ବାସୁଦେବପୁର: ଶନିବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନାସ୍ଥିତ ଗୋକୁଳପୁର ଗ୍ରାମରେ ଏକ ବଡ଼ଧରଣର ଡକାୟତି ହୋଇଛି। ପରିବାର ଲୋକେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ମହିଳାଙ୍କୁ ଭୁଜାଲିରେ ହାଣିବା ସହ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି।

Advertisment

ଗୋକୁଳପୁର ଗ୍ରାମର ନିତ୍ୟାନନ୍ଦ ବାରିକଙ୍କ ପରିବାର ଲୋକେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁହାଗ୍ରିଲ କାଟି ଘର ଭିତରକୁ ପଶିଥିଲେ। ନିତ୍ୟାନନ୍ଦଙ୍କ ଶୋଇବା ଘରର ବାହାର ପଟୁ ତାଲା ପକାଇବା ସହ ଅନ୍ୟ ଏକ ଘରେ ବିବାହିତା ଭଉଣୀ ରେବତୀ ଶୋଇଥିବା ବେଳେ କୌଶଳକ୍ରମେ ଭିତରକୁ ପ୍ରବେଶ କରିଥିଲେ ଦୁର୍ବୃତ୍ତ। ଘରେ ଆଲମିରା ଓ ସୁଟକେସ ବାହାର କରିବା ବେଳେ ରେବତୀ ଉଠି ପଡ଼ିଥିଲେ। ଘର ଭିତରେ ଦୁର୍ବୃତ୍ତଙ୍କୁ ଦେଖି ଚିତ୍କାର କରିଥିବା ବେଳେ ସେମାନେ ଭୁଜାଲି ଦେଖାଇ ତାଙ୍କୁ ଭୟଭୀତ କରିଥିଲେ।

ତେବେ ମନରେ ସାହସ ଜୁଟାଇ ରେବତୀ ବଡ଼ପାଟିରେ ଡାକ ପକାଇବା ବେଳେ ଲୁଟେରାମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଆଉ ଘଟଣାସ୍ଥଳରୁ ସମସ୍ତ ସୁନାଅଳଙ୍କାର ଓ ନଗଦ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଘରବାଡ଼ିରେ ଟଙ୍କା ଓ ସୁନାଗହଣା ଥିବା ବ୍ୟାଗ ଏବଂ ସୁଟକେସ ଫିଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ନଗଦ ଅଢ଼େଇ ଲକ୍ଷ ଟଙ୍କା ସହ ୨ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟି ନେବା‌ରେ ସକ୍ଷମ ହୋଇଥିଲେ ଦୁର୍ବୃତ୍ତ। ନିତ୍ୟାନନ୍ଦ ବାହାରକୁ ବାହାରି ରେବତୀଙ୍କୁ ଡାକ୍ତରଖାନା ନେବା ସହ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରି ଫେରି ଆସିଥିବା ବେଳେ ଲୁଟେରାଙ୍କ କୌଣସି ସୁରାକ ପାଇ ପାରିନଥିବା ଜଣାପଡ଼ିଛି। ବାଲେଶ୍ବରରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରି ଫେରିଛି।