ରାଜଗାଙ୍ଗପୁର: ରାଜ୍ୟରେ ବିଜେଡିର ପରାଜୟ ପାଇଁ ଭି କେ ପାଣ୍ଡିଆନଙ୍କୁ ସିଧାସଳଖ ଦାୟୀ କରିଛନ୍ତି ଦଳର ବରିଷ୍ଠନେତା ମଙ୍ଗଳା କିସାନ। ପାଣ୍ଡିଆନଙ୍କ ମନମୁଖି କାରବାର ଓ ଦଳରେ ଏକଛତ୍ରବାଦ ପାଇଁ ଦଳ ହାରିଲା ବୋଲି ଜାମପାଲିରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ବର୍ଷୀୟାନ ନେତା କହିଛନ୍ତି। ରାଜଗାଙ୍ଗପୁର ବିଧାନସଭା ଆସନରେ କ୍ରମାଗତ ଭାବେ ବିଜେଡି ହାରିବା ନେଇ ଏକ ସମୀକ୍ଷା ବୈଠକ ଜାମପାଲିରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳ କାହିଁକି ପରାଜିତ ହେଲା ଆଲୋଚନା କରାଯାଇଥିଲା। ବୈଠକରେ ବରିଷ୍ଠନେତା ମଙ୍ଗଳା ଏଥିପାଇଁ ଭି କେ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ। ଶ୍ରୀ ପାଣ୍ଡିଆନ ବିଜେଡି ନେତାଙ୍କୁ ରାଜ୍ୟସଭା ନ ପଠାଇ ବିଜେପିନେତା ଅଶ୍ବିନୀ ବୈଷ୍ଣବଙ୍କୁ ପଠାଇଲେ। ପାଣ୍ଡିଆନ ନିଜ କ୍ଷମତାର ଅପବ୍ୟବହାର କରିବା ସହିତ ଓଡ଼ିଶାରେ ଏକଛତ୍ରବାଦ ଶାସନ କରିବା ଓ ସମସ୍ତଙ୍କୁ ନିଜ ଅଧୀନରେ ରଖିବାର ଇଚ୍ଛା ପାଇଁ କର୍ମୀ ଓ ଭୋଟରମାନେ ନିଜର ବିରକ୍ତି ଭାବ ଦେଖାଇ ବିଜେଡିକୁ ଭୋଟ୍‌ ଦେଇନଥିଲେ। ଯାହ‌ାଫଳରେ ରାଜ୍ୟରେ ଦଳ ଶୋଚନୀୟ ଭାବେ ହାରିଲା ବୋଲି ସେ କହିଥିଲେ।

Advertisment

ବୈଠକ ପରିଚାଳନା କରୁଥିବା ଅମରେଶ ପଣ୍ଡା କର୍ମୀମାନେ ଠିକ୍‌ ଭାବେ କାମ କଲେନାହିଁ ବୋଲି କହିଥିଲେ। ଦଳ ପକ୍ଷରୁ କର୍ମୀଙ୍କୁ ସମସ୍ତ ସୁବିଧା ଯୋଗାଇବାଦେବା ସହିତ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଯେଉଁ ଚେଷ୍ଟା କରିବା କଥା ଅଧିକାଂଶ ଆଗଧାଡ଼ିର ନେତା ତାହା କଲେନାହିଁ ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଥିଲେ। ଗତ ପୌରପାଳିକା ନିର୍ବାଚନରେ ବିଜେଡି ବେଶ୍‌ ଭଲ ପ୍ରର୍ଦଶନ କରିଥିବାବେଳେ ବିଧାନସଭା ଓ ଲୋକସଭା ନିର୍ବାଚନରେ ଗୋଟିଏ ଗୋଷ୍ଠୀର ଭୋଟର ବିଜେଡି ସପକ୍ଷରେ ନଥିଲେ। ପୌରପାଳିକାରେ ବିଜେଡିର ୨୦ରୁ ୧୨ କାଉନ୍‌ସିଲର ଅଛନ୍ତି। ପୌରାଧ୍ୟକ୍ଷା ବି ବିଜେଡିର। ମାତ୍ର ସେମାନେ ୨ ବର୍ଷ ମଧ୍ୟରେ ଭୋଟରଙ୍କୁ ନିଜ ସପକ୍ଷରେ ରଖିପାରିଲେ ନାହିଁ। ସେହିପରି ଜଳ, ଜଙ୍ଗଲ ଓ ଜମିର ନାରା ଦେଇଥିବା ଭୋଟରଙ୍କୁ ଦଳ ନିଜଆଡ଼କୁ ଆଣିପାରିଲା ନାହିଁ। ରାଜଗାଙ୍ଗପୁର ଓ କୁତ୍ରାର ୮ଟି ପଞ୍ଚାୟତର ଶତକଡ଼ା ୮୦ ଭାଗ ଭୋଟ୍‌ କଂଗ୍ରେସକୁ ଯାଇଥିଲା। ରାଜଗାଙ୍ଗପୁର, କୁତ୍ରା, ଲାଠିକଟା ଓ ପୌରପାଳିକାରେ ସବୁଥିରେ ବିଜେଡି ପଛରେ ରହିଥିଲା ବୋଲି ଅଭିଯୋଗ ଉଠିଥିଲା। ବିଜେଡି ଗୋଟିଏ ବି ବ୍ଲକ୍‌ରେ ନିଜର ଶକ୍ତି ଦେଖାଇବାରେ ବିଫଳ ହୋଇଥିଲା। ଅନ୍ୟତମ ବରିଷ୍ଠନେତା ଉପେନ୍ଦ୍ର ପ୍ରଧାନ ଅଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ପୌରାଧ୍ୟକ୍ଷା ମାଧୁରୀ ଲୁଗୁନ, ରାଜଗାଙ୍ଗପୁର ଓ କୁତ୍ରା ବ୍ଲକ୍‌ ଅଧ୍ୟକ୍ଷା, ଉପନଗରପାଳ ମହମ୍ମଦ ଇରଫାନ, ବସନ୍ତ ଟପ୍ଟୋ, ରାମଚନ୍ଦ୍ର କୁଜୁର,‌ ସୁନୀଲ ଅଗ୍ରୱାଲ, ଟାଉନ ସଭାପତି ରାଜେନ୍ଦ୍ର କୁମାର ଲେଙ୍କା, ବିଜେଡିର ସମସ୍ତ କାଉନ୍‌ସିଲର ପ୍ରମୁଖ ଉପସ୍ଥିତ ଥିଲେ।