ଥରୁଛି ସାରା ଓଡ଼ିଶା, ଆଗାମୀ ୨ ଦିନ ପ୍ରବଳ ଜାଡ଼

୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ, ୬ ଡିଗ୍ରି ତଳେ ଫୁଲବାଣୀ

ଭୁବନେଶ୍ବର: ଶୀତରେ ଥରୁଛି ପୂରା ଓଡ଼ିଶା। ରାଜ୍ୟରେ ଲଗାତାର ପାରଦ ସ୍ତର ଖସୁଥିବା ବେଳେ ଗତ ଦୁଇ ଦିନ ଭିତରେ ବିଭିନ୍ନ ସ୍ଥାନର ସର୍ବନିମ୍ନ ତାପମାତ୍ରା ୫ଡିଗ୍ରି ପର୍ଯ୍ୟନ୍ତ ଖସି ଯାଇଛି। ଆସନ୍ତା ୨/୩ ଦିନ ମଧ୍ୟରେ ତାପମାତ୍ରା ଆହୁରି ୪ ଡିଗ୍ରି ଖସିବ। ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାକୁ ନଜରରେ ରଖି କେନ୍ଦ୍ର ପକ୍ଷରୁ ୫ ଜିଲ୍ଲା ଯଥା ମୟୂରଭଞ୍ଜ, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାବ୍ୟତୀତ ୧୧ ଜିଲ୍ଲା ଯଥା କୋରାପୁଟ, କନ୍ଧମାଳ, ବାଲେଶ୍ବର, କେନ୍ଦୁଝର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଢେଙ୍କାନାଳ, କଟକ ଓ ଦେବଗଡ଼ ଆଦି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳ ଶୀତ ଯୋଗୁଁ ଶରୀର ଅସୁସ୍ଥ ହେବା, ନାକରୁ ରକ୍ତ ବାହାରିବା ଭଳି ସମସ୍ୟାକୁ ଏଡ଼ାଇବାକୁ ଏହି ଜିଲ୍ଲାର ଲୋକମାନେ ରାତିରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଅପରପକ୍ଷେ ସମସ୍ତ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌(ଏସ୍‌ଆର୍‌ସି) ପ୍ରଦୀପ ଜେନା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

କେନ୍ଦ୍ରର ସୂଚନା ଅନୁଯାୟୀ, ଏହିଭଳି ଥଣ୍ଡା ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ। ଓଡ଼ିଶାକୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହୋଉଥିବାରୁ ରାଜ୍ୟରେ ଏଭଳି ଜାଡ଼ ଅନୁଭୂତ ହେଉଛି। ୨୧ ତାରିଖ ରାତିରୁ ୨୨ତାରିଖ ସକାଳ ପର୍ଯ୍ୟନ୍ତ ବି ରାଜ୍ୟରେ ପ୍ରବଳ ଶୀତ ଲହରି ପ୍ରବାହିତ ହେବ। ଏଣୁ ଏହି ଦିନ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୩ ତାରିଖ ଦିନ ଶୀତ ପ୍ରକୋପ ସାମାନ୍ୟ କମିବ। ସେହିଦିନ ୧୦ ଜିଲ୍ଲା ପାଇଁ ୟେଲୋ ୱାଣ୍ଣିଂ ଜାରି ହୋଇଛି। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତର ଜିଲ୍ଲା ସମେତ ଉପକୂଳ ଜିଲ୍ଲାଗୁଡ଼ିକର ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି କମ୍‌ ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟରେ ଶୀତ ପ୍ରବାହ ବଢ଼ିଛି। କିନ୍ତୁ ୨୨ତାରିଖରୁ ରାଜ୍ୟ‌ରେ ଶୀତ କିଛି ପରିମାଣ‌‌ରେ କମିବ ଓ ୨୭ ତାରିଖରେ ଆଉ ଟିକେ କମିବ। ଏଥିସହ ଦିନର ସର୍ବ‌ାଧିକ ତାପମାତ୍ରା ମଧ୍ୟ ଏହି ସପ୍ତାହରେ ବଢ଼ିବ। ଉତ୍ତର ଓଡ଼ିଶାରେ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଦିନର ସର୍ବାଧିକ ତାପମାତ୍ରା କ୍ରମଶଃ ବଢ଼ି ୨୯ ତାରିଖ ସୁଦ୍ଧା ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ହୋଇଯିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ୨୮ ତାରିଖ ସୁଦ୍ଧା ଦିନର ସର୍ବାଧିକ ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଏଥିସହ ଏସବୁ ଅଞ୍ଚଳରେ କୁହୁଡ଼ି ବି ପଡ଼ିବ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୫.୫ ଡିଗ୍ରି ସେଲ୍‌ସିୟସ୍‌ କନ୍ଧମାଳ ଜିଲ୍ଲା ଫୁଲବାଣୀଠାରେ ରେକର୍ଡ ହୋଇଛି। ଏହାବାଦ୍‌ ରାଜ୍ୟର ଅନ୍ୟ ୯ଟି ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସିଛି। ସେଥିମଧ୍ୟରୁ ଝାରସୁଗୁଡ଼ା ୭.୬ ଡିଗ୍ରି ଓ ବାରିପଦାରେ ୮.୬ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର