ଭୁବନେଶ୍ୱର: ‘ବୋଉ’ ଓ ମା’ ଉଭୟ ଶବ୍ଦରେ ଏକ ଅପୂର୍ବ ମାଦକତା ରହିଛି। ଓଡ଼ିଶାର ଏହି ବୀର ପ୍ରସବିନୀ ମାଟି ଓ ମା’ ଅନେକ ସୁଯୋଗ୍ୟ ସନ୍ତାନଙ୍କୁ ଜନ୍ମ ଦେଇଛି। ତେଣୁ ଏହି ବୀର ଜାତିର ମା’ମାନେ ନିଜ ସନ୍ତାନକୁ ବୀର କରି ଗଢ଼ନ୍ତୁ। ଯେଭଳି ସେମାନେ ଅହଙ୍କାରକୁ ପରାଜିତ କରି ଅସ୍ମିତାର ବିଜୟର ପ୍ରତୀକ ବନିବେ। ବୋଉ ଫାଉଣ୍ଡେସନ୍ ପକ୍ଷରୁ ଜୟଦେବ ଭବନ ପରିସରରେ ଆୟୋଜିତ ଦଶମ ‘ବୋଉ ଦିବସ’ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ଅନ୍ୟତମ ଅତିଥି ବିଶିଷ୍ଟ ଲେଖକ, ଗୀତିକାର ଦେବଦାସ ଛୋଟରାୟ ତାଙ୍କ ମା’ ସବୁ ସମୟରେ ତାଙ୍କୁ ପ୍ରେରଣା ଦିଅନ୍ତି ବୋଲି କହିଥିଲେ। ଏଥିସହିତ ନିଜ ପିଲାଦିନର ସ୍ମରଣୀୟ ମୁହୂର୍ତ୍ତ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ପ୍ରସିଦ୍ଧ ସିନେ ବ୍ୟକ୍ତିତ୍ବ ଓ ରାଜନେତା ପ୍ରଶାନ୍ତ ନନ୍ଦଙ୍କୁ ‘ବୋଉ ମଣିଷ’ ସମ୍ମାନ ପ୍ରଦାନ କରାଯାଇଥିଲା।
‘ମୋ ବୋଉ ମୋ ଗାଁ’ ଚଳଚ୍ଚିତ୍ରର ପ୍ରଥମ ସ୍କ୍ରିନିଂ
ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣରେ ସେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବୋଉ ମଣିଷ ହୋଇ ରହିବେ ବୋଲି କହିଥିଲେ। ଏଥିସହିତ ଏହି ସମ୍ମାନ ତାଙ୍କୁ ଆଗକୁ ଆହୁରି କାର୍ଯ୍ୟ କରିବାକୁ ପ୍ରେରଣା ଦେବ। ଯେଉଁମାନେ ମାତା ପିତାଙ୍କ ସ୍ନେହରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଏହି ସମ୍ମାନ ଉତ୍ସର୍ଗ କରିବେ ବୋଲି କହିଥିଲେ। ଶ୍ରୀ ନନ୍ଦ ନିଜ ଅଭିଭାଷଣରେ ବୋଉ ଶବ୍ଦ ଓଡ଼ିଆ ଅସ୍ମିତାର ପରିବାହକ ବୋଲି କହିଥିଲେ। ସମ୍ମାନିତ ଅତିଥି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ବୋଉ କେବେ କିଛି ପାଇବା ଆଶାରେ ସ୍ନେହ କରେନି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଦାଶ ବେନହୁର ‘ବୋଉ’ଙ୍କ ଉପରେ ସ୍ୱଲିଖିତ କବିତା ପାଠ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ବାବୁ ସିଂହ, ବରିଷ୍ଠ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ, ବରିଷ୍ଠ ସାମ୍ୱାଦିକ ପ୍ରଦ୍ୟୁମ୍ନ ଶତପଥୀ, ଅତିଥି ତଥା ବୋଉ ଫାଉଣ୍ଡେସନ୍ର ପ୍ରେରଣା ଡାକ୍ତର ସେବା ମହାପାତ୍ର ପ୍ରମୁଖ ଯୋଗଦେଇ ବୋଉ ସମାଜର ଶ୍ରେଷ୍ଠ ମାର୍ଗଦର୍ଶକ, ସଭା, ସମିତି ଓ ସମ୍ୱର୍ଦ୍ଧନା ସବୁଥିରୁ ଊର୍ଦ୍ଧ୍ୱରେ ବୋଉ ବୋଲି କହିଥିଲେ। ଏହି ଅବସରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଭାଷ ସାହୁଙ୍କୁ ଅତିଥିମାନେ ସମ୍ୱର୍ଦ୍ଧିତ କରିଥିଲେ। ଏଥିସହିତ ଏକ ଶହରୁ ଊର୍ଦ୍ଧ୍ୱ ବୋଉ କବିତାର ସଙ୍କଳନ ‘ମନେ ପଡ଼େ ବୋଉ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଶେଷରେ ଶ୍ରୀ ସାହୁଙ୍କ ନିର୍ଦ୍ଦେଶିତ ଓ ପ୍ରଯୋଜିତ ଚଳଚ୍ଚିତ୍ର ‘ମୋ ବୋଉ ମୋ ଗାଁ’ର ପ୍ରଥମ ସ୍କ୍ରିନିଂ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମକୁ ବିଶିଷ୍ଟ ବ୍ୟଙ୍ଗକବି ଜ୍ଞାନ ହୋତା ଓ ଅତୀଶ ମହାନ୍ତି ପରିଚାଳନା କରିଥିଲେ।