୪ ବର୍ଷ ହେଲା ନ୍ୟାୟ ପାଇଁ ବିଧବା ମହିଳାଙ୍କ ସଂଘର୍ଷ

ଗୁଳି କରି ସ୍ବାମୀଙ୍କୁ ହତ୍ୟା କରିଥିଲେ ପିଏଲ୍‌ଏଫ୍‌ଆଇ

ରାଉରକେଲା/ନୂଆଗାଁ: ପିଏଲ୍‌ଏଫ୍‌ଆଇ ଗୁଳିରେ ମୃତ୍ୟୁ ହୋଇଥିବା ହରିଦର୍ଶନ ସାହୁଙ୍କ ପତ୍ନୀଙ୍କୁ ନ୍ୟାୟ ମିଳୁନି । ହତ୍ୟାକାରୀ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। କିନ୍ତୁ ପ୍ରଶାସନ ମୃତକଙ୍କ ପରିବାରକୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଛନ୍ତି। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ହରିଦର୍ଶନଙ୍କ ବିଧବା ପତ୍ନୀ ରାଜମୁନି ସାହୁ ବର୍ଷେ କି ଦୁଇ ବର୍ଷ ନୁହେଁ ୪ ବର୍ଷ ଧରି ଦୌଡୁଛନ୍ତି। କେତେବେଳେ ଜିଲ୍ଲାପାଳ, ବିଡିଓ ତ ଅନ୍ୟ କେତେବେଳେ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ବାରମ୍ବାର ନିଜର ଦୁଃଖ ଜଣାଇଛନ୍ତି। ସ୍ବାମୀଙ୍କ ମୃତ୍ୟୁ ବେଳେ ପ୍ରଶାସନ ଦେଇଥିବା ଚାକିରି ପ୍ରତିଶ୍ରୁତି ରକ୍ଷା କରିବାକୁ ଗୁହାରି କରିଛନ୍ତି। ଜିଲ୍ଲାପାଳ, ବିଡିଓ ନା ଏସ୍‌ପି କେହି ତାଙ୍କ ଦୁଃଖ ଶୁଣୁ ନାହାନ୍ତି ବୋଲି ରାଜମୁନି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଦୁଇ ଝିଅ ଓ ପୁଅଙ୍କ ପ୍ରତିପୋଷଣ ପାଇଁ ଜିଲ୍ଲାପାଳ ତାଙ୍କୁ ମାସିକ ୨୦ ହଜାର ଟଙ୍କା ଚାକିରି ପ୍ରତିଶ୍ରୁତି ଦେଇଥିଲେ। ମାସ ପରେ ମାସ ବିତିଯାଇଥିଲେ ହେଁ ଜିଲ୍ଲା ପ୍ରଶାସନ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଛନ୍ତି। କେବଳ ଏତିକି ନୁହେଁ ସେ ବାରମ୍ବାର ନୂଆଗାଁ ବିଡିଓଙ୍କ ନିକଟରେ ଗୁହାରି କରିଛନ୍ତି। ବିଡିଓ ଜିଲ୍ଲାପାଳଙ୍କ ଚିଠିକୁ ଅପେକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କଠାରୁ  ଏ ସମ୍ପର୍କିତ ଚିଠି ପାଇବା ପରେ ତଦନ୍ତ କରି ପଦକ୍ଷେପ ନେବୁ ବୋଲି ବିଡିଓ ରାଜମୁନିଙ୍କୁ କହିଛନ୍ତି। ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହି ଯାଇଛି।  ସବୁଠୁ ନିରାଶ ହେବା ପରେ ରାଜମୁନି ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତିକୁ ଚାହିଁ ବସିଛନ୍ତି। କେବଳ ଚାହିଁ ବସିନାହାନ୍ତି , ନ୍ୟାୟ ପାଇ ୪ ବର୍ଷ ଧରି ସଂଘର୍ଷ ଜାରି ରଖିଛନ୍ତି। ଜିଲ୍ଲା ପ୍ରଶାସନଙ୍କ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ମୋର ସଂଘର୍ଷ ଜାରି  ରହିବ ବୋଲି ସେ କହିଛନ୍ତି।

ସେପଟେ ଚାକିରି ମିଳି ନଥିବାରୁ  ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଛି।  ପିଲାଛୁଆଙ୍କ ପେଟରେ ଦାନା ଦେବାକୁ ନିଜ ଗାଁରେ ଛୋଟିଆ ଦୋକାନ କରିଛନ୍ତି। ଏଥିରୁ ଯାହା କିଛି ରୋଜଗାର କରୁଛନ୍ତି, ସେଥିରେ ଦୁଇ ଝିଅ ଓ ପୁଅଙ୍କୁ ପାଠ ପଢ଼ାଉଛନ୍ତି। ସ୍ବାମୀଙ୍କୁ ହତ୍ୟା କରାଯିବା ବେଳେ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ରଖନ୍ତୁ ବୋଲି ସେ ଗୁହାରି କରିଛନ୍ତି। ଉଲ୍ଲେଖଯୋଗ୍ୟ, ନୂଆଗାଁ ବ୍ଲକ ବାରିଲେପ୍‌ଟା ଗାଁରେ ହରିଦର୍ଶନ ସାହୁ ପରିବାର ସହ ରହନ୍ତି। ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ।

ଗତ ୨୦୧୮ ମାର୍ଚ୍ଚ ୬ରେ ରାଜମୁନିଙ୍କ ସ୍ବାମୀ ହରିଦର୍ଶନ ସାହୁଙ୍କୁ ପିଏଲ୍‌ଏଫ୍‌ଆଇ ଗୁଳି କରି ହତ୍ୟା କରିଥିଲେ। ସେହି ଦିନ ସେ ବିଶ୍ରା ଥାନା ଅନ୍ତର୍ଗତ ଜନଗହଳିପୂର୍ଣ୍ଣ ସବ୍‌ଡେଗା ସାପ୍ତାହିକ ବଜାରକୁ ଧାନ ବିକିବାକୁ ଆସିଥିଲେ। ତିନି ପିଏଲ୍‌ଏଫ୍‌ଆଇ ପହଞ୍ଚି  ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଦୁଇଟି ଗୁଳି ତାଙ୍କ ବାମ ଛାତିକୁ ‌ଭେଦି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେତେବେଳେ ବିଧବା ପତ୍ନୀଙ୍କୁ ଜିଲ୍ଲା  ପ୍ରଶାସନ ମାସିକ ୨୦ ହଜାର ଟଙ୍କା ଦରମାରେ ଚାକିରି ଦେବାକୁ  ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର