ନିଶାସକ୍ତ ସ୍ବାମୀର ଆକ୍ରମଣରେ ମହିଳା ମୃତ: ବାପାର ମଦନିଶା ପାଇଁ ମା’କୁ ହରାଇଲା ୮ ମାସର ଶିଶୁ

ନବରଙ୍ଗପୁର/କୋଷାଗୁମୁଡା: ବାପାର ମଦ ନିଶା ଯୋଗୁଁ ମାକୁ ହରାଇଲା ୮ମାସର ଶିଶୁକନ୍ୟା। ନିଶାସକ୍ତ ସ୍ବାମୀର ଆକ୍ରମଣରେ ମହିଳାଙ୍କ ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ହରଦୋଳି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପତ୍ନୀକୁ ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ଲାଡ଼ୁଗୁଡ଼ା ଗାଁର ସୁମନି ପୂଜାରୀ (୨୦) ପ୍ରାୟ ୫ବର୍ଷ ତଳେ ହରଦୋଳି ଗାଁର ଦେବସିଂ ପୂଜାରୀଙ୍କୁ ବିବାହ କରିଥିଲେ। କିନ୍ତୁ ଦେବସିଂ ନିୟମିତ ମଦ ପିଇ ଘରକୁ ଆସୁଥିବାରୁ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଏପରିକି ନିଶାସକ୍ତ ଅବସ୍ଥାରେ ଦେବସିଂ ପତ୍ନୀ ସୁମନି ଏବଂ ନିଜ ବାପା, ମାଙ୍କୁ ମାଡ଼ ମାରିବାକୁ ପଛାଉ ନଥିଲା। ସମୟକ୍ରମେ ସ୍ବାମୀଙ୍କ କ୍ରୁର ବ୍ୟବହାରେ ଅତିଷ୍ଠ ହୋଇ ସାରିଥିଲେ ସୁମନି। ତେଣୁ ୮ଦିନ ତଳେ ୮ମାସର ଝିଅକୁ ନେଇ ନିଜ ମା’ ଘରକୁ ଚାଲି ଆସିଥିଲେ। ଗତକାଲି ଅପରାହ୍ନ ପ୍ରାୟ ୨ଟାରେ ଦେବସିଂ ଶ୍ବଶୁର ଘରେ ପହଞ୍ଚିଥିଲା। ଜୋରଜବରଦସ୍ତ କରି ୮ମାସର ଶିଶୁକନ୍ୟାକୁ ଧରି ନିଜ ଗାଁକୁ ଚାଲି ଆସିଥିଲା।

ସଂଧ୍ୟାରେ ସୁମନିଙ୍କ ଭାଇମାନେ ଘରକୁ ଫେରିବା ପରେ ଏ ନେଇ ଜାଣିବାକୁ ପାଇଥିଲେ। ତୁରନ୍ତ ଝିଅକୁ ନେଇ ଆସିବା ପାଇଁ ୩ଭାଇଙ୍କ ସହ ବାଇକରେ ହରଦୋଳି ଗାଁକୁ ଯାଇଥିଲେ ସୁମନି। ଘର ଭିତରୁ ଝିଅକୁ ଧରି ଆସିବା ପରେ ଭାଇଙ୍କ ବାଇକରେ ବସିଥିଲେ ସୁମନି। ଗାଡ଼ି ଛାଡ଼ିବା ପୂର୍ବରୁ ଉତ୍ତ୍ୟକ୍ତ ହୋଇ ଦେବସିଂ ଗୋଟିଏ ଲୁହାଛଡ଼ ପତ୍ନୀକୁ ଲକ୍ଷ୍ୟ କରି ଫୋପାଡ଼ି ଦେଇଥିଲା। ଲୁହାଛଡ଼ ସୁମନିଙ୍କ ଡାହାଣ ଆଖିରେ ବାଜି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଚିକିତ୍ସାଧୀନ ଅବସ୍ଥାରେ ସୁମନିଙ୍କ ମୃତ୍ୟୁ ହୋଇଯାଇଛି। ଘଟଣା ପରେ ଅଭିଯୁକ୍ତ ଦେବିସିଂ ଫେରାର ହୋଇଯାଇଥିବାରୁ ପୁଲିସ ସନ୍ଧାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର