ଝାରସୁଗୁଡ଼ା: ୫୩ ନଂ. ଜାତୀୟ ରାଜପଥର ଓଡ଼ିଶା-ଛତିଶଗଡ଼ ସୀମାରୁ ମାତ୍ର ୩ କିମି ଦୂରରେ ରାୟଗଡ଼ ଜିଲ୍ଲା ଜୁଟ୍ ମିଲ୍‌ ଥାନା ନେତନାଗର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି। କିଛି ଯୁବକ ଏକ କାର୍‌ରେ ଆସି ଗାଁ ମୁଣ୍ଡରେ ପହଞ୍ଚିବା ପରେ ଜଣେ ମହିଳା(୩୦/୩୫ ବର୍ଷ) ଓ ଜଣେ ନାବାଳକ(୮/୧୦ ବର୍ଷ)ଙ୍କ ଶବକୁ ପାଳଗଦାରେ ପୋଡ଼ି ଓଡ଼ିଶା ଦିଗକୁ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିବା ସହ ଦଗ୍ଧଶବ ଦୁଇଟି ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସେଠାକାର ପୁଲିସ୍‌ ଆଶଙ୍କା କରୁଛି।

Advertisment

ରାୟଗଡ଼ ସିଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଏହି ଘଟଣାର ଓଡ଼ିଶା ଲିଙ୍କ୍‌କୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି। ଘଟଣା ସମ୍ପର୍କରେ ଛତିଶଗଡ଼ ପୁଲିସ୍‌ ଝାରସୁଗୁଡ଼ା ପୁଲିସ୍‌କୁ ମଧ୍ୟ ଅବଗତ କରିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ସୂଚନା ଅନୁସାରେ, କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ରବିବାର ରାତିରୁ ଗାଁରେ ଗହଳଚହଳ ଲାଗି ରହିଥିଲା। ଏହି ସମୟରେ ରାତି ପ୍ରାୟ ୨ଟା ବେଳେ ଜାତୀୟ ରାଜପଥଠାରୁ ମାତ୍ର ୩୦ ମିଟର ଦୂରରେ ଥିବା ଗ୍ରାମର ଜଣେ ବ୍ୟକ୍ତିଙ୍କ ପାଳଗଦାରେ ନିଆଁ ଲାଗିଥିବା ଖବର ପାଇ ଗାଁ ଲୋକେ ସେଠାକୁ ଧାଇଁଥିଲେ। ନିଆଁ ଲିଭାଇବାକୁ ଉଦ୍ୟମ କରିବା ସମୟରେ ସେଥିରେ ୨ଟି ଶବ ପୋଡ଼ିଯାଉଥିବା ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇ ପୁଲିସ୍‌କୁ ସୂଚନା ଦେଇଥିଲେ। ସେହି ସମୟରେ ସେଠାରେ ଅଟକିଥିବା ଏକ କାର୍‌ ଘଟଣାସ୍ଥଳରୁ ଦ୍ରୁତଗତିରେ ଓଡ଼ିଶା ସୀମା ଅଭିମୁଖେ ଫେରାର୍‌ ହୋଇଯାଇ ଥିଲା। ପୁଲିସ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଅନ୍ୟ କୌଣସି ସ୍ଥାନରେ ସମ୍ପୃକ୍ତ ୨ ଜଣଙ୍କୁ ହତ୍ୟାକରି ପ୍ରମାଣ ନଷ୍ଟ କରିବାକୁ ନେତନାଗରରେ ଆଣି ପୋଡ଼ି ଦିଆଯାଇଥିବା ଆଶଙ୍କା କରିଥିଲା। ତେବେ ଖବର ଲେଖାହେବା ଯାଏ ମୃତକଙ୍କ ପରିଚୟ ମିଳିନାହିଁ। ଗୁରୁତ୍ବପୂର୍ଣ୍ଣ ହେଉଛି, ଶବ ଦୁଇଟିକୁ ପ୍ରଥମେ ପାଳଗଦା ନିକଟସ୍ଥ ଧାନ ବିଲରେ ପୋଡ଼ିବାକୁ ଉଦ୍ୟମ କରାଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡ଼ିଛି। କିନ୍ତୁ କାଠରେ ନିଆଁ ନ ଧରିବାରୁ ଅଧାପୋଡ଼ା କାଠରୁ ଶବକୁ ଆଣି ପାଳଗଦାରେ ପୋଡ଼ି ଦିଆଯାଇଥିଲା। ଘଟଣାସ୍ଥଳରୁ ଉକ୍ତ ଦରପୋଡ଼ା କାଠ ମଧ୍ୟ ପୁଲିସ୍‌ ଜବତ କରିଛି। ସ୍ମରଣଯୋଗ୍ୟ, ୨୦୧୬ ମସିହାରେ ଅନୁରୂପ ଭାବେ ମାଝିଅଙ୍କୁ ଝାରସୁଗୁଡ଼ାରେ ହତ୍ୟାକରି ସୀମାନ୍ତ ରାୟଗଡ଼ ଜଙ୍ଗଲରେ ଫିଙ୍ଗିଦେବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା।