ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ କରଞ୍ଜଆଡ଼ିଆ ପଞ୍ଚାୟତରେ ରାସନ୍ ଚାଉଳ ହେରଫେର୍ ନେଇ ବାରମ୍ବାର ଅଭିଯୋଗ ପରେ ବି ରିଟେଲର୍ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଅନ୍ୟପକ୍ଷରେ ୨ ମାସର ରାସନ୍ ଚାଉଳ ନମିଳିବାରୁ ଆଜି ଶତାଧିକ ମହିଳା ଉତ୍କ୍ଷିପ୍ତ ହୋଇ ଯୋଗାଣ ନିରୀକ୍ଷକଙ୍କୁ ଘେରିବା ସହ ବିଚ୍ ବଜାରରେ ଚଲାଇ ଚଲାଇ ନେଇଥିବା ଦେଖିବାକୁ ମିଳିଥିଲା।
କରଞ୍ଜଆଡିଆ ପଞ୍ଚାୟତର ରିଟେଲର କ୍ଷୀରମଣି ସାହୁ ହିତାଧିକାରୀଙ୍କୁ ଠିକ୍ ସମୟରେ ରାସନ୍ ସାମଗ୍ରୀ ନ ଦେଇ ଖାତାରେ ପକାଉଥିଲେ। ଏମିତିକି, ଏକାଧିକ ମାସର ସାମଗ୍ରୀ ନ ଦେଇ ହଡ଼ପ କରୁଥିବା ହିତାଧିକାରୀ ମହଲରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ହେଲେ ବ୍ଲକ୍ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ରିଟେଲରଙ୍କୁ ସୁରକ୍ଷା ଦେଉଥିଲେ। ଗତ ଅଗଷ୍ଟରେ ରିଟେଲର୍ ଦୁଇ ମାସର ସାମଗ୍ରୀ ଦେଇ ଖାତାରେ ତିନି ମାସର ପକାଇଥିବାରୁ ହିତାଧିକାରୀମାନେ ପ୍ରତିବାଦ କରିବା ପରେ ତାହା ସମାଧାନ ହୋଇଥିଲା। ପୁଣି ଗତ ଫେବ୍ରୁଆରି ଓ ମାର୍ଚ୍ଚ ଦୁଇ ମାସର ଚାଉଳ ଦେବେ କହି ଲୋକମାନଙ୍କୁ ଭୁଆଁ ବୁଲାଇ ଆସୁଥିଲେ। ଆଜି ଶତାଧିକ ମହିଳା ଏକଜୁଟ୍ ହୋଇ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ବିଡିଓ ସମାଧାନ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ମହିଳାମାନେ ଯୋଗାଣ ନିରୀକ୍ଷକ ଅଜୟ ଦାସଙ୍କ ପାଖକୁ ଯାଇ ଫେରାଦ ହୋଇଥିଲେ।
ସମାଧାନ ପାଇଁ ଯୋଗାଣ ନିରୀକ୍ଷକ ରିଟେଲରଙ୍କୁ ଫୋନ୍ କରିଥିଲେ। ହେଲେ ରିଟେଲର୍ ଫୋନ୍ ନ ଧରିବାରୁ ମହିଳାମାନେ ତାଙ୍କ ପାଖକୁ ଯିବା ଲାଗି ଜିଦ୍ ଧରିଥିଲେ। ଯୋଗାଣ ନିରୀକ୍ଷକଙ୍କୁ ରାସ୍ତାରେ ଚଲାଇ ଚଲାଇ ନେବା ବେଳେ ପୁଲିସ ପହଞ୍ଚିଥିଲା। ତାଙ୍କୁ ଉଦ୍ଧାର କରିବା ବେଳେ ପୁଲିସ ସହିତ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ତେବେ ଥାନାରେ ଘଟଣାର ସମାଧାନ ହେବ ବୋଲି ପୁଲିସ କହିବାରୁ ମହିଳାମାନେ ଯୋଗାଣ ନିରୀକ୍ଷକଙ୍କୁ ଛାଡ଼ିଥିଲେ।