ବଲାଙ୍ଗୀର/ବେଲପଡ଼ା: ପୁଣି ଦାଦନ ଦୁଃଖ। ଏଥର ନିଜ ସ୍ୱାମୀଙ୍କ ମୃତଦେହ ଧରି ଗାଁକୁ ଫେରିଛି ସ୍ତ୍ରୀ। ଏପରିକି ନିଜ ନାବାଳିକା ଝିଅକୁ ତେତେଙ୍ଗାନାର ଇଟାଭାଟି ମାଲିକ ପାଖରେ ବନ୍ଧକ ରଖିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ବନମାଲ ଗାଁରେ। ବନମାଲ ଗାଁର ଶୁକଦେବ ପରାଭୁଏ, ସ୍ତ୍ରୀ ଉଷା ପରାଭୁଏ ଦୁଇ ପୁଅ ଝିଅଙ୍କୁ ଧରି ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଶୁକଦେବଙ୍କ ଗତ ୮ ତାରିଖ ମୃତ୍ୟୁ ହୋଇଥିଲା। ମୃତ୍ୟୁ ଘଟଣାକୁ ରଫାଦଫା କରିବାକୁ ଇଟାଭାଟି ମାଲିକ ଉଦ୍ୟମ କରିବା ସହ ଶବକୁ ସେଠାରେ ହିଁ ପୋତି ଦେବାକୁ କହିଥିଲା। ବହୁ କାକୁତିମିନତି ହେବା ପରେ ଉଷା ପରାଭୁଏ ନିଜ ସ୍ବାମୀଙ୍କ ଶବକୁ ଧରି ଗାଁକୁ ଫେରିଛନ୍ତି। କିନ୍ତୁ ତେଲେଙ୍ଗାନାରେ ତାଙ୍କ ନାବାଳିକା ଝିଅ (୧୨ବର୍ଷ) ବନ୍ଧକ ଥିବା ସେ କହିଛନ୍ତି।
ସୂଚନା ଅନୁସାରେ, ଶୁକଦେବ ୬୦ ହଜାର ଟଙ୍କା ଅଗ୍ରିମ ନେଇ ଇଟା ଗଢ଼ିବାକଲୁ ସ୍ଥାନୀୟ ଦୁଇଜଣ ସର୍ଦ୍ଦାରଙ୍କ ଜରିଆରେ ଯାଇଥିଲେ। ଅସ୍ୱାସ୍ଥ୍ୟକର ପରିବେଶ ଓ ଅତ୍ୟଧିକ କାମ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଉପଯୁକ୍ତ ଚିକିତ୍ସା ସୁବିଧା ନପାଇ ତାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ସେଠାରେ ହିଁ ଦାହସତ୍କାର କରିବାକୁ ଉଦ୍ୟମ କରାଯାଇଥିଲା। ଇଟାଭାଟି ମାଲିକ ପାଖରେ ନିଜ ଝିଅକୁ ବନ୍ଧକ ରଖିବା ପରେ ଉଷା ତାଙ୍କ ସ୍ୱାମୀଙ୍କ ଶବକୁ ଧରି ଗାଁକୁ ଫେରିପାରିଥିବା କହିଛନ୍ତି। ଗତକାଲି ନିଜ ଛୋଟ ପୁଅ ପବିତ୍ର (୬ବର୍ଷ) ଓ ସ୍ୱାମୀଙ୍କ ଶବକୁ ଧରି ସେ ଗାଁକୁ ପହଞ୍ଚିଥିଲେ।