ଥାନା ଅଧିକାରୀଙ୍କ ବିରୋଧରେ ଫେରାଦ ହେଲେ ପୁଲିସ କର୍ମଚାରୀଙ୍କ ପତ୍ନୀ

ପାଣିକୋଇଲି: ସୁକିନ୍ଦା ଥାନା ଅଧିକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ପୁଲିସ କର୍ମଚାରୀ ସୁକୁମାର ସ୍ବାଇଁଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି। ହେଲେ ଏହି ଘଟଣାରେ ଏତଲା ଗ୍ରହଣ କରାନଯିବା ପ୍ରତିବାଦରେ ପୀଡ଼ିତ ପୁଲିସ କର୍ମଚାରୀଙ୍କ ପତ୍ନୀ ନିବେଦିତା ସ୍ବାଇଁ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପି ରାହୁଲ ପି.ଆର.ଙ୍କୁ ଭେଟି ଅଭିଯୋଗ କରିଛନ୍ତି। ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିବେଦିତା ଚେତାବନୀ ଦେଇଛନ୍ତି।

ଅଭିଯୋଗ ମୁତାବକ, ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଡ୍ରାଇଭର ଭାବେ କାର୍ଯ୍ୟରତ ସୁକୁମାରଙ୍କୁ ଗତ ମାର୍ଚ୍ଚ ୨ ତାରିଖରେ ସୁକିନ୍ଦା ଥାନାକୁ ପଠାଯାଇଥିଲା। ୩ ତାରିଖରେ ସେ ଥାନାଧିକାରୀ ଶିବ ଚରଣ ବେହେରାଙ୍କୁ ଭେଟି ଅସୁସ୍ଥ ଥିବା ଦର୍ଶାଇ ଛୁଟି ଆବେଦନ କରିଥିଲେ। ହେଲେ ତାଙ୍କୁ ଛୁଟି ମିଳିନଥିଲା। କାମ କରୁଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ସୁକିନ୍ଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କୁ ସାଲାଇନ୍‌ ଦିଆଯାଇଥିବା ବ‌େଳେ ତାଙ୍କ ମା’ କିରଣ ସ୍ବାଇଁ, ସାନଭାଇ ସର୍ବେଶ୍ବର ଓ ଧର୍ମେନ୍ଦ୍ର ପହଞ୍ଚିଥିଲେ। ସନ୍ଧ୍ୟାରେ ଥାନାଧିକାରୀ ଶ୍ରୀ ବେହେରା ସେଠ‌ାରେ ପହଞ୍ଚି ସୁକୁମାରଙ୍କୁ ମାଡ଼ ମାରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରିବାରୁ ତାଙ୍କ ମା’ ଓ ଦୁଇ ଭାଇଙ୍କୁ ଥାନାଧିକାରୀ ଅସଦାଚରଣ କରିଥିଲେ ଏବଂ ସମସ୍ତଙ୍କୁ ଗିରଫ କରିଥିଲେ ବୋଲି ନିବେଦିତା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର