ବ୍ରହ୍ମପୁର : ମୌସୁମୀ ବର୍ଷାର ଦେଖା ମିଳୁନଥିବାରୁ ଗଞ୍ଜାମ ଜିଲ୍ଲାରେ ଏଯାବତ୍ ଚାଷ କାର୍ଯ୍ୟ ଆରମ୍ଭରେ ବାଧା ସୃଷ୍ଟି ହୋଇଛି। ଏଭଳି ଏକ ଘଡ଼ିସନ୍ଧି ସମୟରେ ବିକଳ୍ପ ସାଜିଥିବା ଡ୍ୟାମ୍‌ ଗୁଡ଼ିକରେ ପାଣି ନଥିବାରୁ କେନାଲ୍‌କୁ ପାଣି ଛାଡ଼ିବା ସମ୍ଭବପର ହୋଇପାରୁନି। ବର୍ଷା ଅଭାବରୁ ଜିଲ୍ଲାର ୭ଟି ଡ୍ୟାମ୍‌ରେ ଜଳସ୍ତର ହ୍ରାସ ପାଇବା‌ରେ ଲାଗିଛି। ବିଶେଷକରି, ବୁଗୁଡ଼ା ଓ ପୋଲସରା ବ୍ଲକ୍‌ର ଜୀବନରେଖା ଭାବେ ପରିଚିତ ବାଘୁଆ ଡ୍ୟାମ୍‌ର ଜଳସ୍ତର ଅଧିକ ମାତ୍ରାରେ ହ୍ରାସ ପାଇଛି। ଆଗକୁ ବର୍ଷା ନହେଲେ ଡ୍ୟାମ୍‌ ଶୁଖିଯିବା ଆଶଙ୍କା କରାଯାଉଛି। ସାଧାରଣତଃ ଅକ୍ଷୟ ତୃତୀୟା ଠାରୁ ଚାଷୀ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। କିନ୍ତୁ ଅକ୍ଷୟ ତୃତୀୟା ଯାଇ ପ୍ରାୟ ଦେଢ଼ମାସ ଅତିକ୍ରମ ହୋଇସାରିଥିଲେ ହେଁ, ଏବେସୁଦ୍ଧା ମୌସୁମୀ ବର୍ଷାର ଦେଖା ମିଳୁନି। ଫଳରେ ଚାଷୀ ଚାଷ କାମ କେମିତି ଆରମ୍ଭ କରିବ ଏହି ଚିନ୍ତାରେ ପଡ଼ିଛି। ଅଧିକାଂଶ ବ୍ଲକ୍‌ର ଚାଷଜମିରେ ହଳଲଙ୍ଗଳ ମଧ୍ୟ ବୁଲି ନାହିଁ। ପର୍ଯ୍ୟାପ୍ତ ପରିମାଣର ପାଣି ନଥିବାରୁ ଚାଷୀ ତଳି ପକାଇବାକୁ ଡରୁଛନ୍ତି। ଆଉ ଡ୍ୟାମ୍‌ ଗୁଡ଼ିକରେ ଜଳସ୍ତର ହ୍ରାସ ପାଇବା ଚାଷୀର ଚିନ୍ତାକୁ ଦ୍ବିଗୁଣିତ କରିଛି।

Advertisment

publive-image Holiday Landmark

ଭଞ୍ଜନଗର ଡ୍ୟାମ୍‌ର ଜଳଧାରଣ କ୍ଷମତା ୫ ହଜାର ୭୬୬ ହେକ୍ଟୋମିଟର୍‌ ରହିଥିବା ବେଳେ ବର୍ତ୍ତମାନ ୩ ହଜାର ୯୫୧ ହେକ୍ଟୋମିଟର୍‌ (୬୮.୫୨ପ୍ରତିଶତ) ପାଣି ରହିଛି। ସୋରଡ଼ା ଡ୍ୟାମ୍‌ର କ୍ଷମତା ୪ ହଜାର ୯୭୫ ହେକ୍ଟୋମିଟର୍‌ ରହିଥିବା ବେଳେ ୩ ହଜାର ୧୩୧ ହେକ୍ଟୋମିଟର୍‌ (୬୨.୯୪ ପ୍ରତିଶତ) ପାଣି ରହିଛି। ଡହ ଡ୍ୟାମ୍‌ର କ୍ଷମତା ୨ହଜାର ୧୯୫ ହେକ୍ଟୋମିଟର୍‌ ରହିଥିବାବେଳେ ଏବେ ୧ହଜାର ୪୯୫ ହେକ୍ଟୋମିଟର୍‌ (୬୮.୧୧ ପ୍ରତିଶତ) ପାଣି ରହିଛି। ଘୋଡ଼ାହାଡ଼ ଡ୍ୟାମ୍‌ର କ୍ଷମତା ୩ହଜାର ୫୨ ହେକ୍ଟୋମିଟର୍‌ ରହିଥିବା ବେଳେ ୨ହଜାର ୭୦୫ ହେକ୍ଟୋମିଟର୍‌ (୮୮.୬୩ ପ୍ରତିଶତ) ପାଣି ରହିଛି। ଧନେଇ ଡ୍ୟାମ୍‌ର କ୍ଷମତା ୧ହଜାର ୩୧୨ ହେକ୍ଟୋମିଟର୍‌ ରହିଥିବା ବେଳେ ୧୦୦୫ ହେକ୍ଟୋମିଟର୍‌ ପାଣି ରହିଛି। ବାଘୁଆ ଡ୍ୟାମ୍‌ର କ୍ଷମତା ୩ ହଜାର ଶହେ ହେକ୍ଟୋମିଟର୍‌ ରହିଥିବା ବେଳେ ମାତ୍ର ୮୧୪ ହେକ୍ଟୋମିଟର୍‌ (୨୬.୨୬ପ୍ରତିଶତ) ପାଣି ରହିଛି। ବାଘଲଟି ଡ୍ୟାମ୍‌ର କ୍ଷମତା ୩ ହଜାର ୮୯୧ ହେକ୍ଟୋମିଟର୍‌ ରହିଥିବା ବେଳେ ବର୍ତ୍ତମାନ ୨ହଜାର ୯୯୦ ହେକ୍ଟୋମିଟର୍‌ (୭୬.୮୫ ପ୍ରତିଶତ) ପାଣି ରହିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

publive-image

ଡ୍ୟାମ୍‌ରେ ଗଚ୍ଛିତ ଥିବା ପାଣି ମୁଖ୍ୟତଃ ପିଇବା ଓ ଚାଷକାମ ପାଇଁ ବ୍ୟବହାର ହୋଇଥାଏ। ଚାଷୀମାନେ ୬୦ ପ୍ରତିଶତ ପାଣି ବର୍ଷାରୁ ପାଉଥିବା ବେଳେ ବଳକା ୪୦ ପ୍ରତିଶତ ପାଣି ଡ୍ୟାମ୍‌ ଭରଣା କରିଥାଏ। ଡ୍ୟାମ୍‌ର ଜଳସ୍ତର ୮୦ରୁ ୮୫ ପ୍ରତିଶତ ମଧ୍ୟରେ ରହିଲେ ତାହା ସ୍ବାଭାବିକ ବୋଲି କୁହାଯାଏ। ଏବେ ଅଧିକାଂଶ ଡ୍ୟାମ୍‌ର ଜଳସ୍ତର ୭୦ ପ୍ରତିଶତରୁ କମି ସାରିଲାଣି। ବାଘୁଆ ଡ୍ୟାମ୍‌ର ଜଳସ୍ତର ୨୬ ପ୍ରତିଶତକୁ ଖସି ଆସିଛି। ଆଗକୁ ବର୍ଷା ନହେଲେ ପାଣିର ଘୋର ଅଭାବ ଦେଖା ଦେବା ଆଶଙ୍କା ପ୍ରକାଶ ପାଇଛି।