ଶ୍ରୀମନ୍ଦିର ଦ୍ବାରରେ ରୁପା ଚାଦର ଲାଗିବା କାମ ଆରମ୍ଭ, ମନ୍ଦିରକୁ ଗଲା ରୁପା ଚାଦର ସହ ଷ୍ଟିଲ୍‌ ଫ୍ରେମ୍‌ ଓ ନୂଆ କବାଟ

ପ୍ରାଥମିକ ପର୍ଯ୍ୟାୟରେ ବଦଳିଲା ବେହେରଣ ଦ୍ବାର

ପୁରୀ: ଶ୍ରୀମନ୍ଦିର ଦ୍ବାରରେ ରୁପା ଚାଦର ଲାଗିବା ପ୍ରକିୟା ଆରମ୍ଭ ହୋଇଛି। ଏଥିପାଇଁ ଆଜି ବର୍ମା ଟିକ୍‌ରେ ନିର୍ମିତ ଦ୍ବାର ସହ ମୁମ୍ବାଇରୁ ଆସିଥିବା ଷ୍ଟିଲ୍‌ ଫ୍ରେମ୍‌ ଶ୍ରୀମନ୍ଦିରକୁ ନିଆଯାଇଛି। ସେପଟେ ରୁପା ଚାଦରରେ ଆଚ୍ଛାଦିତ ହେବାକୁ ଥିବା ଦ୍ବାର ବି ଲଗାଇବା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ବେହରଣ ଦ୍ବାରକୁ ପରିବର୍ତ୍ତନ କରାଯାଇଛି। ପୁରୁଣା କବାଟକୁ ବଦଳାଯାଇ ପ୍ରଥମେ ଷ୍ଟିଲ୍‌ ଫ୍ରେମ୍‌ ଲାଗିବା ପରେ ଏଥିରେ ନବନିର୍ମିତ ଦ୍ବାର ସଂଯୋଗ ଆରମ୍ଭ ହୋଇଛି। ପରେ ଏହି ଦ୍ବାରରେ ରୁପା ଚାଦର ଲଗାଯିବ। ପର୍ଯ୍ୟାୟକ୍ରମେ ଅନ୍ୟ ଦ୍ବାରର କାମ ଆରମ୍ଭ ହେବ। ଏଥିପାଇଁ ଆଜି କ୍ରେନ୍‌ ଯୋଗେ ସମସ୍ତ ନବନିର୍ମିତ ଦ୍ବାର, ଷ୍ଟିଲ୍‌ ଫ୍ରେମ ଦକ୍ଷିଣଦ୍ବାର ଦେଇ ଶ୍ରୀମନ୍ଦିରକୁ ନିଆଯାଇଛି।

ଶ୍ରୀମନ୍ଦିରର ଜୟବିଜୟ ଦ୍ବାର, ବେହେରଣ ଦ୍ବାର, କଳାହାଟ ଦ୍ବାର, ଭୋଗମଣ୍ଡପ ପଶ୍ଚିମ ପାର୍ଶ୍ବ ଦ୍ବାର, ସାତପାହାଚ ଦ୍ବାର, ଆଦି ନୃସିଂହ ମନ୍ଦିର ଦ୍ବାର, ମା’ ବିମଳା ମନ୍ଦିର ଦ୍ବାର ଓ ମହାଲକ୍ଷ୍ମୀ ମନ୍ଦିର ଦ୍ବାର ପରିବର୍ତ୍ତନ କରାଯାଇ ନୂଆ ଦ୍ବାର ଲାଗିବ। ଦୀର୍ଘସ୍ଥାୟୀ ପାଇଁ ସ୍ବତନ୍ତ୍ର ବର୍ମା ଟିକ୍‌ରେ ସବୁ ଦ୍ବାର ନିର୍ମାଣ ହଉଛି। ଏହି ନୂଆ ଦ୍ବାର ଉପରେ ରୁପା ଚାଦର ଲଗାଯିବ। ମୁମ୍ବାଇର ଜଣେ ଦାତା ଏ ସମସ୍ତ କାଠ, ରୁପା, ଷ୍ଟିଲ୍‌ ଫ୍ରେମ ଯୋଗାଇ ଦେଇଛନ୍ତି। ୮ ଦ୍ବାର ପାଇଁ ପ୍ରାୟ ୨୩୫୦ କେଜି ରୁପା ଆବଶ୍ୟକ ପଡ଼ୁଥିବାବେଳେ ୪ଟି ଦ୍ବାର ପାଇଁ ଆବଶ୍ୟକ ପ୍ରାୟ ୧୩୪୫ କେଜି କାରୁକାର୍ଯ୍ୟପୂର୍ଣ୍ଣ ରୁପା ଚାଦର ମୁମ୍ବାଇରୁ ଆସି ପହଞ୍ଚି ସାରିଛି। ଦାତାଙ୍କ ସହଯୋଗରେ ମୁମ୍ବାଇରୁ ଆସିଥିବା କାଠ କାରିଗରମାନେ ଇତିମଧ୍ୟରେ ନିର୍ମାଣ କାର୍ଯ୍ୟ ବି ଆରମ୍ଭ କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିର ଚାରି ପ୍ରମୁଖ ଦ୍ବାର ଯଥା ଜୟବିଜୟ ଦ୍ବାର, ବେହେରଣ ଦ୍ବାର, କଳାହାଟ ଦ୍ବାର, ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର ପରିବର୍ତ୍ତନ କରାଯିବ। ବଡ଼ଦାଣ୍ଡ ସଂଲଗ୍ନ ନୀଳାଦ୍ରି ଭକ୍ତ ନିବାସରେ ଏହି ଚାରି ପ୍ରମୁଖ ଦ୍ବାର ନିର୍ମାଣ ପରେ ଆଜି ଏହାକୁ ଶ୍ରୀମନ୍ଦିରକୁ ନିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ଆବଶ୍ୟକ ଷ୍ଟିଲ୍‌ ଫ୍ରେମ ବି ଶ୍ରୀମନ୍ଦିରକୁ ନିଆଯାଇଥିଲା। ନୀଳାଦ୍ରି ବିଜେ ପୂର୍ବରୁ ଅର୍ଥାତ୍‌ ୨୩ ତାରିଖ ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର