ଓଡ଼ିଶା ବୁଣାକାରଙ୍କ କାରୁକାର୍ଯ୍ୟ ବିଶ୍ବବଜାରରେ ବିଦିତ

ରାଜ୍ୟସ୍ତରୀୟ ସମ୍ମିଳନୀରେ ଜିଏସ୍‌ଟି ପ୍ରତ୍ୟାହାର ଦାବି

ଭୁବନେଶ୍ବର : ଓଡ଼ିଶାର ବୁଣାକାରମାନଙ୍କ କାରୁକାର୍ଯ୍ୟ ବିଶ୍ବବଜାରରେ ବିଦିତ। କେବଳ ବସ୍ତ୍ର ତିଆରିରେ ନୁହେଁ, ଓଡ଼ିଶାର ଐତିହ୍ୟକୁ ବିଶ୍ବଦରବାରରେ ପ୍ରତିଷ୍ଠା କରାଇବାରେ ଓଡ଼ିଆ ବୁଣାକାରମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ସମ୍ପ୍ରତି ବୁଣାକାରମାନେ ବ୍ୟବହାର କରୁଥିବା ତନ୍ତୁଜାତୀୟ ସାମଗ୍ରୀ ଓ ବିଭିନ୍ନ ଉପକରଣ ଉପରେ ଜିଏସ୍‌ଟି ଲାଗୁ ହେବା ଦ୍ବାରା ସେମାନଙ୍କ ରୋଜଗାର ପ୍ରଭାବିତ ହେଉଛି। ତେଣୁ ବସ୍ତ୍ର ତିଆରିରେ ବୁଣାକାରମାନେ ବ୍ୟବହାର କରୁଥିବା ସାମଗ୍ରୀ ଓ ଉପକରଣ ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରାଯାଉ ବୋଲି ବୁଣାକାରମାନେ ଦାବି କରିଛନ୍ତି। ଆଜି ଓଡ଼ିଶା ବୁଣାକାର ମହାସଂଘ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିନିଧି ସମ୍ମିଳନୀ ଓ ବୁଣାକାର ସମ୍ମାନ ଉତ୍ସବ ଅବସରରେ ଏହି ଦାବି ଉଠିଛି।

ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀଧର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ ମହାସଂଘର ଦାବିକୁ ଯଥାର୍ଥ ବୋଲି କହିଥିଲେ। ଜିଏସ୍‌ଟି ବୁଣାକାରମାନଙ୍କ ଭାତ ହାଣ୍ଡିକୁ ପାହାର ସଦୃଶ। ତେଣୁ କେନ୍ଦ୍ର ସରକାର ଏଦିଗରେ ଚିନ୍ତା କରିବା ଉଚିତ୍‌। ତେବେ ବୁଣାକାରମାନଙ୍କ ପାଇଁ ରାଜ୍ୟ ସରକାର ସର୍ବଦା ସ୍ବତନ୍ତ୍ର ଯୋଜନା କରୁଛନ୍ତି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ତଥା କଟକ ମେୟର ସୁବାସ ସିଂ କହିଲେ ଯେ ବଜେଟ୍‌ ଅଧିବେଶନ ସମୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ ସମ୍ବଲପୁରୀ ଶାଢ଼ି ପିନ୍ଧନ୍ତି, ତାହା ଆମକୁ ଗର୍ବିତ କରାଏ। ତେଣୁ ବୁଣାକାରଙ୍କ ସାମଗ୍ରୀ ଉପରୁ ଜିଏସ୍‌ଟି ପ୍ରତ୍ୟାହାର ପାଇ ସାଂସଦମା‌ନେ ସଂସଦରେ ସ୍ବର ଉଠାନ୍ତୁ ବୋଲି ସେ କହିଥିଲେ। ସେହିପରି ଓଡ଼ିଶାରେ ଟେକ୍ସଟାଇଲ୍‌ ଡିପ୍ଲୋମା କଲେଜ ଥିବା ବେଳେ ଏକ ଡିଗ୍ରି କଲେଜ ପ୍ରତିଷ୍ଠା ପାଇଁ ଉଦ୍ୟମ ହେବା ଉଚିତ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ବରଗଡ଼ ସମ୍ବଲପୁରୀ ବସ୍ତ୍ରାଳୟ ସମିତିର ସଭାପତି ସମ୍ବିତ ଆଚାର୍ଯ୍ୟ ଓ ମହାସଂଘର ଉପଦେଷ୍ଟା ପ୍ରଭାକର ମହାରଣା ପ୍ରମୁଖ ବୁଣାକାରମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ଓ ସେସବୁର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ।

ଏହି ଅବସରରେ ଜଗନ୍ନାଥଙ୍କ ଅଙ୍ଗଲାଗି ବସ୍ତ୍ର ତିଆରି କରୁଥିବା ୯୭ ବର୍ଷୀୟା ବୃଦ୍ଧା ଆସେଲି ଦାସ ଓ ସମ୍ବିତ ଆଚାର୍ଯ୍ୟଙ୍କ ସମେତ ୧୨ଜଣ ବୁଣାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସଭାପତି ଶ୍ରୀକାନ୍ତ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଜମ୍ବେଶ୍ବର ବେହେରା ଧନ୍ୟବାଦ ଦେଇଥିଲେ। ସଂଗଠନ ସଂପାଦକ ବିଜୟ କୁଣ୍ଡୁ, ସଂପାଦକ ବିଶ୍ବନାଥ ଦାସ, ଅଶୋକ କୁମାର ଗୁଇଁ, ମକରଧ୍ବଜ ଗୁଇଁ, ଗୋବିନ୍ଦ ଚନ୍ଦ୍ର ଦାସ, ଦୁଃଖିଶ୍ୟାମ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର