ସଂରକ୍ଷିତ ହେବ ୪ ନଦୀର ଜଳ: ଅନ୍ତଃନଦୀ ଜଳାଶୟ ଯୋଜନାରେ ଗଞ୍ଜାମ ସାମିଲ୍‌

୩୯୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳ ଏକ ବିରାଟ ସମସ୍ୟା ହୋଇଛି। ଏଥିପାଇଁ ଜିଲ୍ଲାରେ ଥିବା ଜଳ ଉତ୍ସର ଜଳ ସଂରକ୍ଷଣ ପାଇଁ ଯୋଜନା ହୋଇଥିଲା। ତନ୍ମଧ୍ୟରେ ନଦୀ ସଂଯୋଗୀକରଣ ଅନ୍ୟତମ। ମହାନଦୀ ସହିତ ଋଷିକୁଲ୍ୟା ନଦୀ ସଂଯୋଗୀକରଣ ପ୍ରସ୍ତାବକୁ ବ୍ୟୟବହୁଳ ଦର୍ଶାଇ ସରକାର ଏହାକୁ ଆଗକୁ ନେଇ ନଥିଲେ। ଫଳରେ ଜଳ ସଂରକ୍ଷଣ ପରିକଳ୍ପନା ଅଧାରେ ରହିଯାଇଥିଲା। ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ଜଳ ସମସ୍ୟା ଉତ୍କଟ ହେବାରୁ ସରକାରଙ୍କୁ ଏବେ ଚେତା ପଶିଛି। ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାର ୪ଟି ନଦୀର ଜଳ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଆଇଏସ୍ଏସ୍ (ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର୍‌) ବା ଅନ୍ତଃନଦୀ ଜଳାଶୟ ଯୋଜନା ହାତକୁ ନିଆଯାଇଛି। ଗଞ୍ଜାମ ଜିଲ୍ଲାର ୪ଟି ନଦୀକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ବାରା ବର୍ଷାଜଳକୁ ସଂରକ୍ଷିତ ରଖାଯାଇ ଅନ୍ୟ କାମରେ ବିନିଯୋଗ କରାଯାଇ ପାରିବ। ଫଳରେ ସମୁଦ୍ରରେ ନଦୀ ପାଣି ମିଶି ଆଉ ନଷ୍ଟ ହେବ ନାହିଁ ବୋଲି ଆଶା କରାଯାଉଛି।

ଆବଶ୍ୟକ ଜଳସେଚନ ସୁବିଧା ନଥିବାରୁ ଗଞ୍ଜାମ ଜିଲ୍ଲାରେ କେବଳ ଖରିଫ୍‌ ଋତୁରେ ଧାନ ଚାଷ ହୋଇଥାଏ। ରବି ଋତୁରେ ପରିବା ଓ ଅଳ୍ପ କିଛି ଧାନ ଚାଷ ହୋଇଥାଏ। ବିଶେଷ କରି ଚାଷୀମାନେ ନଦୀ ପାଣି ଉପରେ ନିର୍ଭର କରିଥାନ୍ତି। ସେହିପରି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ନଦୀରୁ ହିଁ ପାନୀୟ ଜଳ ବିଷୋଧନ କରି ଯୋଗାଣ କରାଯାଉଛି। ବର୍ଷାଦିନରେ ଜିଲ୍ଲାର ନଦୀଗୁଡ଼ିକ ଉଛୁଳୁଥିବା ବେଳେ ଖରା ଦିନରେ ପୂରା ଶୁଖିଲା ପଡ଼ିଥାଏ। ଏପରିକି ଶୀତଦିନରେ ମଧ୍ୟ ଜଳକଷ୍ଟ ଦେଖା ଦେଇଥାଏ। ଏଣୁ ବର୍ଷାଦିନରେ ନଦୀରେ ଉଛୁଳା ଜଳକୁ କିପରି ସଂରକ୍ଷିତ ରଖାଯାଇ ପାରିବ ସେ ନେଇ ଅନ୍ତଃନଦୀ ଜଳାଶୟ ଯୋଜନା ହାତକୁ ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା, ଘୋଡ଼ାହାଡ଼, ଧନେଇ ଓ ଆସିକା ବଡ଼ନଦୀରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ପ୍ରାୟ ୩୯୦ କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିବା ବ୍ରହ୍ମପୁର ଜଳ ସମ୍ପଦ ବିଭାଗ ସୂତ୍ରରୁ ପ୍ରକାଶ। ଋଷିକୁଲ୍ୟା ନଦୀର ସୋରଡ଼ା ନିକଟସ୍ଥ ସିଙ୍ଗିପୁର ଠାରେ ହେବାକୁ ଥିବା ପ୍ରକଳ୍ପ ପାଇଁ ୩୫ କୋଟି ୯୦ ଲକ୍ଷ ଟଙ୍କା ବଜେଟ୍‌ ରଖାଯାଇଥିବା ବେଳେ କଂସାରୀଗଣ୍ଡ ପାଇଁ ୨୪୦ କୋଟି ୭୦ ଲକ୍ଷ ଟଙ୍କାର ବଜେଟ୍‌ ରଖାଯାଇଛି।

ସେହିପରି ଘୋଡ଼ାହାଡ଼ ନଦୀ ଜକମରପଲ୍ଲୀରେ ହେବାକୁ ଥିବା ପ୍ରକଳ୍ପ ପାଇଁ ୫୮.୮୭ କୋଟି, ଧନେଇ ନଦୀ ସାନବରଗାଁ ପାଇଁ ୨୭.୨୨ କୋଟି, ଆସିକା ବଡ଼ନଦୀ ଢୋଲପିଟା ପାଇଁ ୩୧ କୋଟି ଟଙ୍କାର ବଜେଟ୍‌ ରଖାଯାଇଛି। ଏହି ଯୋଜନାରେ ନଦୀରେ ସୁଦୃଢ଼ ବନ୍ଧ ତିଆରି କରାଯାଇ ପାଣିକୁ ଅଟାକଇ ରଖାଯିବ। ଆବଶ୍ୟକ ସ୍ଥଳେ ଗେଟ୍‌ ଦେଇ ପାଣି ଛଡ଼ାଯିବ। ଏହା ସହିତ ନଦୀର ଗାର୍ଡ଼ୱାଲ୍‌କୁ ମଧ୍ୟ ସୁଦୃଢ଼ କରାଯିବ। ବିଶେଷ କରି ବର୍ଷାଦିନରେ ନଦୀରେ ପର୍ଯ୍ୟାପ୍ତ ପରିମାଣ ପାଣି ରହିଥାଏ। ତେବେ ବର୍ଷାଦିନର ପାଣିକୁ ଗଚ୍ଛିତ ରଖି ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପାଣି ଚାଷ ପାଇଁ ଜଳସେଚନ ଓ ପାନୀୟ ଜଳ ଭାବେ ବ୍ୟବହାର କରାଯିବ। ଦୁଇବର୍ଷ ମଧ୍ୟରେ ଏହି ସମସ୍ତ କାମ ସମାପ୍ତ ହେବ। ଠିକା ପାଇଥିବା ସଂସ୍ଥାଗୁଡ଼ିକ ତାଙ୍କର ସର୍ଭେ କାମ ଜାରି ରଖିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।
ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଅଶ୍ବିନୀ କୁମାର ମହାନ୍ତି କହିଛନ୍ତି, ଋଷିକୁଲ୍ୟାର କଂସାରୀଗଣ୍ଡ ବ୍ୟତୀତ ଅନ୍ୟ ୪ଟି ପ୍ରକଳ୍ପ ପାଇଁ ଟେଣ୍ଡର୍‌ ଦିଆଯାଇ ଏଗ୍ରିମେଣ୍ଟ୍‌ ସରିଛି। ଇପିସି କଣ୍ଟ୍ରାକ୍ଟ୍‌ ମୋଡ୍‌ରେ ଏହି କାମ ହେବ। ଇଂଜିନିୟରିଂ, ପ୍ରକ୍ୟୁର୍‌ମେଣ୍ଟ୍‌ ଓ କନ୍‌ଷ୍ଟ୍ରକସନ୍‌(ଇପିସି) କାମ ସମ୍ପୃକ୍ତ ଠିକା ସଂସ୍ଥା କରିବେ। ବ୍ରହ୍ମପୁର, ଭଞ୍ଜନଗର ଓ ଚିକିଟି ଡିଭିଜନ୍‌ ଅଧୀନରେ ଏହି କାମ ଆରମ୍ଭ ହୋଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର