ବୈପାରିଗୁଡା: ଗୁପ୍ତେଶ୍ୱରଙ୍କ ଦର୍ଶନ କରିବାକୁ ଯାଇ ଜଣେ ମହିଳା ନିଖୋଜ ହୋଇଯାଇଛନ୍ତି। ନବରଙ୍ଗପୁର ଥାନା ଅଞ୍ଚଳର ସିନ୍ଧିଗୁଡା ଗ୍ରାମର ଲବ ମହାପାତ୍ର ତାଙ୍କ ପତ୍ନୀ ବାସନ୍ତୀ ମହାପାତ୍ର (୫୫) ରବିବାର ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ଯାଇଥିଲେ। ହେଲେ ଦର୍ନଶନ ପରେ ନବରଙ୍ଗପୁର ଫେରିବା ପାଇଁ ଗାଡ଼ି ନଥିବା ଯୋଗୁଁ ସେଠାରେ ରାତ୍ରୀଯାପନ କରିଥିଲେ। ସୋମବାର ଭୋରରୁ ବାସନ୍ତୀ ଶୌଚ ହେବା ନିମନ୍ତେ ବାହାରକୁ ଯାଇଥିଲେ। ଦୀର୍ଘ ସମୟ ଧରି ନଫେରିବାରୁ ତାଙ୍କ ସ୍ବାମୀ ଲବ ମହାପାତ୍ର ଆଖପାଖ ଅଞ୍ଚଳ ଖୋଜିବା ସହ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ।
ସ୍ଥାନୀୟ ଲୋକେ ଖୋଜିଥିଲେ ବି ବାସନ୍ତୀଙ୍କର ପତ୍ତା ମିଳି ନଥିଲା। ଲବ ମହାପାତ୍ର ନିଜ ପୁଅକୁ ଫୋନ୍ ଯୋଗେ ଖବର ଜଣାଇବାରୁ ପରିବାରର କିଛି ସଦସ୍ୟ ଗୁପ୍ତେଶ୍ୱରରେ ପହଞ୍ଚି ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ବାସନ୍ତୀଙ୍କର ସନ୍ଧାନ ପାଇନଥିଲେ। ଶେଷରେ ଲବ ମହାପାତ୍ର ରାମଗିରି ଥାନାରେ ନିଜ ପତ୍ନୀ ବାସନ୍ତୀଙ୍କ ନିଖୋଜ ସଂପର୍କରେ ଏତଲା ଦେଇଛନ୍ତି। ରାମଗିରି ପୁଲିସ ଗୁପ୍ତେଶ୍ୱର ପହଞ୍ଚି ବାସନ୍ତୀଙ୍କୁ ଖୋଜିବା ପାଇଁ ଚେଷ୍ଟା କରିଥିଲେ। ଗୁପ୍ତେଶ୍ୱରରେ ବହି ଯାଉଥିବା ଶାବରୀ ନଦୀରେ କାଳେ ବୁଡ଼ି ଯାଇଥିବେ ଏହା ସନ୍ଦେହ କରି ବୈପାରିଗୁଡା ଅଗ୍ନିଶମ ବାହିନୀକୁ ସୂଚନା ପ୍ରଦାନ କରାଯାଇଛି। ତେବେ ମଙ୍ଗଳବାର ଅଗ୍ନିଶମ ବାହିନୀ ଗୁପ୍ତେଶ୍ୱର ପହଞ୍ଚିବେ ବୋଲି ଏଏସ୍ଆଇ ବଳରାମ ହିକକା ପ୍ରକାଶ କରିଛନ୍ତି।