାଢ଼ି ପାରି ନଥିବା ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଏସ୍‌ଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଏ ନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଥିବା କୁହାଯାଇଛି।

ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି
ମହାନଦୀର ପଛୁଆ ପାଣିରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ହୀରାକୁଦ ୧୨ ଗେଟ୍‌ ବନ୍ଦ କରିବା ପରେ ପାଣି କମିବା ସହ ସ୍ଥିତିରେ ସୁଧାର ଆସିଛି। କିନ୍ତୁ ପାଣି ପଶିଥିବା ଘରଗୁଡ଼ିକର ଅବସ୍ଥା ସାଙ୍ଘାତିକ ହୋଇଯାଇଛି। ବନ୍ୟାପାଣିରେ ବୁଡ଼ିଯାଇଥିବା ଘରେ ଛାତ୍ରଛାତ୍ରୀଙ୍କ ବହି, ଖାତା ଆଦି ମଧ୍ୟ ବୁଡ଼ି ନଷ୍ଟ ହୋଇଛି। ଯେଉଁ କାରଣରୁ ସେମାନଙ୍କ ପାଠ ପଢ଼ିବାରେ ବ୍ୟାଘାତ ସୃଷ୍ଟି ହୋଇଛି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ପାଠ ପଢ଼ା ବ୍ୟବସ୍ଥା କରିବାକୁ ଦାବି ହୋଇଛି। ତା ସହିତ ଘରେ ନଷ୍ଟ ହୋଇଯାଇଥିବା ସାମଗ୍ରୀ ପାଇଁ ତଥା ଭାଙ୍ଗି ଯାଇଥିବା ଘର ପାଇଁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର