ଆଜି ବି ପାଗ ମେଘୁଆ, ଏହା ପରଠାରୁ ରାଜ୍ୟର ପାଗ ଶୁଖିଲା ରହିବ

ଭୁବନେଶ୍ବର: ପଶ୍ଚିମା ଝଡ଼ ଓ ପୂର୍ବାଳୀ ତରଙ୍ଗ ବାୟୁ ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନର ପାଗ ଆଂଶିକ ମେଘୁଆ ରହିଥିଲା। କିଛି କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଯାଇଛି। ଏକ ପୂର୍ବାଳୀ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନରୁ ଶ୍ରୀଲଙ୍କା ଓ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ହୋଇ ଗତିକରୁଛି। ଫଳରେ ଆସନ୍ତାକାଲି ମଧ୍ୟ ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଧା, ପୁରୀ, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଏହା ପରଠାରୁ ରାଜ୍ୟର ପାଗ ଶୁଖିଲା ରହିବ। ନିର୍ମଳ ଆକାଶ ଯୋଗୁଁ ଖରା ଟାଣ ହେବ। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ପରିବର୍ତ୍ତନର ବିଶେ‌ଷ ସମ୍ଭାବନା ନାହିଁ। ଫଳରେ ଏବେ ଶୀତ ପ୍ରକୋପ ଅପେକ୍ଷାକୃତ କମ ରହିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳଗୁଡ଼ିକର ପାଗ ଆଂଶିକ ମେଘୁଆ ରହିବ। ସର୍ବୋଚ୍ଚ ଦିନ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୧ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର