ଭୁବନେଶ୍ବର: ଜଳସେଚିତ ଜମିରେ ପାଣିର ସୁଷମ ବଣ୍ଟନ ପାଇଁ କରନାଳୀ ଓ ଆନୁଷଙ୍ଗିକ ନିର୍ମାଣ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା କାର୍ଯ୍ୟକ୍ରମକୁ ଆଉ ୫ବର୍ଷ ପାଇଁ ଅର୍ଥାତ୍ ୨୦୨୪-୨୫ରୁ ୨୦୨୮-୨୯ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ୧୯୭୬-୭୭ ମସିହାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏବେ ‘ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା କାର୍ଯ୍ୟକ୍ରମ ସଂସ୍କରଣ ୨.୦ ଆରମ୍ଭ ହେବାକୁ ଯାଉଛି। ଏଥିରେ ୫ବର୍ଷରେ ୭୬୩.୪୭କୋଟି ଖର୍ଚ୍ଚ ହେବ।
ଏହି ଯୋଜନାରେ ନିର୍ମାଣାଧୀନ କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରିବା ସହ ୮୦ହଜାର ହେକ୍ଟର ଚାଷ ଜମିରେ ୨୪୦୦କିମିର ନୂତନ କରନାଳୀ ନିର୍ମାଣ କରାଯିବ। ଏହାବ୍ୟତୀତ ୧ଲକ୍ଷ ୫୦ହଜାର ହେକ୍ଟର ଜମିରେ ଟପୋଗ୍ରାଫିକାଲ ସର୍ବେକ୍ଷଣ ଓ ଯୋଜନା ଏବଂ ଚାଷଜମି ସ୍ଥିତ ଜଳର ଉନ୍ନତ ପରିଚାଳନା ପାଇଁ ୧୨ଟି ପ୍ରାୟୋଗିକ ଅଧ୍ୟୟନ ସହିତ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଜଳର ସୁବିନିଯୋଗ କରିବାକୁ ୨୬୬ଟି କୃଷକ ସଚେତନତା ତାଲିମ୍ ଶିବିର ଅନୁଷ୍ଠିତ ହେବ।
ଏହାସହ ଜଳସେଚିତ ଅଞ୍ଚଳରେ ‘ପୁରାତନ କରନାଳୀଗୁଡ଼ିକର ପୁନଃନିର୍ମାଣ’ ସଂସ୍କରଣ ୨.୦ ମାଧ୍ୟମରେ ୨୦୦୮-୦୯ ପୂର୍ବରୁ ମାଟି ଓ କିଛି ସ୍ଥାନରେ ଇଟାରେ ନିର୍ମିତ କରନାଳୀକୁ ଭାଙ୍ଗି ନୂଆ କରନାଳୀ ନିର୍ମାଣ କରାଯିବ। ଯେଉଁ କରନାଳୀ ଭାଙ୍ଗିବା ଦ୍ବାରା କେନାଲ ସୋଠ ନିକଟରେ ଜଳମଗ୍ନ ହେବା ସହ ଦୂରବର୍ତ୍ତୀ ଜମିର ଚାଷୀମାନେ ଯେଉଁ ଆବଶ୍ୟକୀୟ ପାଣି ପାଉନାହାନ୍ତି ସେହି ସମସ୍ୟାର ସମାଧାନ ହେବ। ଏହି ଯୋଜନାରେ ୫ବର୍ଷରେ ୫୭୪.୭୪କୋଟି ଖର୍ଚ୍ଚ ହେବ। ଏଥିରେ ୬୨ହଜାର ହେକ୍ଟର ଚାଷ ଜମିରେ ୧୮୬୦କିମି କରନାଳୀ ନିର୍ମାଣ କରି ଜଳସେଚନ କ୍ଷମତା ବଢ଼ାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳିର ଶେଷ କ୍ୟାବିନେଟ୍ରେ ରାଜ୍ୟ ସରକାର ଜମିକୁ କିପରି ବ୍ୟବସ୍ଥିତ ଢଙ୍ଗରେ ପାଣି ପହଞ୍ଚିବ ତା’ ଉପରେ ଫୋକସ୍ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ଉପରୋକ୍ତ ପ୍ରସ୍ତାବ ସମେତ ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ଅନୁମୋଦନ କରିଛି।
ସେହିପରି ରାଜ୍ୟରେ ନୂତନ ଭାବେ ସ୍ଥାପନ ହେବାକୁ ଥିବା ଶିଳ୍ପ ସଂସ୍ଥା ଯଥା ପାରାଦୀପ ପ୍ଲାଷ୍ଟିକ ପାର୍କ, ଅନୁଗୁଳ ଆଲୁମିନିୟମ ପାର୍କ, ଭଦ୍ରକ ଟେକ୍ସଟାଇଲ୍ ପାର୍କ, ନେଉଳପୋଇ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍କୁ ସ୍ଥିର ଏବଂ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ତଥା କାର୍ଯ୍ୟକ୍ଷମ ପରିବହନ ଭିତ୍ତିଭୂମିର ସୁଦୃଢୀକରଣ ନିମନ୍ତେ ଓପିଟିସିଏଲ୍ ଓଟିଏସ୍ଏସ୍ପି ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଅଧୀନରେ ବିଭିନ୍ନ ରେମୁନେରେଟିଭ୍ ପ୍ରକଳ୍ପ ଯଥା ୬ଟି ନୂତନ ଗ୍ରୀଡ୍ ସବ୍ଷ୍ଟେସନର ନିର୍ମାଣ , ବିଦ୍ୟୁତ୍ ପରିବହନ ଲାଇନ୍ର ସୁଦୃଢୀକରଣ ଏବଂ ସବ୍ଷ୍ଟେସନ ଅଟୋମେସନ ସିଷ୍ଟମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ମୋଟ୍ ୧୮୪୫.୭୬କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଥିବାବେଳେ ଏଥିରୁ ୩୦% (୫୫୩.୭୩କୋଟି) ରାଜ୍ୟ ସରକାରଙ୍କ ତରଫରୁ ଅଂଶଧନ ସହାୟତା ଆକାରରେ ପ୍ରଦାନ କରାଯିବ। ବାକି ୭୦% (୧୨୯୨.୦୩କୋଟି) ଓପିଟିସିଏଲ୍ ନିଜସ୍ବ ସୂତ୍ରରୁ ବହନ କରିବ। ଏହି ପର୍ଯ୍ୟାୟ ଅଧୀନରେ ବିଭିନ୍ନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ ୫ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୩-୨୪ରୁ ୨୦୨୭-୨୮ ମଧ୍ୟରେ କାର୍ଯ୍ୟକାରୀ ହେବ। ୫ବର୍ଷରେ ରାଜ୍ୟରେ ୨୧ଟି ନୂତନ ଏବଂ ସୁଦୃଢୀକରଣ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।
ସେହିପରି କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ମହାନଦୀ ଉପରେ ଏକ ‘ଉଚ୍ଚ ସେତୁ’ ନିର୍ମାଣ ହେବ। ଏହି ପ୍ରକଳ୍ପ କଟକ-ପାରାଦୀପ ରାସ୍ତା (ଏସ୍ଏଚ୍-୧୨) ଓ କଟକ-ଚାନ୍ଦବାଲି ରାସ୍ତା (ଏସ୍ଏଚ୍-୯)କୁ ସଂଯୋଗ କରିବା ସହ ନଦୀର ଉଭୟ ପାର୍ଶ୍ବରେ ରହୁଥିବା ବାସିନ୍ଦାଙ୍କ ସିଧାସଳଖ ଯୋଗଯୋଗ ଓ ଅର୍ଥନୀତି ବିକାଶରେ ସହାୟକ ହେବ। ଏଥିପାଇଁ ୧୨୮କୋଟି ୭୧ଲକ୍ଷ ଖର୍ଚ୍ଚ ହେବ। ଏହା ତିନି ବର୍ଷରେ ଶେଷ ହେବ। ଏନେଇ ଆଇଟିଏଲ୍-ସିସିପିଏଲ୍ର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଷ୍ଟାମ୍ପ୍ ବିକ୍ରେତାମାନଙ୍କ କମିସନ ବଢ଼ାଇବା ଦାବିକୁ ବି ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଇ-ଷ୍ଟାମ୍ପିଂରେ ଆଦାୟ ଷ୍ଟାମ୍ପ ଦେୟ ଉପରେ ୦.୮୫% ଅଧିକ କମିସନ ପ୍ରଦାନ କରିବା ନିଷ୍ପତ୍ତିକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏବେ ସେମାନେ ୦.୧୫% କମିସନ ପାଉଥିବାବେଳେ ଏଣିକି ୧% କମିସନ ପାଇବେ।
ଓଡ଼ିଶା (ବେସରକାରୀ ମହାବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଅନୁଦାନ ନିୟମ, ୨୦୧୪ର ପୁନଃ ସଂଶୋଧନ କରାଯାଇଛି।
ଓଡ଼ିଶା ପ୍ରାଣୀଚିକିତ୍ସକ ବୈଷୟିକ ସେବା କ୍ୟାଡରର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାଦ୍ବାରା ୧୧୩ଟି ନୂଆ ପଦବି ସୃଷ୍ଟି କରାଯାଇଛି। ଫଳରେ ମୋଟ୍ ପଦବି ୪୦୪୫ରୁ ୪୧୫୮ ହୋଇଛି। ଏହାସହ ଏଲ୍ଆଇମାନଙ୍କୁ ତିନିଟି ପଦୋନ୍ନତି ଦେବାକୁ ନିଷ୍ପତ୍ତି ହୋଇଛି।
ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବୈଷୟିକ ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୪ ପ୍ରଣୟନ କରାଯାଇଛି। ଅମିନ ଓ ଏଆର୍ଆଇମାନଙ୍କୁ ଆର୍ଆଇ ପଦବିକୁ ପଦୋନ୍ନତି ପାଇବାକୁ ୧୫ବର୍ଷ ଲାଗୁଥିବାବେଳେ ଏହି ସମୟ ଭିତରେ ସେମାନଙ୍କୁ ଆଉ ଏକ ପଦୋନ୍ନତି ଦେବା ପାଇଁ ରାଜ୍ୟ ସରକାର ଅମିନ ଲେଭେଲ୍-୨ ଏବଂ ଏଆର୍ଆଇ େଲଭେଲ୍-୨ ପଦବି ସୃଷ୍ଟି କରିଛନ୍ତି। ଏହାକୁ ପେ ମାଟ୍ରିକ୍ସ ଲେଭେଲ୍-୭ରେ ସୃଷ୍ଟି କରିବାକୁ ସ୍ଥିର କରାଯାଇଛି। କ୍ରୀଡ଼ାର ବିକାଶ ପାଇଁ କଟକ ଜିଲ୍ଲାର କ୍ୟାଣ୍ଟନମେଣ୍ଟ ମୌଜାରେ ଥିବା ୨୦ଏକର ୮୦୮ଡିସିମିଲ ଖାସମାହାଲ ଜମିକୁ ଓଡ଼ିଶା ଅଲମ୍ପିକ୍ ଆସୋସିଏସନ୍ ସପକ୍ଷରେ ମୂଳ ଲିଜ୍ର ସର୍ତ୍ତ ମୁତାବକ ଆଉ ୪୦ବର୍ଷ ପାଇଁ ଲିଜ୍ ନବୀକରଣ କରାଯାଇଛି। ଏଥିପାଇଁ ଓଡ଼ିଶା ଅଲମ୍ପିକ୍ ଆସୋସିଏସନ୍କୁ ବାର୍ଷିକ ଭଡ଼ା ଓ ସେସ୍ ବାବଦରେ ୧ଟଙ୍କା ପ୍ରତି ଏକର ହିସାବରେ ଦେବାକୁ ହେବ। ସୂଚନାଯୋଗ୍ୟ ଯୋଗ୍ୟ ଯେ ୪.୯.୧୯୮୯େର ଓଡ଼ିଶା ଅଲମ୍ପିକ ଆସୋସିଏସନ୍କୁ ଉକ୍ତ ଜମି ୪୦ବର୍ଷ ପାଇଁ ଲିଜ୍ ଦିଆଯାଇଥିଲା। ଏବେ ବାରବାଟୀ ଷ୍ଟାଡିୟମର ପୁନଃନବୀକରଣ ହେବାକୁ ଥିବାରୁ ଲିଜ୍ ନବୀକରଣ କରାଯାଇଛି।
ଏସ୍ସିବି ମେଡିକାଲ କଲେଜ ପରିସରରେ ଥିବା ଡିଏଭି ଏସ୍ସିବି ମେଡିକାଲ ପବ୍ଲିକ ସ୍କୁଲର ନୂତନ ସ୍କୁଲ କୋଠା ନିର୍ମାଣ ପାଇଁ ଚାଉଳିଆଗଞ୍ଜ ମୌଜାରେ ୨ଏକର ୫୦ଡିସିମିଲ ଜମି ଆବଣ୍ଟନ ହୋଇଛି। ଏହାକୁ ବିନା ପ୍ରିମିୟମ ତଥା ବିନା ଇନସିଡେଣ୍ଟାଲ ଚାର୍ଜ ଦେୟରେ ଲିଜ୍ ମଞ୍ଜୁର କରାଯାଇଛି। ହେଲେ ଏହି ଲିଜ୍ ବାବଦରେ ସ୍କୁଲ କର୍ତ୍ତୃପକ୍ଷ ଜମିର ବଜାର ମୂଲ୍ୟର ୦.୨୫% ହିସାବରେ ବାର୍ଷିକ ଜମି ଭଡ଼ା ଏବଂ ଉକ୍ତ ଭଡ଼ାର ୭୫% ହିସାବରେ ସେସ୍ ଦେବେ। ଏହାସହ ପୂର୍ବରୁ ମଙ୍ଗଳାବାଗ ମୌଜାରେ ଉକ୍ତ ସ୍କୁଲ ଅଧୀନରେ ଥିବା ୧.୮୦ଏକର ସରକାରୀ ଜମି ଉପରେ ଥିବା ସମସ୍ତ ବକେୟା ଦେୟ ଛାଡ଼ କରାଯାଇଛି।
ସେଣ୍ଟ୍ରାଲ ପଲଟ୍ରି ଡେଭଲପମେଣ୍ଟ ଅର୍ଗାନାଇଜେସନକୁ ବାରଙ୍ଗ ତହସିଲ ଅଧୀନସ୍ଥ ତଳଗଡ଼ ଓ ବେଣ୍ଟକରପଡ଼ା ମୌଜାରେ ମୋଟ୍ ୩୯.୩୭ଏକର ମାଗଣାରେ ପ୍ରଦାନ କରାଯାଇଛି। କଳିଙ୍ଗ ଷ୍ଟାଡିୟମର ସମ୍ପ୍ରସାରଣ ପାଇଁ ନୂଆପଲ୍ଲୀରେ ଥିବା ଏହି ସଂସ୍ଥାକୁ ସଂପୂର୍ଣ୍ଣ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଛି।
ଭୁବନେଶ୍ବରରେ ଯାଦବ ଭବନ ନିର୍ମାଣ ପାଇଁ ଉତ୍କଳ ଯାଦବ ମହାସଭାକୁ ଚନ୍ଦ୍ରଶେଖରପୁରରେ ଅଧ ଏକର ଜମି ପ୍ରଦାନ କରାଯାଇଛି। ଏଥିପାଇଁ ୫କୋଟି ୬ଲକ୍ଷ ଟଙ୍କା ପ୍ରିମିୟମ ଛାଡ଼ କରାଯାଇଛି। ତାଳଚେର ଫର୍ଟିଲାଇଜର୍ ଲିମିଟେଡ ନାମରେ ସବ୍ଲିଜ୍ ଦଲିଲ ନିବନ୍ଧନ ପାଇଁ ଷ୍ଟାମ୍ପ ଦେୟ ଓ ପଞ୍ଜୀକରଣ ଫି’ ବାବଦକୁ ୩୧କୋଟି ୩୨ଲକ୍ଷ ୧୧ହଜାର ୫୦୨ଟଙ୍କା ଛାଡ଼ କରାଯାଇଛି। ଆଜିର କ୍ୟାବିନେଟ ବୈଠକ ପରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅନୁ ଗର୍ଗ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ।