ବଲାଙ୍ଗୀର: ରାଜ୍ୟର ଦାଦନପ୍ରବଣ ଜିଲ୍ଲା ତାଲିକାରେ ରହିଛି ବଲାଙ୍ଗୀର। ଜିଲ୍ଲାର ବେଲପଡ଼ା ବ୍ଲକ୍‌ରୁ ପ୍ରତିବର୍ଷ ସର୍ବାଧିକ ଦାଦନ ଶ୍ରମିକ ବାହାର ରାଜ୍ୟକୁ ପେଟ ପୋଷିବାକୁ ଯାଇଥା’ନ୍ତି। ୨୦୧୧ ଜନଗଣନା ଅନୁସାରେ, ବ୍ଲକ୍‌ର ଜନସଂଖ୍ୟା ହେଲା ୧,୧୬,୧୩୬। ଚକିତ କଲା ଭଳି ପରିସଂଖ୍ୟାନ ହେଲା, ଏହି ବ୍ଲକ୍‌ର ଏକ ଚତୁର୍ଥାଂଶ ଲୋକ ପ୍ରତିବର୍ଷ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଅର୍ଥାତ୍‌, ୩୦ ହଜାର ଲୋକ ପ୍ରତିବର୍ଷ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି। ପ୍ରତି ଗାଁରୁ ଗଣପର୍ବ ନୂଆଁଖାଇ ସରିଲେ ବାହାର ରାଜ୍ୟକୁ ଦାଦନ ସୁଅ ଛୁଟିଥାଏ। ଗତ ତିନିମାସ ଭିତରେ ବେଲପଡ଼ା ବ୍ଲକ୍‌ର ୪ ଜଣ ଦାଦନ ଶବ ‌ହୋଇ ଭିଟାମାଟିକୁ ଫେରିଛନ୍ତି। ଏହି ବ୍ଲକ୍‌ର ଦାଦନ ଦୁଃଖ ପରଖିବାକୁ ‘ସମ୍ବାଦ’ ଟିମ୍‌ ଡୁଙ୍ଗୁରିପାଲି କଲୋନିପଡ଼ାଠାରେ ପହଞ୍ଚିଥିଲେ। କଲୋନିପଡ଼ାରେ ୩୦ ବର୍ଷ ଧରି ବସବାସ କରୁଛନ୍ତି ୨୦ଟି ପରିବାର। ନିକଟରେ ନୂଅଁାଖାଇ ସରିବାପରେ ଗଁାର ଲୋକମାନେ ଦାଦନ ଖଟିବାକୁ ବାହାର ରଜ୍ୟକୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ଗଁାରେ ବୃଦ୍ଧବୃଦ୍ଧାଙ୍କୁ ଛାଡ଼ିଦେଲେ ଆଉ କେହି ନାହାନ୍ତି, ଯେଉଁମାନେ କି ଗୋଟିଏ ବଖରାର ଇନ୍ଦିରା ଆବାସକୁ ଜଗି ରହିଛନ୍ତି।

Advertisment

ଆଉ କିଛି ଦାଦନଙ୍କ ଘରର କବାଟ, ଝରକା ସ୍ଥାନରେ ଇଟା ଓ ମାଟି ଦେଇ ସିଲ୍‌ କରାଯାଇଛି। କଥାବାର୍ତ୍ତା ବେଳେ ଜଣାପଡ଼ିଲା ଯେ ଦାଦନ ସର୍ଦ୍ଦାର ଜଣପିଛା ୩୦ ହଜାର ଟଙ୍କା ଦେଇ ସମସ୍ତଙ୍କୁ ବାହାର ରାଜ୍ୟର ଇଟାଭାଟିକୁ ନେଇଯାଇଛି। ଚିନ୍ତାଜନକ ବିଷୟ ହେଉଛି, ଏହି ଛୋଟ ଗଁାରେ ସ୍ଥାପିତ ପରଦେଶେନ୍‌, ବାବୁରାଏ ଏବଂ ବୁଢ଼ୀ ମାଁ ଆଦି ଦେବଦେବୀଙ୍କ ନୀତିକାନ୍ତି ପାଇଁ କେହି ନାହାନ୍ତି। ଏପରିକି, ଭୋଗ ଲଗାଇବା ପାଇଁ ସେମାନଙ୍କ ପାଖରେ ସମ୍ବଳ ନଥିବା ‘ସମ୍ବାଦ’ ସହିତ କଥାବାର୍ତ୍ତା ବେଳେ କେ‌ତେଜଣ ବୃଦ୍ଧବୃ୍ଦ୍ଧା କହିଛନ୍ତି। ‘ଦାଦନ ଖଟିବାକୁ ଯାଇଥିବା ପୁଅବୋହୂ ମାସକୁ କିଛି ଟଙ୍କା ପଠାଇଥା’ନ୍ତି। ସେତିକି ଟଙ୍କା‌ରେ ଭଲକରି ଗଣ୍ଡାଏ ଖାଇବାକୁ ନିଅଣ୍ଟ। ଏଭଳି ନିଅଣ୍ଟିଆ ସ୍ଥିତିରେ ଦେବଦେବୀଙ୍କୁ ଭୋଗ ଲଗାଇବାକୁ କେମିତି?’, ବୋଲି କହିଛନ୍ତି ଜଣେ ବୃଦ୍ଧବ୍ୟକ୍ତି।