ପୁଅ ପାଇଁ ଜେଲ୍‌କୁ ଗଲା ମହିଳାଙ୍କ ଶବ

ସହି ପାରିଲେନି ବାପା-ମା’, ବାପାଙ୍କ ପରେ ମା’ର ମୃତ୍ୟୁ

ବୌଦ୍ଧ : ଜେଲ୍‌ରେ ଥିବା ପୁଅ ପାଇଁ ଜଣେ ମହିଳାଙ୍କ ଶବକୁ ସେଠାକୁ ନିଆଯାଇଛି। ମା’ଙ୍କୁ ଶେଷଦର୍ଶନ ପରେ ପୁଅ ଫେରିଯାଇଛି ଜେଲ୍‌ର କୋଠରିକୁ। ଏପଟେ ମହିଳାଙ୍କ ମୃତଦେହ ଗାଁ’କୁ ଫେରିଛି। ଏହି ଘଟଣା ଯେତିକି ସମ୍ବେଦନଶୀଳ, ଏହାସହିତ ଯୋଡ଼ି ହୋଇଯାଇଥିବା କାହାଣୀ ସେତିକି କରୁଣ। ବୌଦ୍ଧ ସବ୍‌ଜେଲ୍‌ ସାମ୍‌ନାରେ ବୁଧବାର ଦିନ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ. ସମବାୟ ନିର୍ବାଚନୀ ଗଣ୍ଡଗୋଳ ମାମଲାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ପଦରପଡ଼ା ଗ୍ରାମର ମେଘନାଦ ସାହୁଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ତାଙ୍କ ବଂଶରେ କେହି କେବେ ଜେଲ୍‌ ଯାଇ ନଥିବାରୁ ଘଟଣା ପରେ ବାପାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ପୁଅ ଜେଲ୍‌ ଯିବାର ଦୁଇଦିନ ପରେ ଆଖି ବୁଜିଥିଲେ ମେଘନାଦଙ୍କ ବାପା। ଜେଲ୍‌ରେ ଥିବାରୁ ପୁଅ ମୁଖାଗ୍ନି ଦେଇପାରିନଥିଲେ। ଏହି ଘଟଣା ପରେ ମେଘନାଦଙ୍କ ମା’ ବେଟିଖାଇ ଖାଇବା ପିଇବା ବନ୍ଦ କରିଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ବୁଧବାର ଦିନ ବୁର୍ଲାର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ, ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ବାମୀଙ୍କ ମୃତ୍ୟୁର ୨୧ ଦିନ ପରେ ବେଟିଖାଇଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ତତଃପକ୍ଷେ, ମୁଖାଗ୍ନି ଦେବାର ସୁଯୋଗ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିବା ପାଇଁ ପରିବାର ଲୋକେ ମା’ଙ୍କ ଶବ ନେଇ ସିଧା ବୌଦ୍ଧ କୋର୍ଟ ପରିସରରେ ପହଞ୍ଚିଥିଲେ। ହେଲେ, କୋର୍ଟ ଏଥିପାଇଁ ଅନୁମତି ଦେଇନଥିଲେ। କେବଳ ଶେଷଦର୍ଶନ କରିବା ପାଇଁ ଅନୁମତି ଦେଇଥିଲେ। ଫଳରେ, ପରିବାର ଲୋକେ ଶବ ନେଇ ଜେଲ୍‌ରେ ପହଞ୍ଚିଥିଲେ। ଜେଲ୍‌ରୁ ବାହାରି ମା’ଙ୍କୁ ଶେଷ ଦର୍ଶନ କରି ପୁଣି ଜେଲ କୋଠରିକୁ ଫେରିଯାଇଥିଲେ ପୁଅ ମେଘନାଦ। ଏଭଳି ଏକ ଅଭାବନୀୟ ସମ୍ବେଦନଶୀଳ ଘଟଣା ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ସମ୍ବନ୍ଧିତ ଖବର