ହାଇକୋର୍ଟଙ୍କ ନିର୍ଦ୍ଦେଶ: ଅଙ୍ଗନବାଡ଼ି ଛୁଟି ପ୍ରସଂଗରେ ମହିଳା ଓ ଶିଶୁବିକାଶ ବିଭାଗ ନିଷ୍ପତ୍ତି ନେବ

କଟକ : ପ୍ରବଳ ଖରା ସାଙ୍ଗକୁ ରାଜ୍ୟରେ ଗୁଳୁଗୁଳି ଜାରି ରହିଥିବା ବେଳେ ଅଙ୍ଗନବାଡି କେନ୍ଦ୍ରଗୁଡିକୁ କିନ୍ତୁ ବନ୍ଦ କରାଯାଇ ନାହିଁ। ଏଭଳି ସ୍ଥିତିରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ଛୁଟି ଘୋଷଣା ପ୍ରସଂଗରେ ବିଚାର କରି ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ନିଷ୍ପତ୍ତି ନେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ଭିତ‌ରେ ବିଭାଗ ନିଷ୍ପତ୍ତି ଗ୍ରହଣ କରିବ। ହାଇକୋର୍ଟ ଏହାସହିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଭାରତୀୟ ବିକାଶ ପରିଷଦର ନିରଂଜନ ଦାସ ଓ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାର ପୂର୍ବରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ସମସ୍ତ ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରିଥିଲେ। ଏଥି ସହିତ ସରକାରୀ କାର୍ଯ୍ୟାଳୟ ଗୁଡିକ ସକାଳୁଆ କାର୍ଯ୍ୟ କରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ହେଲେ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଏ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି ଦିଆଯାଇ ନାହିଁ। ଶିଶୁମାନେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଯିବା ଅାସିବା କରିବା କଷ୍ଟକର ହୋଇପଡିଛି। ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଜୁନ ୧୫ ଯାଏ ଗ୍ରୀଷ୍ମକାଳନୀ ଛୁଟି କରାଯାଉ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅାବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର