୬ରୁ ବଦଳିବ ପାଗ, ଲାଗି ରହିବ ବର୍ଷା

ଭୁବନେଶ୍ବର : ରାଜ୍ୟରେ ଦିନ ତାପମାତ୍ରା ତଥା ଆଦ୍ରତା ଅଧିକ ଥିବାରୁ କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଉଥିବା ଦେଖିବାକୁ ମିଳୁଛି। ରାଜ୍ୟରେ ଏବେ ବି ମୌସୁମୀ ବିରତି ସ୍ଥିତି ଲାଗିରହିଛି। ମୌସୁମୀ ଟ୍ରଫ୍‌ଲାଇନ୍‌ର ପଶ୍ଚିମ ଭାଗ ସମୁଦ୍ର ପତ୍ତନଠାରୁ ଭଟିଣ୍ଡା, ରୋହତକ୍‌, ଶାହାଜାହାନପୁର ଯାଏ ଲମ୍ବିଥିବା ବେଳେ ପୂର୍ବ ଭାଗ ହିମାଳୟ ପାଦଦେଶ ଯାଏ ଲମ୍ବିଛି। ଫଳରେ ରାଜ୍ୟରେ ଏବେ ମୌସୁମୀର ପ୍ରଭାବ ଦୁର୍ବଳ ରହିଛି। ଆଜି ମଧ୍ୟ ରାଜ୍ୟର ଦିନ ତାପମାତ୍ରା ଅଧିକ ରହିବ। ଖରା ପ୍ରଚଣ୍ଡ ହେବ। ତାପମାତ୍ରା ଅଧିକ ଯୋଗୁଁ ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ପୁରୀ, କଟକ, ଖୋର୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଆଦି ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ୬ ତାରିଖରୁ ରାଜ୍ୟର ପାଗରେ ପରିବର୍ତ୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ୬ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବୃଦ୍ଧି ପାଇବ। ସେ ଦିନ କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ଖୋର୍ଧା, ପୁରୀ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିଭଳି ୭ ତାରିଖ ଦିନ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଜଣାପଡ଼ିଛି। ୮ ତାରିଖରେ ଉପକୂଳ ସମେତ ରାଜ୍ୟର ପ୍ରାୟ ସ୍ଥାନରେ ପ୍ରବଳ ବର୍ଷିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଜି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା‌ ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର