ଭୁବନେଶ୍ବର : ଗଞ୍ଜାମ, ଚିଲିକା, ଦକ୍ଷିଣ ପୁରୀ ଓ କେନ୍ଦ୍ରାପଡ଼ା ଉପକୂଳକୁ ନେଇ ୭୬ କିଲୋମିଟର ବ୍ୟାପୀ ଅଞ୍ଚଳ ଅପେକ୍ଷାକୃତ କମ ବିପଦ ପ୍ରବଣ। ଉତ୍ତର ଗଞ୍ଜାମ, ଚିଲିକା, କେନ୍ଦ୍ରୀୟ ପୁରୀ, କେନ୍ଦ୍ରାପଡା, ଦକ୍ଷିଣ ଭଦ୍ରକ ଓ ଉତ୍ତର ବାଲେଶ୍ବରର ୨୯୭ କିଲୋମିଟର ଅଞ୍ଚଳ ପ୍ରତି ମଧ୍ୟମ ଧରଣର ବିପଦ ରହିଛି।

Advertisment

ଉତ୍ତର ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା, ଭଦ୍ରକ ଏବଂ ଦକ୍ଷିଣ ବାଲେଶ୍ବରର ୧୦୭ କିଲୋମିଟର ଅଞ୍ଚଳ ବନ୍ୟା ଦୃଷ୍ଟିରୁ ଅତି ବିପଦପ୍ରବଣ।

ଜଳବାୟୁ ପରିବର୍ତ୍ତନ ତଥା ଧୀରେ ଧୀରେ ବିଗୁଡ଼ୁଥିବା ପାଣିପାଗର ଚିତ୍ର ରାଜ୍ୟର ପରିବେଶବିତ୍‌ ତଥା ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରୁଛି। ଠିକ୍ ଏହି ସମୟରେ ଭାରତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ରର ଏଭଳି ଆକଳନ ବିଶେଷଜ୍ଞମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଲାଣି। ଓଡ଼ିଶାର ସାମୁଦ୍ରିକ ଉପକୂଳ ଅଞ୍ଚଳକୁ ତିନି ଭାଗରେ ବିଭକ୍ତ କରାଯାଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟ ସୂଚାଇ ଦେଉଛି ଯେ ଧୀରେ ଧୀରେ ଓଡ଼ିଶାର ସାମୁଦ୍ରିକ ଉପକୂଳ ଅଞ୍ଚଳ ଅଧିକରୁ ଅଧିକ ସମ୍ବେଦନଶୀଳ ହେବାରେ ଲାଗିଛି।

publive-image republicworld.com

କେବଳ ଏହି ଗୋଟିଏ ରିପୋର୍ଟ ନୁହେଁ, ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃରାଜ୍ୟ ପ୍ୟାନେଲର ଷଷ୍ଠ ମୂଲ୍ୟାଙ୍କନ ରିପୋର୍ଟ (୨୦୨୨) ମଧ୍ୟ ସମସ୍ତଙ୍କ ନିଦ ହଜାଇ ଦେଲାଣି। ଏହି ରିପୋର୍ଟ ପାଦେ ଆଗକୁ ଯାଇ ଉତ୍ତାପ ବୃଦ୍ଧିପାଉଥିବା କାରଣରୁ ଆଗକୁ ଅଂଶୁଘାତ ଆଶଙ୍କା ଅଧିକ ଦେଖାଦେବ ଏବଂ ଜଳ ଓ ଖାଦ୍ୟ ନିରାପତ୍ତା ପ୍ରତି ଘୋର ବିପଦ ଆସନ୍ନ ବୋଲି ସୂଚାଇଛି। ଏହି ରିପୋର୍ଟ ଅନୁସାରେ, ଅଧିକାଂଶ ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହେବ ଓ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ବନ୍ୟା ବିପର୍ଯ୍ୟୟ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଏହି କାରଣରୁ ଫସଲହାନି ହୋଇପାରେ। ସମୁଦ୍ର ଉତ୍ତାପ, ତଦ୍‌ଜନିତ ଜଳସ୍ତର ବୃଦ୍ଧି ଘଟିବା ଓ ପରିବେଶ ପ୍ରଭାବରୁ ଉପକୂଳବର୍ତ୍ତୀ ମତ୍ସ୍ୟ ସମ୍ପଦ ହ୍ରାସ ପାଇବା ବିଚିତ୍ର ନୁହେଁ। ଏସବୁର ପରିଣାମ ସ୍ବରୂପ ଲୁଣି ପାଣି ମାଡ଼ିଆସି ସମୁଦ୍ର ଉପକୂଳ ଅଞ୍ଚଳର ଫସଲ ଉତ୍ପାଦନକୁ ହ୍ରାସ କରିଦେବ। ସୁତରାଂ ଓଡ଼ିଶା ଉପକୂଳର ସାମୁଦ୍ରିକ ସଂପଦ ଏବଂ କୃଷି ଅର୍ଥନୀତି ଅଧିକ ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି।

ଜଳ ଓ ଖାଦ୍ୟ ନିରାପତ୍ତା ପ୍ରତି ବିପଦ ଆସନ୍ନ
ଆଗକୁ ବଢ଼ିପାରେ ଅଂଶୁଘାତ ଜନିତ ମୃତ୍ୟୁ
ସମୁଦ୍ର ଫୁଲିବ, ବାସଚ୍ୟୁତ ହେବେ ଲୋକେ
ପୂର୍ବ ସୂଚନା ସତ୍ତ୍ବେ ସରକାର ବେଫିକର

publive-image Scroll.in

ବିଶେଷଜ୍ଞମାନଙ୍କର ମତ ହେଉଛି, ଉତ୍ତାପର ଚାପ ବୃଦ୍ଧି ପାଇବା କାରଣରୁ ମଣିଷର ଜୀବନ ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବା ଆରମ୍ଭ ହେଲାଣି। ଜୈବ ବିବିଧତା ନଷ୍ଟ ହେଉଛି ଓ ଆଗକୁ ଉପକୂଳ ଅଞ୍ଚଳର ଲୋକଙ୍କୁ ଅଧିକରୁ ଅଧିକ ବାରମ୍ବାର ବାସସ୍ଥାନ ପରିବର୍ତ୍ତନ କରିବାକୁ ପଡ଼ିପାରେ।

ଭାରତର ଜଳବାୟୁ ପରିବର୍ତ୍ତନ ନେଟଵର୍କର ଆବାହକ ତଥା ବିଶେଷଜ୍ଞ ରଂଜନ ପଣ୍ଡାଙ୍କ କହିବା କଥା ହେଉଛି, ୧୮୮୦ ମସିହା ପରଠାରୁ ଭାରତରେ ୮ରୁ ୯ ଇଞ୍ଚ ପର୍ଯ୍ୟନ୍ତ ସମୁଦ୍ର ପତ୍ତନ ବୃଦ୍ଧି ପାଇଛି।

ଏହି ଶତାଦ୍ଦୀ ଶେଷ ସୁଦ୍ଧା ସମୁଦ୍ର ପତ୍ତନ ୧୨ ଇଞ୍ଚ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ବିଶ୍ବରେ ୧୦ ପ୍ରତିଶତରୁ ଅଧିକ ଲୋକ ଉପକୂଳ ଅଞ୍ଚଳରେ ବସବାସ କରୁଥିବା କାରଣରୁ ସେମାନଙ୍କ ଉପରେ ବିପଦ ରହିବାରେ ଅସ୍ବାଭାବିକତା ଆଦୌ ନାହିଁ।

ଯେହେତୁ ଓଡ଼ିଶା ଉପକୂଳ ଏହି ପ୍ରଭାବରୁ ମୁକ୍ତ ନୁହେଁ ଏଣୁ ଶ୍ରୀ ପଣ୍ଡା ଆହୁରି କହୁଛନ୍ତି ଯେ ଓଡ଼ିଶା ଉପକୂଳ ଏବେ ଅଧିକରୁ ଅଧିକ ବାତ୍ୟା ସାମ୍ନା କରୁଛି। ଏଠାରେ ମଧ୍ୟ ସମୁଦ୍ର ପତ୍ତନ ବୃଦ୍ଧି ଜନିତ ପ୍ରଭାବ ଅନୁଭୂତ େହଲାଣି। ଏବେ ସୁଦ୍ଧା ଓଡ଼ିଶାର ୨୮% ଉପକୂଳ ଅଞ୍ଚଳ ବିପର୍ଯ୍ୟୟ ମୁହଁକୁ ଠେଲି ହୋଇଗଲାଣି। ଭବିଷ୍ୟତରେ ଆଉ ୩୦% ଅଞ୍ଚଳ ସମୁଦ୍ର ଆଁ ଭିତରକୁ ପଶିବା ଆରମ୍ଭ କରିବ। କେନ୍ଦ୍ରାପଡ଼ା ସାତଭାୟା ଏହାର ଗୋଟିଏ ସ୍ପଷ୍ଟ ଉଦାହରଣ। ଲୋକେ ଜନବସତି ଛାଡ଼ିବା ନେଇ ଯେଉଁ ଆକଳନ କରାଯାଉଛି, ତାହା ଉପକୂଳ ଦେଖିସାରିଲେଣି।

publive-image

ଉଲ୍ଲେଖଥାଉକି, ଓଡ଼ିଶା ଉପକୂଳ ସଂପର୍କରେ ଏଭଳି ପୂର୍ବାନୁମାନ ଯେ ହଠାତ୍ ଆସୁଛି, ତା ନୁହେଁ। ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଗଠିତ ଆନ୍ତଃ ମନ୍ତ୍ରାଳୟ ପ୍ୟାନେଲ (ଆଇପିସିସିର ପଞ୍ଚମ) ରିପୋର୍ଟ ମଧ୍ୟ ପୂର୍ବରୁ ସତର୍କ କରିସାରିଛନ୍ତି। ଏହି ରିପୋର୍ଟ କହିଛି ଯେ ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ସାମୁଦ୍ରିକ ଉପକୂଳ ମନୁଷ୍ୟକୃତ କାର୍ଯ୍ୟକଳାପ ଯୋଗୁଁ ଆଶୀର୍ବାଦ ବଦଳରେ ଅଭିଶାପ ପାଲଟିଛି। ବିଶ୍ବ ତାପମାତ୍ରା ବୃଦ୍ଧି କାରଣରୁ ସମୁଦ୍ର ଜଳପତ୍ତନ ବଢ଼ିଚାଲିବ। ସାମୁଦ୍ରିକ ଜୀବଜନ୍ତୁ ପ୍ରଭାବିତ ହେବେ ଏବଂ ଉପକୂଳ ଅ଼ଞ୍ଚଳରେ ବନ୍ୟା, ମୃତ୍ତିକା କ୍ଷୟ ସମେତ ସମୁଦ୍ର ତଟବର୍ତୀ ଅଞ୍ଚଳକୁ ଲୁଣିପାଣି ମାଡ଼ିଯାଇ ବ୍ୟାପକ କ୍ଷୟକ୍ଷତି ଘଟାଇବ। ଏହା ଛଡ଼ା ପୂର୍ବାପେକ୍ଷା ଅଧିକ ସାମୁଦ୍ରିକ ବାତ୍ୟା ସଂଘଟିତ ହେବ ବୋଲି ପୂର୍ବାନୁମାନ କରାଯାଉଛି।

ସେହିଭଳି ୨୦୧୦ରେ ପ୍ରସ୍ତୁତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ ରାଜ୍ୟର ୩୩ ହଜାର ୪୦୦ ବର୍ଗ କିଲୋମିଟର ଉପକୂଳ ଅଞ୍ଚଳ ବନ୍ୟା ପ୍ରବଣ ବୋଲି ସୂଚୀତ କରାଯାଇଛି। ଉତ୍ତରପ୍ରଦେଶ, ବିହାର, ଆସାମ ଓ ପଶ୍ଚିମବଙ୍ଗ ପରେ ଓଡ଼ିଶା ଏ କ୍ଷେତ୍ରରେ ଦେଶରେ ପଞ୍ଚମ ସ୍ଥାନରେ ରହିଛି।

ଆହୁରି ଅଧିକ ସମ୍ବେଦନଶୀଳ କଥା ହେଲା, ରାଜ୍ୟର ଉପକୂଳବର୍ତୀ ଅଞ୍ଚଳରେ ବନ୍ୟାର ପ୍ରଭାବ ହାରାହାରି ୫ରୁ ୧୫ ଦିନ ପର୍ଯ୍ୟନ୍ତ ରହୁଥିବାରୁ ତାହା ଉର୍ବର ଚାଷ ଜମିରେ ଫସଲ ନଷ୍ଟ ଠାରୁ ଆରମ୍ଭ କରି ଜୀବନ ଜୀବିକାେର ଘୋର କ୍ଷତି ଘଟାଉଛି। ଆଖିବୁଜା ଜଙ୍ଗଲ ନଷ୍ଟ, ବ୍ୟାପକ ମୃତ୍ତିକା କ୍ଷୟ ଓ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବନ୍ୟା ନିୟନ୍ତ୍ରଣ ଯୋଗୁଁ ବନ୍ୟା ଜନିତ କ୍ଷୟକ୍ଷତି ଉପକୂଳ ଅଞ୍ଚଳର ଉଭୟ ସାମାଜିକ ଏବଂ ଅର୍ଥନୈତିକ ଜୀବନକୁ ବାରମ୍ବାର ବିପଦ ମୁହଁକୁ ଠେଲି ଦେଉଛି ଏବଂ ଆଗକୁ ଏହି ବିପଦ ଭୀଷଣ ହେବ ବୋଲି ରିପୋର୍ଟରେ ଆଶଙ୍କା କରାଯାଇଛି।

publive-image Down To Earth

ଏହି ରିପୋର୍ଟ ଆହୁରି କହୁଛି ଯେ ବ୍ୟାପକ ମୃତ୍ତିକା କ୍ଷୟ ଯୋଗୁଁ ନଦୀ ଶଯ୍ୟା କ୍ରମଶଃ ପୋତି ହୋଇଯାଉଛି। ଏହି କାରଣ ପାଇଁ ୧୯୮୦, ୧୯୮୨, ୨୦୦୧, ୨୦୦୩, ୨୦୧୧ ଓ ୨୦୧୩ରେ ସଂଗଠିତ ବନ୍ୟା ଅଧିକ ଭୀଷଣ ରୂପ ନେଇଥିଲା। ସେହିଭଳି ୧୯୭୦ ଦଶକ ପରେ ମରୁଡି ବିପର୍ଯ୍ୟୟ ଦ୍ବିଗୁଣିତ ହେବା ପଛରେ ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ ଏବଂ ତଦ୍‌ଜନିତ ତାପମାତ୍ରା ବୃଦ୍ଧି ପ୍ରମୁଖ କାରଣ ବୋଲି ଜଣାପଡୁଛି। ସାମୁଦ୍ରିକ ଜଳସ୍ତରରେ ତାପମାତ୍ରା ବୃଦ୍ଧି ଯୋଗୁଁ ମୌସୁମୀ ପ୍ରଭାବ ଅନିୟମିତ ହେଉଥିବାରୁ ଆଭ୍ୟନ୍ତରୀଣ ତଥା ଉପକୂଳ ଓଡ଼ିଶାରେ ମରୁଡି ବିପର୍ଯ୍ୟୟ ଆହୁରି ବୃଦ୍ଧିପାଇବ ବୋଲି ଆଶଙ୍କା କରାଯାଇଛି।

ପ୍ରଶ୍ନ ଉଠୁଛି, କୃଷି ପ୍ରଧାନ ଓଡ଼ିଶାରେ ମରୁଡି, ବନ୍ୟା ଓ ବାତ୍ୟା ପୂର୍ବାପେକ୍ଷା ଅଧିକ ହେଉଥିବା ବେଳେ ଏହାର ନିରାକରଣ ପାଇଁ ରାଜ୍ୟ ସରକାର କି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି? ଜଳବାୟୁ ପରିବର୍ତ୍ତନ ମୁକାବିଲା ଜନିତ ପାଞ୍ଚବର୍ଷିଆ ଯୋଜନାଗୁଡିକରୁ ଏପର୍ଯ୍ୟନ୍ତ କଣ ଫଳ ମିଳିଲାଣି? ଏ ନେଇ ରାଜ୍ୟ ସରକାର ଚାଲୁ ରହିଥିବା କାର୍ଯ୍ୟକ୍ରମର ନା ତନାଘନା କରୁଛନ୍ତି ନା ନୂଆ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।

ଓଡ଼ିଶା ଅସୁରକ୍ଷିତ ହୋଇଯାଉନି କି?