ତେଲକୋଇ: ଘରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା। ସମାକୋଇ ନଦୀରେ ବନ୍ୟାଜଳ କୂଳ ଲଂଘୁଥିବା ବେଳେ ପୋଲ ନଥିବାରୁ ପ୍ରସୂତିଙ୍କୁ ଡାକ୍ତରଖାନା ଆଣିପାରି ନଥିଲେ ପରିବାର। ଶେଷରେ ମହିଳା ଜଣଙ୍କ ଏକ ମଲା ଶିଶୁକୁ ଜନ୍ମ ଦେଇଥିଲେ। ଦୀର୍ଘ ୨୪ ଘଣ୍ଟା ଧରି ପ୍ରସବ ଯନ୍ତ୍ରଣାରେ ଛଟପଟ ହେବା ପରେ ଶେଷରେ ଦମକଳ ବାହିନୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଛୁଳା ନଦୀ ପାର କରାଇ ଡାକ୍ତରଖାନା ଆଣିଛିନ୍ତି। ଜନନୀ ଯନ୍ତ୍ରଣାର ଏଭଳି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ର ଦୁର୍ଗମ ତାଳପଦା ଗ୍ରାମରେ।

Advertisment

ଗତକାଲି ତାଳପଦା ମୁଣ୍ଡାସାହିର କୁମର ମହାରଣାଙ୍କ ସ୍ତ୍ରୀ ବାସନ୍ତୀ ମହାରଣା (୩୦)ଙ୍କ ପ୍ରସବ ଜନିତ ଯନ୍ତ୍ରଣା ହୋଇଥିଲା। ଲଗାଣ ବର୍ଷା ଯୋଗୁଁ ସମାକୋଇ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିଲା। ପୋଲ ନଥିବାରୁ ପ୍ରସୂତିଙ୍କୁ ଡାକ୍ତରଖାନା ଆଣିବା ସମ୍ଭବ ହୋଇ ନଥିଲା। ଶେଷର ରାତିରେ ଘରେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ।  ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଖବର ପାଇ ଆଜି ତେଲକୋଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଭରାନଦୀରେ ରଶି ଟାଣି ଏକ ଷ୍ଟ୍ରେଚର୍‌ ସାହାଯ୍ୟରେ ମ‌ହିଳାଙ୍କୁ ନଦୀ ପାର କରାଇଥିଲେ। ଏକ ଘରୋଇ ଗାଡ଼ିରେ ତାଙ୍କୁ ତେଲକୋଇ ଡାକ୍ତରଖାନା ଅଣାଯାଇଛି। ତାଳପଦା ମୁଣ୍ଡାସାହିକୁ ରାସ୍ତା ନାହିଁ। ସମାକୋଇ ନଦୀରେ ପୋଲ ମଧ୍ୟ ନାହିଁ। ଫଳରେ ଏଠାକାର ଲୋକେ ବର୍ଷା ୪ ମାସ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଦୁର୍ଗମ ଅଞ୍ଚଳର ଗର୍ଭବତୀଙ୍କୁ ଶିଶୁ ଜନ୍ମ ହେବାର ଏକ ମାସ ଆଗରୁ ତେଲକୋଇ ଓ କାଳିଆହତା ଡାକ୍ତରଖାନାରେ ଥିବା ମା’ ଗୃହରେ ଭର୍ତ୍ତି କରାଯିବା କଥା। ଆଶା, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ବାସ୍ଥ୍ୟ କର୍ମଚାରୀ ଏ ଦିଗରେ କାମ ମଧ୍ୟ କରୁଛନ୍ତି। ତେବେ କେଉଁ କାରଣରୁ ବାସନ୍ତୀଙ୍କୁ ମା’ ଗୃହ ଅଣାଯାଇ ନଥିଲା ବୋଲି ତାକୁ ନେଇ ପ୍ରଶ୍ନବା‌ଚୀ ସୃଷ୍ଟି ହୋଇଛି।