ବେତନଟୀ/ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ସନ୍ତରା ପଞ୍ଚୟତ ତିଳପଦା ଗ୍ରାମର ଜଣେ ଯୁବକ ଦଲାଲର ପ୍ରରୋଚନାରେ ପଡ଼ି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ବେଳେ ୯ ମାସ ହେଲା ତାଙ୍କ ପତ୍ତା ମିଳୁନି। ଦଲାଲକୁ ସ୍ବାମୀଙ୍କ ବାବଦରୁ ପଚାରିଲେ ମିଳୁଛି ଧମକଚମକ। ତିନି ସନ୍ତାନଙ୍କୁ ନେଇ ଦୟନୀୟ ଅବସ୍ଥାରେ ରହୁଥିବା ମହିଳା ଜଣକ ନିଜ ସ୍ବାମୀଙ୍କୁ ଫେରାଇ ଅଣିବାକୁ ଗଣମାଧ୍ୟମ ଜରିଆରେ ଆକୁଳ ନିବେଦନ କରିଛନ୍ତି।
ସୂଚନା ମୁତାବକ, ତିଳପଦା ଗ୍ରାମର ଧୁମ ସିଂଙ୍କ ପୁଅ ରବି (୩୪) ଦିନମଜୁରିଆ ଭାବେ କାମ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ତେବେ ଅଧିକ ରୋଜଗାରର ଲୋଭ ଦେଖାଇ ଗତ ବର୍ଷ ଡିସେମ୍ବର ମାସରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର ଜଣେ ବ୍ୟକ୍ତି ତିଳପଦା ଗ୍ରାମର ଅନ୍ୟ କିଛି ଲୋକଙ୍କ ସହିତ ରବିଙ୍କୁ ଛତିଶଗଡ଼ ନେଇ ଯାଇଥିଲେ। ସେଠାରେ ଏକ ପ୍ଲାଏବୋର୍ଡ କମ୍ପାନିରେ କାମ ଦେବେ ବୋଲି କହିଥିଲେ। ତେବେ କାମ ଆରମ୍ଭର ଦିନକ ପରେ ରବି ହଠାତ୍ ନିଖୋଜ ହୋଇ ଯାଇଥିଲେ। ସ୍ବାମୀଙ୍କ ସହିତ ଯୋଗାଯୋଗ ହୋଇ ନ ପାରିବାରୁ ସ୍ତ୍ରୀ ଗେହ୍ଲି ଉକ୍ତ ଦଲାଲଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ସେ ସାହାଯ୍ୟ କରିବେ କଣ ଓଲଟା ଧମକ ଦେଇଥିଲେ। ଥାନାକୁ ଗଲେ ମୁଁ ଟଙ୍କା ଦେଇ ମାମଲା ରଫାଦଫା କରିଦେବି ବୋଲି କହିଥିଲେ।
ଏପଟେ ନିଜ ସମ୍ପର୍କୀୟଙ୍କ ସହାୟତାରେ ସ୍ୱାମୀଙ୍କ ଖୋଜାଖୋଜିରେ ଯାହା କିଛି ସଞ୍ଚୟ ଥିଲା ସବୁ ସାରିଦେଲେଣି ଗେହ୍ଲି। ତଥାପି କିଛି ସନ୍ଧାନ ମିଳୁନି। ମୁଣ୍ଡ ଉପରେ ଦୁଇ ଝିଅ ଓ ଗୋଟିଏ ପୁଅର ବୋଝ। କେମିତି ପିଲାମାନଙ୍କ ପେଟକୁ ଦାନା ଦେବେ ଆଉ ସ୍ବାମୀଙ୍କୁ ଖୋଜିବେ କିଛି ବୁଦ୍ଧିବାଟ ପାଉନାହାନ୍ତି। ତାଙ୍କର ଏହି ଦୁଃଖ କାହାଣୀ ଜାଣିବା ପରେ ବୈଶିଙ୍ଗା ପ୍ରେସ୍ କ୍ଲବ୍ର ବରିଷ୍ଠ ସଦସ୍ୟ ଶାନ୍ତନୁ ପଣ୍ଡା ଗତକାଲି ତାଙ୍କୁ ନେଇ ଶ୍ରମ ନିୟୋଜନ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ସେମାନେ କିଛି ସାହାଯ୍ୟ କରିପାରିବେ ନାହିଁ ବୋଲି କହି ନିଜର ଅସହାୟତା ପ୍ରକାଶ କରିଥିଲେ। ସେଠାରୁ ନିରାଶ ହେବା ପରେ ଏବେ ପୁଲିସ ଓ ପ୍ରଶାସନ ଉପରେ ଭରସା କରିଛନ୍ତି ଗେହ୍ଲି। ତାଙ୍କ ସ୍ବାମୀଙ୍କୁ ଖୋଜି ଆଣିବାକୁ ସେ ଆକୁଳ ନିବେଦନ କରିଛନ୍ତି।