ମୟୂରଭଞ୍ଜରେ ଆନନ୍ଦର ଲହରି: କାଉନ୍‌ସିଲରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ

ବାରିପଦା/ରାଇରଙ୍ଗପୁର, ୨୧/୬ (ଇମିସ): ଜାତୀୟ ଓ ରାଜ୍ୟ ରାଜନୀତିର ପରିଚିତ ଆଦିବାସୀ ଚେହେରା, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ତାଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ଆନନ୍ଦର ଲହରି ଖେଳିଯାଇଛି। ୧୯୫୮ ମସିହା ଜୁନ୍‌ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍‌ ଉପରବେଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ। ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ଟୁଡ଼ୁ। ଆଦିବାସୀ ସାନ୍ତାଳୀ ପରିବାରରେ ଜନ୍ମ ହୋଇଥିଲେ ବି ତାଙ୍କ ପାଠପଢ଼ା କ୍ଷେତ୍ରରେ ଆଦୌ ଅବହେଳା କରିନଥିଲେ ପରିବାର ଲୋକ। ଛାତ୍ରୀ ଜୀବନରୁ ସେ ବେଶ୍ ନିର୍ଭୀକ ଥିଲେ। ପାଠପଢ଼ା ପରେ କୁସୁମୀ ବ୍ଲକ୍‌ ପାହାଡ଼ପୁର ଗ୍ରାମର ଶ୍ୟାମଚରଣ ମୁର୍ମୁଙ୍କୁ ସେ ବିବାହ କରିଥିଲେ। ରାଜନୀତିରେ ପାଦ ଥାପିବା ଆଗରୁ ସେ ରାଇରଙ୍ଗପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ କିଛି କାଳ ଶିକ୍ଷକତା କରିଥିଲେ। ପରବର୍ତ୍ତୀ ସମୟରେ ରାଜନୀତିରେ ପାଦ ଥାପିଥିଲେ। ଭାରତୀୟ ଜନତା ପାର୍ଟିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଦ୍ରୌପଦୀ ୧୯୯୬ ମସିହାରେ ରାଇରଙ୍ଗପୁର ଏନ୍‌ଏସିର ୨ ନଂ ୱାର୍ଡ‌ରୁ କାଉନ୍‌ସିଲର୍‌ ଭାବେ ବିଜୟୀ ହୋଇଥିଲେ।

ପରେ ବିଜେପି ସମର୍ଥନରେ ଏନ୍‌ଏସି ଉପାଧ୍ୟକ୍ଷା ଆସନରେ ବସିଥିଲେ। ପରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହାରେ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୨୦୦୦ରୁ ୨୦୦୨ ମସିହା ଯାଏ ବିଜେଡି-ବିଜେପି ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ହୋଇଥିଲେ। ୨୦୦୨ରୁ ୨୦୦୪ ଯାଏ ମତ୍ସ୍ୟ ଓ ପଶୁପାଳନ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ। ସେ ସମୟରେ ରାଜ୍ୟ ବିଜେପିର ଆଗଧାଡ଼ିର ଚେହେରା ଥିଲେ ଦ୍ରୌପଦୀ। ତେବେ ରାଜନୀତିରେ ସଫଳତାର ଶିଖର ଛୁଇଁଥିଲେ ବି ତାଙ୍କ ପାରିବାରିକ ଜୀବନ ବେଶ୍‌ ଦୁଃଖମୟ ଥିଲା। ସ୍ବାମୀ ଓ ୨ ପୁଅଙ୍କୁ ଅସମୟରେ ହରାଇଥିଲେ ଦ୍ରୌପଦୀ। ତଥାପି ସେ ରାଜନୀତି ଛାଡ଼ିନଥିଲେ କି ବିଜେପିରୁ ଦୂରେଇ ନଥିଲେ। କ୍ଷମତା ରାଜନୀତିରୁ ବେଶ୍‌‌ କିଛି ବର୍ଷ ଦୂରେଇ ରହିବା ପରେ ୨୦୧୫ ମସିହା ମେ ୧୮ ତାରିଖରେ ତାଙ୍କୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ପଦରେ ଅଭିଷିକ୍ତ କରିଥିଲା କେନ୍ଦ୍ର ନେତୃତ୍ବାଧୀନ ଏନ୍‌ଡିଏ ସରକାର। ଜଣେ ଆଦିବାସୀ ଚେହେରାଙ୍କୁ ଏତେ ବଡ଼ ସାମ୍ବିଧାନିକ ପଦରେ ବସାଇ ସେତେବେଳେ ସମସ୍ତଙ୍କୁ ଚମ୍‌କାଇ ଦେଇଥିଲା ବିଜେପି। ଏପରିକି ୨୦୨୦ରେ ତାଙ୍କ କାର୍ଯ୍ୟକାଳ ସରୁଥିଲେ ବି ୨୦୨୧, ଜୁଲାଇ ୬ ତାରିଖ ଯାଏ ସେ ରାଜ୍ୟପାଳ ପଦରେ ରହିଥିଲେ।

ସମ୍ବନ୍ଧିତ ଖବର