ସ୍ବାମୀଙ୍କ ମୃତ୍ୟୁର ଅନୁସନ୍ଧାନ ପାଇଁ ଏସ୍‌ପିଙ୍କ ଦ୍ବାରସ୍ଥ

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ସନ୍ତରା ଗ୍ରାମର ସନ୍ତୋଷ ରାଉଳଙ୍କ ପତ୍ନୀ ପଦ୍ମାବତୀ ସ୍ବାମୀଙ୍କ ମୃତ୍ୟୁର ଅନୁସନ୍ଧାନ ଓ ନ୍ୟାୟ ପାଇଁ ଯାଜପୁର ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଧର୍ମଶାଳା ଥାନା ଅନ୍ତର୍ଗତ ଓଡ଼ଙ୍ଗ ଗ୍ରାମର ପୀତବାସ ରାଉଳଙ୍କ ଝିଅ ପଦ୍ମାବତୀ ଗତ ୨୦୨୧ ମସିହା ମେ ୨୩ ତାରିଖରେ ସନ୍ତରା ଗ୍ରାମର ଗୋବର୍ଦ୍ଧନ ରାଉଳଙ୍କ ପୁଅ ସନ୍ତୋଷଙ୍କୁ ବିବାହ କରିଥିଲେ। କିଛିଦିନ ପରେ ପଦ୍ମାବତୀଙ୍କ ଦେହ ଖରାପ ହେବାରୁ ସେ ବାପଘରେ ରହି ଚିକିତ୍ସିତ ହେଉଥିଲେ। ସନ୍ତୋଷ ମଧ୍ୟ ସେଠାକୁ ନିୟମିତ ଯିବାଆସିବା କରୁଥିଲେ। ବର୍ତ୍ତମାନ ପଦ୍ମାବତୀ ଗର୍ଭବତୀ ଅଛନ୍ତି।

ଗତ ୧୩ ତାରିଖରେ ସନ୍ତୋଷ ଆତ୍ମହତ୍ୟା କରିଥିବା ଖବର ସେ ବାହାର ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ। ଶାଶୂଘର ପରିବାର ପକ୍ଷରୁ ସ୍ବାମୀଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କୁ ଏଯାଏ ସୂଚନା ଦିଆଯାଇନାହିଁ। ଫଳରେ ସ୍ବାମୀଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ପଦ୍ମାବତୀ ସନ୍ଦେହ ପ୍ରକଟ କରିଛନ୍ତି। ଗତ ୧୭ ତାରିଖରେ ପଦ୍ମାବତୀ ସ୍ବାମୀଙ୍କ ମୃତ୍ୟୁର ଅନୁସନ୍ଧାନ ନିମନ୍ତେ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ। ହେଲେ ଥାନା ପକ୍ଷରୁ ବିଭିନ୍ନ ଆଳ ଦେଖାଇ ତାଙ୍କୁ ଫେରାଇ ଦିଆଯାଇଥିଲା ବୋଲି ପଦ୍ମାବତୀ ଅଭିଯୋଗ କରିଛନ୍ତି। ଜଣେ ଗର୍ଭବତୀ ମହିଳା ପଦ୍ମାବତୀ ଥାନାକୁ ଦୌଡ଼ିଦୌଡ଼ି ନୟାନ୍ତ ହେବାପରେ ସ୍ବାମୀଙ୍କ ମୃତ୍ୟୁର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସ୍‌ପି ରାହୁଲ ପି.ଆରଙ୍କୁ ଭେଟି ଗୁହାରି କରିଛନ୍ତି।

ସମ୍ବନ୍ଧିତ ଖବର