ମହିଳା ଫେରାଇଲେ ଦେଢ଼ଲକ୍ଷ ଟଙ୍କାର ସୁନାଚେନ୍‌

ମହିଳା ଫେରାଇଲେ ଦେଢ଼ଲକ୍ଷ ଟଙ୍କାର ସୁନାଚେନ୍‌

କବାଟବନ୍ଧ: ଧର୍ମଶାଳା ବ୍ଲକ୍‌ ମର୍ଜିତାପୁର ହିଙ୍ଗୁଳା ଯାତ୍ରାରୁ ପାଇଥିବା ଦେଢ଼ଲକ୍ଷ ଟଙ୍କାର ସୁନାଚେନ୍‌କୁ ଜଣେ ଫେରାଇ ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଗରିବ ବିଧବା ମହିଳାଙ୍କ ସଚ୍ଚୋଟତାକୁ ହିଙ୍ଗୁଳା କମିଟି ସଭ୍ୟ ଓ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ସୂଚନା ମୁତାବକ, ଗତ ୨ ତାରିଖ ରାତିରେ କବାଟବନ୍ଧ ବଜାର ଲକ୍ଷ୍ମୀ ଅଳଙ୍କାର ଦୋକାନର ମାଲିକ ସୁଧାଂଶୁ ଶେଖର ରଣା (ଅପୁ) ହିଙ୍ଗୁଳା ଯାତ୍ରା ଦେଖିବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ବାଇକ୍‌ ଷ୍ଟାଣ୍ତ ନିକଟରେ ତାଙ୍କର ଦେଢ଼ଲକ୍ଷ ଟଙ୍କା ମୂଲ୍ୟର ସୁନାଚେନ୍‌ଟି ହଜି ଯାଇଥିଲା।

ପରଦିନ ସୁଧାଂଶୁ ଓ ତାଙ୍କ ମା’ ମର୍ଜିତାପୁର ହିଙ୍ଗୁଳା ମନ୍ଦିରକୁ ଯାଇ ସୁନାଚେନ୍ ମିଳିଲେ ମା’ଙ୍କୁ ଏକ ରୁପା ମୁକୁଟ ଦେବେ ବୋଲି ସଂକଳ୍ପ କରିଥିଲେ। ୩ ତାରିଖ ସକାଳେ ମର୍ଜିତାପୁର ନାଥସାହି ଗ୍ରାମର ସ୍ବର୍ଗତ ନିତ୍ୟାନନ୍ଦ ବେହେରାଙ୍କ ପତ୍ନୀ କାଙ୍କି ବେହେରା (୬୦) ବାଦାମ ବିଲକୁ ଯାଉଥିବା ବେଳେ ଚେନ୍‌ଟି ପାଇଥିଲେ। ଗୋଟିଏ ଦିନ ଘରେ ରଖିବା ପରେ ଚେନ୍‌ଟି ଅସଲି କି ନକଲି ତାହା ଜାଣିବା ପାଇଁ କାଙ୍କି ତାହାକୁ ନେଇ ହଜାଇଥିବା ସୁନା ବ୍ୟବସାୟୀ ସୁଧାଂଶୁଙ୍କ ଲକ୍ଷ୍ମୀ ଅଳଙ୍କାର ଦୋକାନକୁ ଯାଇଥିଲେ। ସେଠାରେ ସୁଧ‌ାଂଶୁ ନିଜ ହଜାଇଥିବା ଚେନ୍ କଥା କାଙ୍କିଙ୍କୁ କହିଥିଲେ। ମହିଳା ଜଣଙ୍କ କୌଣସି ସଂକୋଚ ନକରି ହିଙ୍ଗୁଳା କମିଟିର ସଂପାଦକ ବନମାଳୀ ପ୍ରଧାନ, କବାଟବନ୍ଧ ବଜାର କମିଟି ସଭ୍ୟ ଆଲୋକ କୁମାର ସାହୁ ତଥା ଅନ୍ୟ ସଭ୍ୟଙ୍କ ଉପସ୍ଥିତିରେ ଆଜି ମା’ ହିଙ୍ଗୁଳାଙ୍କ ମନ୍ଦିର ନିକଟରେ ସୁଧାଂଶୁଙ୍କୁ ତାଙ୍କ ହଜିଯାଇଥିବା ଚେନ୍‌କୁ ଫେରାଇ ଦେଇଥିଲେ। ମା’ ହିଙ୍ଗୁଳାଙ୍କ ଆଶୀର୍ବାଦ ଓ ଗରିବ ମହିଳା କାଙ୍କିଙ୍କ ସଚ୍ଚୋଟତା ଯୋଗୁଁ ସେ ଚେନ୍ ଫେରିପାଇଲେ ବୋଲି ସୁଧାଂଶୁ କହିଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ କାଙ୍କିଙ୍କୁ ଏଥିପାଇଁ ବହୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe