ମହିଳା ଆତ୍ମାହୁତି ଉଦ୍ୟମ ଘଟଣା: ଖୁଡ଼ୀ, ପୁତୁରାଙ୍କୁ ଗିରଫ କଲା ପୁଲିସ

ଧର୍ମଶାଳା:  ନିଜର ଜରୁରି ଆବଶ୍ୟକତା ପୂରଣ ପାଇଁ ନିଜ ଜମି ବିକ୍ରି କରି ନପାରି ମାନସିକ ଭାରସାମ୍ୟ ହରାଇ ଧର୍ମଶାଳା ତହସିଲଦାରଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ମହିଳା ଅନିମା ରାଉତ ଓ ତାଙ୍କ ପୁତୁରା ସୁଧାଂଶୁ ଶେଖର ଘଡ଼େଇଙ୍କୁ ୨୫ଦିନ  ପୁଲିସ ଗିରଫ କରି ଜେଲ୍‌ ପଠାଇଛି। ସାଧାରଣ ମହିଳା ନ୍ୟାୟ ନପାଇ ଆତ୍ମାହୁତି ଦେବା ଭଳି ଚରମ ନିଷ୍ପତ୍ତି ନେଇଥିବା ମହିଳାଙ୍କ ପ୍ରତି ପ୍ରଶାସନର ଏଭଳି ଆଭିମୁଖ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ଭିନ୍ନ ମତପ୍ରକାଶ ପାଇଛି।

ଧର୍ମଶାଳା ତହସିଲ ଅଧୀନ ନେଉଳପୁର ଗ୍ରାମର ଅକ୍ଷୟ ରାଉତଙ୍କ ପତ୍ନୀ ଅନିମା ରାଉତ ତାଙ୍କର ଏକ ଚକଭୁକ୍ତ ଜମିକୁ ବିକ୍ରି କରିବା ପାଇଁ ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ। ଚକଭୁକ୍ତ ଜମି ବିକ୍ରି ପାଇଁ ଉପଜିଲ୍ଲାପାଳ କିମ୍ବା ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ ବୋଲି ତହସିଲଦାର ସ୍ବାଗତ ଦାସ ତାଙ୍କୁ କହିଥିଲେ। ପରେ ଅନିମା ଯାଜପୁର ଟାଉନ ଯାଇ ସେଠାରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଚକଭୁକ୍ତ ଜମି ବିକ୍ରି ପାଇଁ ଆବେଦନ କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ଅଧିକାରୀମାନଙ୍କ ନିକଟକୁ ଦୌଡ଼ି ଦୌଡ଼ି ହତାଶ ହେବା ପରେ ଗତ ମାସ ୨୦ତାରିଖରେ ଅନିମା ଏ ସମ୍ପର୍କରେ ତହସିଲଦାର ସ୍ବାଗତ ଦାସଙ୍କୁ ସାକ୍ଷାତ କରି ଜଣାଇବାକୁ ଚାହିଁଥିଲେ।

ତାଙ୍କର ସମସ୍ୟା ସମାଧାନ ନହେବା ଓ ଅଧିକାରୀମାନଙ୍କ ଦ୍ବାରା  ହଇରାଣ ହେଉଥିବାରୁ ଶେଷରେ ଅନିମା ତହସିଲଦାରଙ୍କ ପ୍ରକୋଷ୍ଠରେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତିଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ବଡ଼ଧରଣର ଅଘଟଣ ଟଳିଯାଇଥିଲା। ତହସିଲଦାର ନିଜକୁ ବଞ୍ଚାଇବାକୁ ଯାଇ ଅନ୍ୟ ଏକ ପ୍ରକୋଷ୍ଠକୁ ଚାଲି ଯାଇଥିଲେ। ସ˚ପୃକ୍ତ ମହିଳା ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ସହ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ବୋଲି ତହସିଲଦାର ଶ୍ରୀ ଦାସ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ।

ଏହି ଏତଲା ଭତ୍ତି କରି ଧର୍ମଶାଳା ପୁଲିସ ସୋମବାର ଅନିମା ଓ ତାଙ୍କ ପୁତୁରା ସୁଧାଂଶଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟରେ ହାଜର କରିଥିଲେ। ଆଜି ଜାମିନ ନହେବାରୁ‌ ସେମାନଙ୍କୁ ଜେଲ୍‌ ହାଜତକୁ ପାଠାଇ ଦିଆଯାଇଛି। ମାଫିଆମାନଙ୍କୁ ପୁଲିସ ଗିରଫ ନକରି  ଆଗୁଆ ଜାମିନ ଦେବାକୁ ସୁଯୋଗ ଦେଉଛି। ଅଥଚ ଜଣେ ମହିଳା ପ୍ରଶାସନ ନିକଟରୁ ନ୍ୟାୟ ନପାଇ  ଅସହାୟ ହୋଇ ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ଘଟଣାରେ ଜେଲ୍‌ ପଠାଇବା କେତେ ଦୂର ନ୍ୟାୟ ସଙ୍ଗତ? ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର