ବଦଳିଗଲା ସହରର ପାଗ ମିଜାଜ: ୨ ଦିନରେ ତାପମାତ୍ରା କମିଲା ୫ ଡିଗ୍ରି

କେତେବେଳେ ଝିପିଝିପି, କେତେବେଳେ ପୁଣି ଛେଚିଲା

ଭୁବନେଶ୍ବର: ଡିସେମ୍ବର ଚାଲିଲାଣି, ମାତ୍ର ଶୀତର ଦେଖା ନଥିଲା। ତାପମାତ୍ରା ସ୍ବାଭାବିକ ଠାରୁ ଉପରେ ଥିଲା। କେବେ ଶୀତ ଆସିବ ସମସ୍ତେ ଚାହିଁରହିଥିବା ବେଳେ ଗତକାଲି ରାତିରୁ ବଦଳି ଯାଇଛି ଭୁବନେଶ୍ବର ସହର ପାଗର ମିଜାଜ୍‌। ଆନ୍ଧ୍ର ଉପକୂଳରେ ମାଡ଼ ହୋଇଥିବା ଭୀଷଣ ବାତ୍ୟା ‘ମିଗ୍‌ଜୋମ’ ପ୍ରଭାବରେ କୋହଲା ପାଗ ସାଙ୍ଗକୁ ଥଣ୍ଡା ପବନ ରାଜଧାନୀବାସୀଙ୍କ ଦେହକୁ ଥରାଇ ଦେଇଛି। ରାତି ଯେତିକି ବଢ଼ୁଛି, ପାଗ ସେହି ଅନୁଯାୟୀ ବଦଳିବା ସହ ତାପମାତ୍ରା କମୁଛି।

ଆଜି ସକାଳ ହେବା କ୍ଷଣି କୋହଲା ପାଗ ସାଙ୍ଗକୁ ପବନ ଓ ଝିପିଝିପି ବର୍ଷା ସହରରେ ଶୀତର ଭ୍ରମ ସୃଷ୍ଟି କରିଥିଲା। ଗତ ୩ଦିନର ତାପମାତ୍ରାକୁ ତର୍ଜମା କଲେ ସହରର ତାପମାତ୍ରା ଲଗାତାର ଭାବେ ହ୍ରାସ ପାଉଛି। ୪ ତାରିଖରେ ସହରର ସର୍ବୋଚ୍ଚ ତାପମାତ୍ରା ୨୮.୪ ଡିଗ୍ରି ଓ ସର୍ବନିମ୍ନ ୨୨.୬ ଡିଗ୍ରି ଏବଂ ୫ ତାରିଖରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତା ଯଥାକ୍ରମେ ୨୮.୮ ଓ ୨୧.୫ ଡିଗ୍ରି ଥିଲା। ବାତ୍ୟା ପ୍ରଭାବରେ ରାଜଧାନୀ ତାପମାତ୍ରା ତଳମୁହାଁ ଧରିଛି। ଆଜି ଉଭୟ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ଭିତରେ ହିଁ ରହିଛି। ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୫ ଡିଗ୍ରି ହ୍ରାସ ପାଇବା ସହ ୨୩.୬ ଡିଗ୍ରିରେ ପହଞ୍ଚିଥିବା ବେଳେ ମଙ୍ଗଳବାର ରାତିର ସର୍ବନିମ୍ନ ତାପମାତ୍ରା ୨୦.୪ ଡିଗ୍ରି ରେକର୍ଡ ହୋଇଛି। ଆଜି ରାତିରେ ଥଣ୍ଡା ଜାରି ରହିଥିବାରୁ ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ଦୁଇଦିନ ତୁଳନାରେ ଆଜିର ତାପମାତ୍ରା ୫ ଡିଗ୍ରି କମ୍‌ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଝିପିଝିପି ବର୍ଷା ଲାଗିରହିଥିବାରୁ ସହରର ଜୀବନଯାତ୍ରା ବହୁ ପରିମାଣରେ ପ୍ରଭାବିତ ହୋଇଛି।

କୋହଲା ପାଗ ସାଙ୍ଗକୁ ବର୍ଷା ହେଉଥିବାରୁ ବାଇକ୍‌ଚାଳକମାନେ ବର୍ଷାରୁ ରକ୍ଷା ପାଇଁ ରେନ୍‌କୋର୍ଟ ପିନ୍ଧିବେ ନା ଥଣ୍ଡାର ମୁକାବିଲା କରିବାକୁ ସ୍ବେଟର ବା ଜ୍ୟାକେଟ୍‌ ପିନ୍ଧିବେ, ଦ୍ବନ୍ଦ୍ବରେ ପଡ଼ିଛନ୍ତି। ପବନ ସାଙ୍ଗକୁ ଝିପିଝିପି ବର୍ଷା ହେଉଥିବାରୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଖୁବ୍‌ କମ୍‌ ରହିଥିଲା। ହାଟ ଓ ବଜାର ପ୍ରାୟତଃ ଫାଙ୍କି ଥିଲା। ସକାଳୁ କାମକୁ ବାହାରିଥିବା ଶ୍ରମିକମାନଙ୍କ ଭିତରୁ ଅନେକ କାମ ନ ପାଇ ନିରାଶ ହୋଇଛନ୍ତି। ଶ୍ରମିକ ହାଟରେ ଛିଡ଼ା ହୋଇଥିଲେ ମଧ୍ୟ ବର୍ଷା ହେଉଥିବାରୁ ସେମାନଙ୍କୁ କେହି ନେଇ ନ ଥିଲେ। ଦିନସାରା ଝିପିଝିପି ବର୍ଷା ହେଉଥିଲେ ମଧ୍ୟ ମଝିରେ ମଝିରେ ବଡ଼ ବର୍ଷା ଦ୍ବାରା ପାଣି ବାବଦରେ ଦୁର୍ନାମ ଥିବା ସହରର ଅନେକ ଅଞ୍ଚଳର ରାସ୍ତାରେ ପାଣି ଜମି ଯାଇଥିଲା। ରସୁଲଗଡ଼-ବମିଖାଲ ରାସ୍ତାରେ ପାଣିଧାର ଚାଲିଥିଲା। ସେହିପରି ଜୟଦେବବିହାର ଭଳି କିଛି ସ୍ଥାନରେ ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହୋଇଥିଲା। ଆଜି ସକାଳ ୮ଟା ୩୦ରୁ ଅପରାହ୍‌ଣ ୨ଟା ୩୦ ମଧ୍ୟରେ ଭୁବନେଶ୍ୱରରେ ୨୦.୯ ମିମି ବର୍ଷା ରେକର୍ଡ କରାଯାଇଥିଲା। ଅନେକ ଅଞ୍ଚଳରେ ସନ୍ଧ୍ୟା ପରେ ମଧ୍ୟ ବର୍ଷା ଲାଗିରହିଥିବାରୁ ଲୋକେ ଥଣ୍ଡାରେ ଥରୁଛନ୍ତି।

ସମ୍ବନ୍ଧିତ ଖବର