ମୌଳିକ ସୁବିଧା ଦାବିରେ ଜିଲ୍ଲାପାଳଙ୍କୁ ଗୁହାରି କଲେ ମହିଳା

କେନ୍ଦୁଝର: ମୌଳିକ ସୁବିଧାରୁ କେନ୍ଦୁଝର ସଦର ବ୍ଲକ ବୋଦାପଳସା ପଞ୍ଚାୟତ କବିତ୍ରା ଗ୍ରାମାବସୀ ବଞ୍ଚିତ ହେଉଛନ୍ତି ବୋଲି ଆଜି ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ୱାର୍ଡ ମେମ୍ବର ସୁଦିପ୍ତ କୁମାର ନାଏକ, କଲ୍ୟାଣୀ ଜେନା, ଗୀତାରାଣୀ ଜେନା, ଝୁନାରାଣୀ ଜେନା, ରେବତୀ ଜେନା, ଶଙ୍କର୍ଷଣ ଦାସ ଓ ଗୌରୀ ନାଏକ ସମେତ ଶତାଧିକ ଗ୍ରାମବାସୀ ଅଭିଯୋଗ ଜଣାଇବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ । ଉକ୍ତ ଗ୍ରାମଟି ପୂର୍ବରୁ କେନ୍ଦୁଝରଗଡ ପୌରାଞ୍ଚଳ ମଧ୍ୟରେ ରହିଥିଲା । ପରେ ପ୍ରାୟ ୧୦ ବର୍ଷ ପୂର୍ବରୁ ବୋଦାପଳସା ପଞ୍ଚାୟତରେ ସାମିଲ କରାଗଲା ।

ଏବେ ଅଦ୍ୟାବଧି ପଞ୍ଚାୟତ ରାଜସ୍ୱ ଗ୍ରାମ ତାଲିକା ତଥା ବ୍ଲକ ଫାଇଲରେ ନାମ ଉଠି ନଥିବାରୁ ଉନ୍ନୟନ ମୂଳକ କାମ ହୋଇପାରୁନାହିଁ ବୋଲି ସ୍ଥାନୀୟ ଅଧିବାସୀ ଧରଣୀଧର ସାହୁ କହିଛନ୍ତି । ଏହି ଗ୍ରାମରେ ୩ ହଜାର ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବାବେଳେ ସେଥିମଧ୍ୟରୁ ଅଧାରୁ ଅଧିକ ପଛୁଆ ବର୍ଗର ଅଟନ୍ତି । ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ପହଞ୍ଚି ପାରୁ ନଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସ୍ୱାସ୍ଥ୍ୟକର ପରିବେଶରେ ଗ୍ରାମଟି ରହିଥିବାବେଳେ ରାସ୍ତା, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସମସ୍ୟା ଦେଖାଦେଉଛି। ବିଭିନ୍ନ ଆବାସ ଯୋଜନାରେ ଲୋକଙ୍କୁ ପକ୍କା ଘର ମିଳି ପାରୁନାହିଁ । ଏଣୁ ଏହାର ପ୍ରତିବାଦରେ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି ।

ସମ୍ବନ୍ଧିତ ଖବର