ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଧଳା କୁମ୍ଭୀର ‘ମଲ୍ଲୀ’ ମା’ ହେବା ଜିଦ୍ରେ ଅଟଳ। ଆବଦ୍ଧ ପୋଖରୀ ମଧ୍ୟରେ ମଲ୍ଲୀ ଅଣ୍ତା ବସା କରି ଅଣ୍ତା ଦେଇଛି। ମଲ୍ଲୀର ଆଚରଣରେ ପ୍ରାୟ ସପ୍ତାହ ହେଲା ଅସ୍ବାଭାବିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭିତରକନିକାର ଦ୍ବିତୀୟ ଧଳା କୁମ୍ଭୀର ମଲ୍ଲୀ ପୂର୍ବରୁ ୬ଥର ଅଣ୍ତା ଦେଇଥିଲେ ମଧ୍ୟ ସେଥିରୁ ଛୁଆ ବାହାରି ନଥିଲା। ଏଥର ପୁଣି ବସା କରି ଅଣ୍ତା ଦେଇ ବସାକୁ ଜଗି ରହିଛି। ମଲ୍ଲୀ ପୁରୁଷ କୁମ୍ଭୀର ସହ ମିଳନ ପକ୍ରିୟାରେ ସାମିଲ ହୋଇନଥିବାରୁ ଦେଇଥିବା ଅଣ୍ତାରୁ ଛୁଆ ବାହାରିବାକୁ ନେଇ ସନ୍ଦେହ ରହିଛି। ଦେଶର ପ୍ରଥମ ବଉଳା ଧଳା କୁମ୍ଭୀର ଗୋରୀ ଜନ୍ମ ହେବାର ୫୦ବର୍ଷ ପରେ ବି ଆଜି ଯାଏଁ ମା’ ହୋଇପାରିନି।
ଧଳା କୁମ୍ଭୀର ଭାରତର ଅନ୍ୟ କୌଣସି ସ୍ଥାନରେ ଦେଖା ଯାଆନ୍ତି ନାହିଁ। ଗୋରୀ ଜନ୍ମ ହେବାର ୨୯ ବର୍ଷ ପରେ ୨୦୦୩ ମସିହାରେ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ଲାଗିଥିବା ବାଙ୍କୁଆଳ ଗାଁର ପଛ ଜଙ୍ଗଲରୁ ଏକା ସାଙ୍ଗରେ ୨ଟି ଧଳା କୁମ୍ଭୀର ଛୁଆ ଦେଖିବାକୁ ମିଳିଥିଲା। ବନ କର୍ମଚାରୀ ଜାଲ ସାହାଯ୍ୟରେ ଦୁଇଟି ଧଳା କୁମ୍ଭୀର ଛୁଆଙ୍କୁ ଧରିଥିଲେ। ଏହି ଦୁଇଟିଙ୍କୁ ଗୋରୀ ଓ ମଲ୍ଲୀ ନାଁ ରଖାଯାଇଥିଲା। ମଲ୍ଲୀ ୫୦ ଡିସିମିଲ ବିଶିଷ୍ଟ ଆବଦ୍ଧ ପୋଖରୀରେ ଜୀବନ ବିତାଉଛି। ମଲ୍ଲୀ ଚଳିତ ବର୍ଷ ଆବଦ୍ଧ ପୋଖରୀର ଉଚ୍ଚା ସ୍ଥାନରେ କାଠି, କୁଟା ଓ ଖରଖରି ପତ୍ର ଠୁଳ କରି ବସା ବାନ୍ଧିବା ସହ ଅଣ୍ତା ଦେଇ ବସାକୁ ଜଗି ରହିଛି। ପୂର୍ବରୁ ବନ କର୍ମଚାରୀ ପୋଖରୀ ନିକଟରେ ପହଁଚି ମଲ୍ଲୀ ନାଁ ଧରି ଡାକିଦେଲେ, ମଲ୍ଲୀ ଖାଇବା ପାଇଁ ଦୌଡି ଆସୁଥିଲା। ମାତ୍ର ୮ଦିନ ହେଲା ସେ ଆଉ ବୋଲ ମାନୁନି ଏବଂ ଅଧିକ ହିଂସ୍ର ହୋଇ ଆକ୍ରମଣ ପାଇଁ ଗୋଡାଉଛି। ମଲ୍ଲୀ ୨୦୧୮ ମସିହାରେ ପ୍ରଥମ ଥର ପାଇଁ ୧୮ଟି ଅଣ୍ତା ଦେଇଥିଲା। ପୁରୁଷ କୁମ୍ଭୀର ସହ ମଲ୍ଲୀ ମିଳନ ପକ୍ରିୟାରେ ସାମିଲ ହୋଇନଥିବାରୁ ସେ ଅଣ୍ତାରୁ ଛୁଆ ବାହାରି ନଥିଲା। ୨୦୧୯ରେ ୨୪ଟି, ୨୦୨୦ରେ ୧୮ଟି, ୨୦୨୧ରେ ୨୭ଟି, ୨୦୨୨ରେ ୨୯ଟି, ୨୦୨୩ରେ ୨୩ଟି ଅଣ୍ତା ଦେଇଥିଲେ ମଧ୍ୟ ସେ ଅଣ୍ତାରୁ ଛୁଆ ବାହାରି ନଥିଲେ।
ଭାରତର ପ୍ରଥମ ଧଳା କୁମ୍ଭୀର ଗୋରୀକୁ ୧୨ ବର୍ଷ ହେବା ପରେ ଅର୍ଥାତ ୧୯୮୭ ମସିହାରେ ତା’ ସହ ପୁରୁଷ କୁମ୍ଭୀରର ମିଳନ ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଗୋରୀ କାହାକୁ ଉପଯୁକ୍ତ ସାଥି ଭାବେ ଆଜି ଯାଏଁ ଗ୍ରହଣ କରିନି କି ମା’ ହୋଇପାରିନି। ଏ ସଂପର୍କରେ ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ କହିଛନ୍ତି ଯେ ପୂର୍ବରୁ ଗୋରୀ ସହ ପୁରୁଷ କୁମ୍ଭୀରର ମିଳନ ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ସେଥିରେ ଗୋରୀ କ୍ଷତାକ୍ତ ହୋଇଥିଲା। ପୁରୁଷ କୁମ୍ଭୀର ସହ ମଲ୍ଲୀର ମିଳନ ବ୍ୟବସ୍ଥା କଲେ ଗୋରୀ ପରି କ୍ଷତାକ୍ତ ହେବାର ଆଶଙ୍କା ରହିଛି। ସେଥିପାଇଁ କୁମ୍ଭୀର ବିଷାରଦଙ୍କ ସହ ଆଲୋଚନା କରି ଯାହାକିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/sfsfhshhsfsfh.jpg)