ସମ୍ବଲପୁର : ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରର ଜଳପ୍ରବେଶ ହାର କମିବା ପରେ ଆଜି  ୪ଟି ଗେଟ୍ ବନ୍ଦ କରିଦିଆଯାଇଛି। ଖୋଲାଯାଇଥିବା ୧୨ଟି ଗେଟ୍‌ରୁ ଏବେ ୮ଟି ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି। ବୁଧବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୪୩ ଫୁଟ୍‌ ରହିଥିବା ବେଳେ ଆଜି ରାତି ୯ଟାରେ ୬୦୮.୫୮ କ୍ୟୁସେକ୍‌କୁ ଖସି ଆସିଛି।

Advertisment

ଜଳଭଣ୍ଡ‌ାରକୁ ୭୬,୭୬୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସର୍ବମୋଟ ୧, ୫୫,୦୧୮ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି। ଜଳଭଣ୍ଡ‌ାରର ବାମ ପାର୍ଶ୍ବର ୬ଟି ଏବଂ ଡାହାଣ ପାର୍ଶ୍ବର ୨ଟି ଗେଟ୍ ‌ଦେଇ ୧,୧୮,୦୪୮ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୩,୨୮୯ କ୍ୟୁସେକ୍ ପାଣି ମହାନଦୀକୁ ଛଡ଼ାଯାଇଛି। ଜଳସେଚନ ପାଇଁ କେନାଲଗୁଡ଼ିକରେ ୩,୪୦୭ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ୨୭୪ କ୍ୟୁସେକ୍ ପାଣି ଶିଳ୍ପସଂସ୍ଥାଗୁଡ଼ିକୁ ଦିଆଯାଉଛି। ଜଳସ୍ତର ୬୦୫ ଫୁଟ୍‌ ଆସିବା ପର୍ଯ୍ୟନ୍ତ ଗେଟ୍ ଖୋଲା ରହିବ ବୋଲି ଜଣାପଡ଼ିଛି।