ଆମ୍ବୁଲାନ୍ସ ଆସିଲାନି, ଠେଲାଗାଡ଼ିରେ ବୋହିଲେ; ଦୁର୍ଘଟଣାରେ ଆହତ ମହିଳା ହସ୍ପିଟାଲରେ ମୃତ

ଧର୍ମଶାଳା : ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିଲେ। ଆହତ ପତ୍ନୀଙ୍କୁ ହସ୍ପିଟାଲରେ ପହଞ୍ଚ‌ାଇବା ପାଇଁ କେହି ବି ସାହାଯ୍ୟ କଲେନି। ଜାତୀୟ ରାଜପଥରେ କେତେକେତେ ଗାଡ଼ି ଛୁଟୁଥିଲା। ସେହିବାଟ ଦେଇ କେତେ ଲୋକ ବି ଯାଉଥିଲେ। କେହି ଆହାପଦ କହିଲେନି କି ଆଡ଼ ଆଖିରେ ବି ଚାହିଁଲେନି। ବାରମ୍ବାର ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ତାହା ମଧ୍ୟ ଆସିଲାନି। ସବୁଆଡ଼ୁ ନିରାଶ ହେବାପରେ ଏକ ଠେଲାଗାଡ଼ିରେ ବୋହି ପତ୍ନୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ। ମାତ୍ର, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଲେ। ଏହି ଘଟଣାକୁ ନେଇ ଆମ ବ୍ୟବସ୍ଥା ସହିତ ମାନବିକତାକୁ ନେଇ ପ୍ରଶ୍ନ ଉଠିଛି।

ଏହିଭଳି ଏକ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ପତ୍ନୀଙ୍କ ହରାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି, ଅରଣ୍ୟ ଗୁଇଁ। ଯାଜପୁର ଜିଲ୍ଲା ଜାରକା ନିକଟ ଜାତୀୟ ରାଜପଥ ପାର୍ଶ୍ବରେ ଏକ ଭଡ଼ାଘରେ ରହି ସୋଲାମଟର ବ୍ୟବସାୟ କରୁଛନ୍ତି ଅରଣ୍ୟ। । ବୁଧବାର ଭୋର୍‌ ସମୟରେ ୧୬ ନଂ ଜାତୀୟ ରାଜପଥର ଜାରକା ନିକଟରେ ପତ୍ନୀ ଗେଡ଼ି ଗୁଇଁ (୪୮) ବାହାରକୁ ଶୌଚ ହେବାକୁ ରାସ୍ତା ପାର୍‌ ହେଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ, ସେ ଗୁରୁତର ଆହତ ହୋଇଥିଲେ। ଏହିସମୟରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ବୁଲାନ୍ସ ଆସିନଥିଲା। ଫଳରେ, ବାଧ୍ୟହୋଇ ପରିବାର ଲୋକେ ତାଙ୍କୁ ଠେଲାଗାଡ଼ିରେ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦୁର୍ଘଟଣା ପରେ ତୁରନ୍ତ ୧୦୮ ଅମ୍ବୁଲାନ୍ସ ଆସିଥିଲେ ହୁଏତ ଗେଡ଼ିଙ୍କ ଜୀବନ ବଞ୍ଚିଯାଇ ପାରିଥା’ନ୍ତା ବୋଲି କହିଛନ୍ତି ଅରଣ୍ୟ। ଏନେଇ ଧର୍ମଶାଳା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ଲାଗି ବଡ଼ଚଣା ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର