ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ବସଷ୍ଟାଣ୍ଡ୍‌ରେ ଥିବା ଏକ ଡ୍ରେନ୍ ଲୁହାଜାଲିରେ ଜଣେ ମହିଳା ପଡ଼ିଯାଇଥିଲେ। ଫଳରେ ତାଙ୍କ ଗୋଡ଼ ଅଧା ‌ଖୋଲା ହୋଇରହିଥିବା ଜାଲି ଭିତରେ ରହି ଫସିଯାଇଥିଲା।  ବହୁ ଚେଷ୍ଟା କରି ବି ସେ ମୁକୁଳି ପାରି ନଥିଲେ। ଫଳରେ ‌ସେଠାରେ ଭିଡ଼ ଜମିଯାଇଥିଲା। ଶେଷ‌‌ରେ ଲୁହାକଟର୍ ସାହାଯ୍ୟ‌ରେ ଜାଲି କାଟି ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।
Advertisment
ବସ୍‌ଷ୍ଟାଣ୍ଡ ନିର୍ମାଣ ହେବା ପରେ ଭିତର ଦେଇଯାଇଥିବା ଡ୍ରେନ୍‌କୁ କଭର୍ କରିବା ପାଇଁ ଲୁହାପ୍ଲେଟ୍‌ ପକାଯାଇଥିଲା। ତେବେ ଭାରୀଯାନ ଯାତାୟାତ କରୁଥିବାରୁ ଅନେକ ପ୍ଲେଟ୍ ବର୍ତ୍ତମାନ ଦବିଯିବା ସହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପ୍ଲେଟ୍‌ରେ ଲାଗି ରହିଥିବା ‌ଲୁହାରଡ୍‌ଗୁଡ଼ିକ ବଙ୍କା ହୋଇଖୋଲିଯାଇଥିବାରୁ ସେଥିରେ ଛୋଟପିଲାଙ୍କ ସମେତ ବହୁ ଜନସାଧାରଣ ଖସିପଡ଼ିବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି ପାଇଁ ଦାବି ହୋଇଛି।