ମୁଣ୍ଡୁଳି ଓ ନରାଜ ଠାରେ ବିପଦ ସଙ୍କେତ ତଳେ ରହିଛି ଜଳସ୍ତର

ଭୁବନେଶ୍ବର: କଟକର ମୁଣ୍ଡୁଳିଠାରେ ମହାନଦୀରେ ଜଳସ୍ତର ସ୍ଥିର ରହିଥିବା ଜଣାଯାଇଛି। ଏଠାରେ ଏବେ ବି ବିପଦ ସଙ୍କେତ ତଳେ ଜଳସ୍ତର ରହିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସକାଳ ୬ଟା ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ ୬୯ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହୋଇଛି। ଠିକ୍ ସେହିପରି ନରାଜରେ ବି ବିପଦ ସଙ୍କେତ ତଳେ ଜଳ ପ୍ରବାହିତ ହେଉଛି।
ଏଣେ ହୀରାକୁଦ ଡ୍ୟାମ୍‌ରେ ବି ଜଳସ୍ତର ହ୍ରାସ ପାଉଛି। ସକାଳ ୬ଟାରେ ଏଠାରେ ୬୨୮.୨୯ ଫୁଟ୍‌ ରହିଛି।ଆଗରୁ ୨୮ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଥିବା ବେଳେ ଏବେ ସେଠାରେ ୪ଟି ଗେଟ୍ ବନ୍ଦ କରାଯାଇଛି। ଏବେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି। ଜଳଭଣ୍ଡାରକୁ ୩,୭୧,୨୬୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪,୦୯,୩୮୩ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ମହାନଦୀରେ  ୫ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ହୀରାକୁଦକୁ ପଶୁଥିଲା। ମହାନଦୀ ଉପରମୁଣ୍ଡରେ ବର୍ଷା କମିଯାଇଥିବାରୁ ହୀରାକୁଦକୁ ଜଳ କମ୍ ପଶୁଛି। ଗତ ରାତିରେ ୪ ଲକ୍ଷ ୧୪ ହଜାର କ୍ୟୁସେକ୍ ଜଳ ପଶୁଥିଲା ବେଳେ ୨୮ ଗେଟ୍‌ ଦେଇ ୪ ଲକ୍ଷ ୮୪ ହଜାର କ୍ୟୁସେକ୍ ଜଳ ନଦୀକୁ ଛଡ଼ାଯାଉଛି। ଶନିବାର ସକାଳ ବେଳକୁ ମୁଣ୍ଡଳିରେ ଅଧିକ ଜଳ ପ୍ରବେଶ କରିଛି।

ସମ୍ବନ୍ଧିତ ଖବର