ରାଜକନିକା: ପୁଅ ଓ ସ୍ବାମୀଙ୍କ ଅବହେଳା ପ୍ରତିବାଦରେ ରାଜକନିକା ଥାନାରେ ଏତଲା ଦେଇଥିଲେ। ପୁଲିସ ବୁଝିବା ବଦଳରେ ନ୍ୟାୟ ପାଇଁ ପଞ୍ଚାୟତକୁ ପଠାଇ ଦେଇଥିଲା। ସେଠାରୁ ବି ନ୍ୟାୟ ନ ମିଳିବାରୁ ଆଜି ସଂଧ୍ୟାରେ ପୁଣି ମହିଳା ଜଣକ ରାଜକନିକା ଥାନାରେ ଦ୍ବିତୀୟ ଏତଲା ଦେବାସହ ଥାନାଠାରୁ ଅଳ୍ପଦୂରରେ ବିଷ ପିଇ ଦେଇଥିଲେ। ଗୁରୁ୍ତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଜକନିକା ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ମାଜିଷ୍ଟ୍ରେଟ୍ ତାଙ୍କ ବୟାନ ରେକର୍ଡ କରିଛନ୍ତି।
ଅଭିଯୋଗ ମୁତାବକ, ରାଜକନିକା ବ୍ଳକ୍ ଝାରକଟା ଗ୍ରାମର ମାଧବାନନ୍ଦ ଧଳ ଓ ଫୁଲରାଣୀ ଧଳ(୫୫)ଙ୍କର ତିନି ପୁଅ। ବଡ଼ପୁଅ ନିଜ ପରିବାର ସହ ଆଳିରେ ରହୁଥିବା ବେଳେ ତାଙ୍କ ପାଖରେ ବାପା ମାଧବାନନ୍ଦ ବି ରହୁଛନ୍ତି। ଗାଁରେ ସାନପୁଅ ପାଖରେ ଫୁଲରାଣୀ ରହୁଛନ୍ତି। କିଛିମାସ ତଳେ ଗାଁରେ ଖାଇବା-ପିଇବାରେ ଅସୁବିଧା କରାଯିବାରୁ ଫୁଲରାଣୀ ବଡ଼ପୁଅ ନିକଟକୁ ଯାଇଥିଲେ। ହେଲେ ସେଠାରେ ପୁଅ, ବୋହୂ ଓ ସ୍ୱାମୀ ଖରାପ ବ୍ୟବହାର କରି ତାଙ୍କୁ ଫେରାଇ ଦେଇଥିଲେ। ଏ ନେଇ ଫୁଲରାଣୀ ରାଜକନିକା ଥାନାରେ ଏତଲା ଦେଇ ତାଙ୍କୁ କେହି ହେଲେ ମୁଠେ ଖାଇବାକୁ ଦେଲେନି ବୋଲି ଅଭିଯୋଗ କରିଥିଲେ। ପରିବାର ଲୋକେ ତାଙ୍କୁ ଯନ୍ତ୍ରଣା ଦେଇଛନ୍ତି ବୋଲି ସେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ।
ହେଲେ, ଫୁଲରାଣୀଙ୍କ ପୁତୁରା କହିଛନ୍ତି ଯେ ସେତେବେଳେ ପୁଲିସ ତାଙ୍କ ସମସ୍ୟା ବୁଝିବା ବଦଳରେ ପଞ୍ଚାୟତରେ ସମାଧାନ କରିବାକୁ କହି ଥାନାରୁ ଗାଁକୁ ପଠାଇ ଦେଇଥିଲେ। ପଞ୍ଚାୟତରେ ମଧ୍ୟ କିଛି ସମାଧାନ ହୋଇ ପାରି ନଥିଲା। ନିଜ ପରିବାର ଲୋକଙ୍କ ଦ୍ୱାରା ନିର୍ଯାତିତ ମହିଳାଜଣକ ପୁଣି ଆଜି ଅପରାହ୍ନରେ ରାଜକନିକା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ଥାନାଠାରୁ ଅଳ୍ପ ଦୂରରେ ବିଷ ପିଇ ଦେଇଥିଲେ।
ତାଙ୍କ ସ୍ବାସ୍ଥ୍ୟା​ବସ୍ଥା ଗୁରୁତର ଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କନିକା ତହସିଲଦାର ଅଶୋକ କୁମାର ଦେହୁରୀ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମହିଳାଙ୍କ ଜମାନବନ୍ଦୀ ନେଇଛନ୍ତି। ତାଙ୍କ ଏତଲା ଆଧାରରେ ଥାନାରେ ମାମଲା (୧୪୨/୨୩) ରୁଜୁ କରି ତଦନ୍ତ ଚଳାଇଛୁ ବୋଲି ରାଜକନିକା ଆଇଆଇସି ବିଲ୍ୱମଙ୍ଗଳ ସେଠୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/12-15.jpg)