ସମ୍ବଲପୁର: କ୍ଷେତରାଜପୁର ଥାନା ଅଧୀନ ତାଲଭଟାପଡ଼ାରେ ମହିଳା ଯମୁନା ଦୀପ ଓରଫ୍‌ ହରିପାଲ୍‌(୪୫)ଙ୍କୁ ୨ ଜଣ ମିଶି ପିଟିପିଟି ମାରି ଦେଇଛନ୍ତି। ଏ ନେଇ ସତକୁମାରୀ ନାଗ(୫୦) ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ତାଲଭଟାପଡ଼ାର ଲକ୍ଷପତି ନାଗ(୬୦) ଓ ବିଟୁ ସିଂହ(୨୪)। ଉଭୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

Advertisment

ସତକୁମାରୀଙ୍କ କହିବା ଅନୁଯାୟୀ ତାଙ୍କ ଝିଆରି ଛତିଶଗଡ଼ର ଯମୁନା ୧୫ ଦିନ ତଳେ ତାଙ୍କ ପାଖକୁ ଆସିଥିଲେ। ଯମୁନା ସବୁଦିନ ମଦ ପିଇବା କାରଣରୁ ସେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ସତକୁମାରୀ ଓ ତାଙ୍କ ସ୍ବାମୀ ଲକ୍ଷପତି ୨ ବର୍ଷ ହେଲା ଅଲଗା ଅଲଗା ରହୁଛନ୍ତି। ସତକୁମାରୀ ବାହାର କରିଦେବାରୁ ଯମୁନା ଲକ୍ଷପତି ନାଗଙ୍କ ଘରେ ରହିଲେ।

ଗତ ସୋମବାର ସନ୍ଧ୍ୟା ପ୍ରାୟ ୭ଟାରେ ସତକୁମାରୀ ତାଙ୍କ ସ୍ବାମୀ ଲକ୍ଷପତିଙ୍କ ରୁମ୍‌କୁ ଯାଇ ଦେଖିବା ବେଳେକୁ ଲକ୍ଷପତି ଓ ବିଟୁ ମିଶି ଯମୁନାକୁ ମାଡ଼ ମାରୁଥିଲେ। ଲକ୍ଷପତିର ୨ ହଜାର ଟଙ୍କା ଓ ବିଟୁ ନାତିର ରୁପା ଚେନ୍‌ ନେଇଯାଇଥିବା ଅଭିଯୋଗରେ ସେମାନେ ଯମୁନାକୁ ମାଡ଼ ମାରିଥିବା ସତକୁମାରୀ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ସେ ବିରୋଧ କରିବାରୁ ଉଭୟେ ତାକୁ ଆଉ ମାଡ଼ ମାରି ନଥିଲେ। ଲକ୍ଷପତି ବୁଧବାର ସକାଳ ୭ଟା ସମୟରେ ସତକୁମାରୀ ଘରକୁ ଆସି ଯମୁନାକୁ ଦେଖିବା ପାଇଁ ରୁମ୍‌ ଭିତରକୁ ଯିବାକୁ କହିଥିଲେ। ତେବେ ସେ ଯେତେ ଡାକିଲେ ବି ଯମୁନା ଆଉ ଶୁଣି ନଥିଲା। ସତକୁମାରୀ ଦେଖିଲା ବେଳକୁ ଯମୁନାର ପାଟି ଓ ଆଖିରୁ ରକ୍ତ ବାହାରୁ ଥିଲା। ଯମୁନାର ମୃତ୍ୟୁ ଘଟିଥିବା ଜାଣିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଯମୁନାକୁ ୨ ଜଣ ମାଡ଼ମାରି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।