ମନ୍ତ୍ରୀଙ୍କ ପାଚେରି ଭାଙ୍ଗିଲେ ମହିଳା

କରଞ୍ଜିଆ ଗୋଲେଇ : ସରକାରୀ ଜମିରେ ନିର୍ମାଣକୁ ବି‌ରୋଧ କରି ମନ୍ତ୍ରୀଙ୍କ ପାଚେରି ଭାଙ୍ଗିଛନ୍ତି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କରଞ୍ଜିଆ ଏନ୍‌ଏସି ୧୪ ନମ୍ବର ୱାର୍ଡର କିଛି ମହିଳା।

ସୂଚନା ଅନୁସାରେ , କରଞ୍ଜିଆ ବିଧାୟିକା ତଥା ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ଙ୍କ ସ୍ବାମୀଙ୍କ ନାମରେ କରଞ୍ଜିଆ ଏନ୍‌ଏସି ୧୪ ନମ୍ବର ୱାର୍ଡରେ ରହିଥିବା ନିଜସ୍ବ ଜାଗା ଉପରେ ପାଚେରି ନିର୍ମାଣ କରାଯାଉଛି। ତେବେ, ରାସ୍ତାକୁ ଲାଗି ପାଚେରି ନିର୍ମାଣକୁ ସ୍ଥାନୀୟ ୱାର୍ଡବାସୀ ବିରୋଧ କରିଥିଲେ। ରାସ୍ତା ସଂକୁଚିତ ହେଉଥିବାରୁ କିଛି ଜାଗା ଛାଡ଼ି ପାଚେରି କରିବାକୁ କହିଥିଲେ। ଲୋକଙ୍କ ବାରଣ ସତ୍ତ୍ବେ ଏହି ପାଚେରି କାମ ଚାଲିଥିଲା। ଏହାର ପ୍ରତିବାଦ ସହିତ ମହିଳାମାନେ ନିର୍ମାଣାଧୀନ ପାଚେରିକୁ ଭାଙ୍ଗି ଦେଇଛନ୍ତି। ଫଳରେ, ଆଜି ଉକ୍ତ ସ୍ଥାନରେ କାମ ବନ୍ଦ ରହିଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ଙ୍କୁ ପଚରାଯିବାରୁ ସେ କହିଥିଲେ, ତାଙ୍କ ନିଜ ଜାଗାରେ ପାଚେରି କାମ ଚାଲିଛି। କୌଣସି ସରକାରୀ ଜମି ସେ ଜବରଦଖଲ କରିନାହାନ୍ତି। କେହି ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରୁଛନ୍ତି ବୋଲି ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର