ବାହାନଗା/ବାଲେଶ୍ବର : ସାର୍‌ ଆମ ଉପରେ ଦୟା କରନ୍ତୁ। ମଦ ପାଇଁ ଆମ ଅଞ୍ଚଳରେ ଖାଲି ଅଶାନ୍ତି ସୃଷ୍ଟି ହେଉନି, କଥା କଥାକେ ମାରପିଟ୍‌ ହେଉଛି। ତୁରନ୍ତ ଆମ ଗାଁରୁ ବାର୍ ଓ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର କରନ୍ତୁ ବୋଲି ସୋମବାର ଦିନ ଜିଲ୍ଲାପାଳଙ୍କ ଗୋଡ଼ ଧରି ନେହୁରା ହୋଇଛନ୍ତି ବାଲେଶ୍ୱର ଖନ୍ତାପଡ଼ା ଥାନା ନଇଛଣପୁର ଗାଁର ଶତାଧିକ ମହିଳା। ମଦ ଦୋକାନ ଖୋଲିବାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଅଶାନ୍ତି ଓ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମଦ ଦୋକାନ ମାଲିକଙ୍କ କାର୍‌କୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଛି। ଖନ୍ତାପଡ଼ା ଥାନା ପୁଲିସ ଏହି ଘଟଣାରେ ଗ୍ରାମର ୩ ଜଣ ମହିଳା ଓ ୪ ଜଣ ପୁରୁଷଙ୍କୁ ଗିରଫ କରିଛି। ସେପଟେ ମଦ ଦୋକାନୀଙ୍କ କିଛି ସମର୍ଥକ ମାରଣାସ୍ତ୍ର ଧରି ଗାଁରେ ପଶି ମଦ ଦୋକାନକୁ ବିରୋଧ କରୁଥିବା ଲୋକଙ୍କୁ ବାଡ଼ିଆପିଟା କରିବା ସହ ସ୍ଥାନୀୟ ଵାର୍ଡସଭ୍ୟଙ୍କୁ ଅପହରଣ କରି ନେଇଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି। ସେଥିମଧ୍ୟରୁ ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରି ନେଇଥିଲେ। ମଦ ଦୋକାନ ମାଲିକ ସେମାନଙ୍କୁ ମାରପିଟ୍‌ କରିବାକୁ ପଠାଇଥିଲେ ବୋଲି ଯୁବକଜଣକ ସ୍ବୀକାର କରିଥିବା ବେଳେ ତାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି।

Advertisment

ରାତିଅଧରେ ବାର୍‌ ମାଲିକଙ୍କ କାର୍‌ ଜାଳିଦେଲେ ଦୁର୍ବୃତ୍ତ
୭ ଜଣଙ୍କୁ ଉଠାଇଲା ପୁଲିସ
ଵାର୍ଡସଭ୍ୟଙ୍କୁ ଅପହରଣ ଅଭିଯୋଗ

ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ବାହାନଗା ବ୍ଲକ୍‌ରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ପହଞ୍ଚିଥିଲେ ଗ୍ରାମର ଶତାଧିକ ମହିଳା। ମଦ ଦୋକାନ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କ ଗୋଡ଼ ତଳେ ପଡ଼ି ନିବେଦନ କରିବା ସହ ଅପହୃତ ଵାର୍ଡସଭ୍ୟଙ୍କୁ ଉଦ୍ଧାର କରିବା ପାଇଁ ଗୁହାରି କରିଥିଲେ। ଗାଁ ଲୋକେ କେହି ଗାଡ଼ି ପୋଡ଼ିନାହାନ୍ତି, ବରଂ ମଦ ଦୋକାନ ମାଲିକ ନିଜେ ଲୋକ ଲଗାଇ ଗାଡ଼ି ପୋଡ଼ି ଦେଇଥିବା ସେମାନେ ଅଭିଯୋଗ କରିଥିଲେ। ଘଟଣାର ଅନୁଧ୍ୟାନ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ‌େ ବୋଲି ଜିଲ୍ଲାପାଳ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସୂଚନା ଥାଉକି, ନଇଛଣପୁର ଗ୍ରାମର ୧୪ ନମ୍ବର ୱାର୍ଡରେ ରହିଥିବା ମଦ ଦୋକାନକୁ ଅଞ୍ଚଳବାସୀ ବିରୋଧ କରି ବନ୍ଦ କରି ଦେଇଥିଲେ। ପରେ ଏହାର ମାଲିକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଦୁଇ ଦିନ ତଳେ ପୁଲିସ ସହାୟତାରେ ଉକ୍ତ ମଦ ଦୋକାନକୁ ପୁଣି ଖୋଲିଥିଲେ।