ଜଳେଶ୍ୱର: ବାଲେଶ୍ବର ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ପାଣିପାଗ ବିଗିଡ଼ି ଯାଉଛି। ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ଉତ୍ତର ବାଲେଶ୍ୱର ଅଞ୍ଚଳରେ କେତେବେଳେ ଜଳବନ୍ଦି ସମସ୍ୟା ତ ଆଉ କେତେବେଳେ ମରୁଡ଼ି ଭଳି ପରିସ୍ଥିତି ଉପୁଜୁଛି। ବାଲେଶ୍ୱର ଜିଲ୍ଲାର ପ୍ରାୟ ୫୦ ପ୍ରତିଶତରୁ ଅଧିକ ଚାଷଜମି ଉତ୍ତର ବାଲେଶ୍ୱରର ୪ଟି ବ୍ଲକ୍‌ ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍‌ରେ ରହିଛି। ବିଗୁଡୁଥିବା ପରିବେଶ ଯୋଗୁଁ ପରିଣାମ ଭୋଗୁଛନ୍ତି ୧.୧୫ ଲକ୍ଷ କୃଷକ ପରିବାର। ଜଳବାୟୁର ସନ୍ତୁଳନ ରକ୍ଷା ପାଇଁ ଉଦ୍ୟମ ନହେଲେ ପରିଣାମ ଭୟଙ୍କର ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

Advertisment

ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଏହି ୪ଟି ବ୍ଲକ୍‌ରେ ମୋଟ ୯୧୫୬୦ ହେକ୍ଟର ଚାଷ ଜମି ରହିଛି। ସେଥିମଧ୍ୟରୁ ୭୯୮୪୦ ହେକ୍ଟର ଜମିରେ କେବଳ ଧାନଚାଷ ହୋଇଥାଏ। ବିଶେଷକରି ଅନିୟମିତ ବର୍ଷା ଚାଷ ପାଇଁ ପ୍ରତିକୂଳ ପରିସ୍ଥିତିକୁ ଡାକି ଆଣୁଛି। ବାଲେଶ୍ୱର ଜିଲ୍ଲାରେ ଚାଷ କାମ ପାଇଁ ଅତିକମ୍‌ରେ ୧୭୫୩ ମିଲିମି. ବର୍ଷାର ଆବଶ୍ୟକତା ରହିଛି। ତେବେ ଚଳିତବର୍ଷକୁ ମିଶାଇ ଗତ ୪ ବର୍ଷର ବୃଷ୍ଟିପାତ ଚାଷ ପ୍ରତି ବିପଦ ଆଣୁଛି। କୃଷି ବିଭାଗର ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ୨୦୨୧ ମସିହାରେ ହାରାହାରି ୨୦୨୫ ମିମି, ୨୦୨୨ରେ ୧୪୯୨ ମିମି, ୨୦୨୩ରେ ୧୦୪୬ ମିମି ଓ ଚଳିତ ୨୦୨୪ରେ ଆଜି ସୁଦ୍ଧା ମାତ୍ର ୫୮୬ ମିମି ବର୍ଷା ହୋଇଛି। ସବୁଠାରୁ ବଡ଼ କଥା, ଯେତିକି ବର୍ଷା ହେଉଛି ସେଥିରେ ପୁଣି ସମାନତା ରହୁନି। ବର୍ଷାଦିନରେ ଗୋଟିଏ ମାସରେ ଅତିକମ୍‌ରେ ୧୫ରୁ ୨୦ ଦିନ ବର୍ଷା ହେବା କଥା। ମାତ୍ର ୫ରୁ ୧୦ ଦିନ ମଧ୍ୟରେ ମାସକର ପୂରା ବର୍ଷା ବର୍ଷିଯାଉଛି। ଫଳରେ ଉତ୍ତର ବାଲେଶ୍ୱର ଅଞ୍ଚଳବାସୀ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗ ରାଜ୍ୟର ଉଦ୍‌ବୃତ୍ତ ପାଣି ସାଙ୍ଗକୁ ଯଦି ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା, ତେବେ ଉପରୋକ୍ତ ୪ଟି ବ୍ଲକ୍‌ର ତଳିଆ ଅଞ୍ଚଳରେ ଥିବା ୪୪୪୨୨ ହେକ୍ଟର ଜମି ବହୁଦିନ ଧରି ବୁଡ଼ି ରହୁଛି।

ଏହାସହ ନିଅଣ୍ଟିଆ ବର୍ଷା ବି ଚାଷ ଉଜାଡୁଛି। ଡିସେମ୍ବର ମାସରୁ ଅପ୍ରେଲ୍‌ ମାସ ଯାଏ ଯେତିକି ସ୍ବାଭାବିକ ବର୍ଷା ହେବା କଥା ସେତିକି ହେଉନି। ଫଳରେ ଚାଷ ଜମି ଫାଟି ଆଁ କରୁଛି। ୩୦୨୧ ହେକ୍ଟର ଜମିରେ ମରୁଡ଼ି ଭଳି ସମସ୍ୟା ସୃଷ୍ଟି ହେଉଛି। ଆଉ ଏହାର ସିଧା ପ୍ରଭାବ ପଡୁଛି ୪ଟି ବ୍ଲକର ୧ ଲକ୍ଷ ୧୫ ହଜାର ୪୧ଟି (୨୦୧୧) କୃଷକ ପରିବାର ଉପରେ। କୃଷି ଶ୍ରମିକଙ୍କ ପରିବାରକୁ ମିଶାଇଲେ ଏହି ସଂଖ୍ୟା ଆହୁରି ଅଧିକ ହେବ। ଏହି ପରିସ୍ଥିତିର ମୁକାବିଲା ପାଇଁ ଜଳ ସଂରକ୍ଷଣ ସକାଶେ ନିରନ୍ତର ଉଦ୍ୟମ ହେବା ଦରକାର। ବୃଦ୍ଧି ପାଉଥିବା ତାପମାତ୍ରାର ହ୍ରାସ କରିବା ପାଇଁ ବୃକ୍ଷରୋପଣ କରିବା ଆବଶ୍ୟକ ବୋଲି ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି।