ଜଗତସିଂହପୁର: କାଠଯୋଡ଼ିର ଶାଖା ନଦୀ ଦେବୀରୁ ବାହାରିଥିଲା ଅଳକା ନଦୀ। ଦିନେ ଏହି ନଦୀ ବାଟ ଦେଇ ଇଂରେଜମାନେ ମାଲ୍ ପରିବହନ କରୁଥିଲେ। ସମୁଦ୍ରରେ ଥିବା ଜାହଜରେ ମାଲ୍ ବୋଝେଇ କରି ବୋଟ୍ଗୁଡ଼ିକ ଫେରୁଥିଲା। ନଦୀରେ ଉଦ୍ବୃତ୍ତ ବର୍ଷା ଜଳ ମଧ୍ୟ ନିଷ୍କାସିତ ହୋଇପାରୁଥିଲା। ଅଳକା ନଦୀ କୂଳରେ ଚାଷବାସ ସହ ଜନବସତି ଗଢ଼ି ଉଠିଥିଲା। ଚାଷ ଜମିକୁ ଜଳସେଚନ ହେଉଥିଲା। ଏବେ କିନ୍ତୁ ବ୍ୟାପକ ଜବରଦଖଲ ପ୍ରକ୍ରିୟାରେ ସତ୍ତା ହରାଇବାରେ ଲାଗିଛି ୫୨ କିଲୋମିଟର ଦୀର୍ଘ ଅଳକା ନଦୀ। ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଫଳ ଶୂନ।
ତଥ୍ୟ ଅନୁଯାୟୀ ୧୬୩୦ରେ ଇଂରେଜ ନାବିକ ବ୍ରୁଟନଙ୍କ ସହ ୭ ଜଣ ସାଥୀ ସମୁଦ୍ର ପଥ ଦେଇ ମାଛଗାଁ ନିକଟରେ ସମୁଦ୍ର ସହ ସଂଯୋଗ ପାଟୁଆ(ଅଳକା) ନଦୀ ଦେଇ ମରିଚପୁରରେ ପହଞ୍ଚିଥିଲେ। ସେମାନେ ବାଲିକୁଦାରୁ ଅଳକା ନଦୀ ଦେଇ ଜଗତସିଂହପୁରରେ ପହଞ୍ଚିଥିଲେ। ବର୍ତ୍ତମାନ ଯେଉଁଠି ଶ୍ରୀକୃଷ୍ଣ ଏକାଡେମି ରହିଛି ସେହି ଜାଗାକୁ ସେମାନେ ଚିହ୍ନଟ କରିଥିଲେ। ସେଠାରେ ଏକ ସୂତାକଳ ତିଆରି କରିଥିଲେ। ଅଳକା ନଦୀ ଦେଇ ବୋଟ, ବଡ଼ବଡ଼ ପାଲଟଣା ଡଙ୍ଗାରେ କଞ୍ଚାମାଲ ଓ ତିଆରି ସାମଗ୍ରୀକୁ ସମୁଦ୍ରପଥ ଦେଇ ନିଜ ଦେଶକୁ ନେଉଥିଲେ। ସୂତାକଳ ବନ୍ଦ ହୋଇଯିବା ପରେ ଇଂରେଜମାନେ ବି ଅଞ୍ଚଳରୁ ଫେରି ଯାଇଥିଲେ। ଗବେଷକ ମହେନ୍ଦ୍ର ଆଚାର୍ଯ୍ୟଙ୍କ କହିବା ଅନୁସାରେ, ନ’ ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ ତାଳଦଣ୍ଡା କେନାଲ ଖୋଳିଥିଲେ। ବିରିବାଟୀ ଠାରୁ ଜଗତସିଂହପୁର ଦେଇ ମାଛଗାଁ କେନାଲ ଖୋଳାଯାଇଥିଲା। ମାଛଗାଁ କେନାଲ୍ ଖୋଳାଯିବା ଫଳରେ ବୀରବରପାଟଣା ନିକଟରେ ଦେବୀ ନଦୀରୁ ବାହାରିଥିବା ଅଳକା ନଦୀ ମୁହାଣ ପୋତି ହୋଇଗଲା। ସମୟକ୍ରମେ ପାଣିର ଧାର ବି ବନ୍ଦ ହୋଇଗଲା।
ଅଳକା ନଦୀର ପୁନରୁଦ୍ଧାର ଲାଗି ୧୨କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେଲାଣି। କିନ୍ତୁ ଏହା କେଉଁଠି ଛୋଟ ନାଳ ଭଳି ହୋଇଛି ତ ଆଉ କେଉଁଠି ଗତିପଥ ବଦଳାଇଛି। ଅନେକ ସ୍ଥାନରେ ଦଳ ଭର୍ତ୍ତି ହୋଇରହିଛି। ସେହିପରି ବର୍ଷା ଜଳ ମଧ୍ୟ ନିଷ୍କାସିତ ହୋଇପାରୁନି। ଚାଷ ମଧ୍ୟ ହ୍ରାସ ପାଇଲାଣି। ସମାଜସେବୀ ଗୌରାଙ୍ଗ ହୋତା କହିଛନ୍ତି ଯେ ଅନେକ ସ୍ଥାନରେ ଜବରଦଖଲ କରାଯାଇ ଅଟ୍ଟାଳିକା ଛିଡ଼ା କରାଯାଇଛି। କଣ୍ଟାପଡ଼ାରୁ ଗାଲୁପଡ଼ା ପର୍ଯ୍ୟନ୍ତ ସର୍ବାଧିକ ଅଞ୍ଚଳ ଜବରଦଖଲରେ ରହିଛି। ତେଣୁ ଅଳକା ସତ୍ତା ହରାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/ffshfshfshfsh.jpg)