ପାତ୍ରପୁର,  (ନୀଳାଞ୍ଚଳ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବମକୋଇ ଗ୍ରାମର ହାତବୁଣା ପାଟ କେବଳ ଭାରତ ନୁହେଁ, ବିଦେଶରେ ବି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛି ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି। କିନ୍ତୁ ଦୁଃଖର କଥା ହେଉଛି, ସରକାରୀ ପ୍ରୋତ୍ସାହନର ଅଭାବ ‌ଯୋଗୁଁ ବମକୋଇ ପାଟ ଧୀରେ ଧୀରେ ନିଜର ସତ୍ତା ହରାଇବାକୁ ବସିଛି। ପାଟରା ବୁଣାକାରମାନଙ୍କ ସ୍ଥିତି ଦୟନୀୟ ପାଲଟିଛି। ସେମାନେ ଦୁର୍ଦ୍ଦିନ ଅବସ୍ଥାରେ ଜୀବନ କାଟୁଛନ୍ତି। ଗ୍ରାମର ମୋଟ ୬୦ ବୁଣାକାର ପରିବାର ଭିତରୁ ୫୬ ପରିବାର ଏହି କୌଳିକ ବୃତ୍ତିକୁ ଛାଡ଼ିସାରିଥିବା ବେଳେ ମାତ୍ର ୪ଟି ପରିବାର କଷ୍ଟେମଷ୍ଟେ ଏହାକୁ ପ୍ରତିପୋଷଣର ମାଧ୍ୟମ କରିଛନ୍ତି। ଆଗକୁ ସରକାର ଏଦିଗରେ ଦୃଷ୍ଟି ନଦେଲେ, ବମକୋଇ ପାଟ ଇତିହାସ ପାଲଟିଯିବ ବୋଲି ମତପ୍ରକାଶ ପାଇଛି।

Advertisment

କେବଳ ଗଞ୍ଜାମ ନୁହେଁ, ସମଗ୍ର ଓଡ଼ିଶାରେ ବିବାହ ବ୍ରତଠୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣି ଏବଂ ମାଙ୍ଗଳିକ କାର୍ଯ୍ୟକ୍ରମରେ ବମକୋଇ ପାଟର ଖୋଜା ପଡ଼ିଥାଏ। ପୂର୍ବରୁ ବମକୋଇ ଗ୍ରାମର ନାମ ପାଟରା ବମକୋଇ ରହିଥିଲା। ୫୦ ବର୍ଷ ତଳେ ଏହି ଗ୍ରାମରେ ୬୦ରୁ ଅଧିକ ପାଟରା ପରିବାର ରହୁଥିଲେ। କିନ୍ତୁ ବିଭିନ୍ନ କାରଣରୁ ଏବଂ ଦୁର୍ଘଟଣା ଯୋଗୁଁ ସେମାନେ ଗାଁ ଛାଡ଼ି ପଳାଇଛନ୍ତି। ଆଜିର ଦିନରେ ବର୍ତ୍ତମାନ ମାତ୍ର ୨୫ଟି ପରିବାର ରହୁଛନ୍ତି। ଆଉ ସେମାନଙ୍କ ମଧ୍ୟରୁ କେଶବ ନାୟକ, ସୀମାଞ୍ଚଳ ନାୟକ, ସୁଶାନ୍ତ ନାୟକ ଓ କାହ୍ନୁ ନାୟକ ପ୍ରମୁଖ କୌଳିକ ବୃତ୍ତିକୁ କଷ୍ଟେମଷ୍ଟେ ଚଳାଇଛନ୍ତି।

ପୂର୍ବରୁ ଗ୍ରାମରେ ବୁଣାକାରଙ୍କ ପାଇଁ ଏକ ସୋସାଇଟି ଥିଲା। କିନ୍ତୁ ସୋସାଇଟିରୁ ଚୋରି ହେବା ପରେ ଏହା ବନ୍ଦ ହୋଇଯାଇଛି। ଏହାସହ ଗ୍ରାମରେ ୧୫ ବର୍ଷ ତଳେ ନିଆଁ ଲାଗିବା କାରଣରୁ ବହୁ ପରିବାର ଗ୍ରାମ ଛାଡ଼ି ପଳାଇବାକୁ ବାଧ୍ୟ ହୋଇଛନ୍ତି। ଯେଉଁ ୪ ବୁଣାକାର ପରିବାର ରହୁଛନ୍ତି, ସେମାନେ ଏହି ମହରଗ ଯୁଗରେ କଷ୍ଟେମଷ୍ଟେ ଜୀବିକା ନିର୍ବାହ କରୁଛନ୍ତି। କାରଣ ଗୋଟିଏ ପାଟ ତଥା ଲୁଗା ବୁଣିବା ପାଇଁ ୧୫ରୁ ୨୦ ଦିନ ପାଇଁ ସମୟ ଲାଗିଯାଇଥାଏ। କିନ୍ତୁ ସେହି ଅନୁସାରେ ପ୍ରାପ୍ୟ ମିଳୁ ନଥିବାରୁ ବୁଣାକାରମାନେ ଜୀବିକା ପ୍ରତି ମୁହଁ ଫେରାଇନେଉଛନ୍ତି।

ବୁଣାକାର କେଶବ ନାୟକ କହିଛନ୍ତି, ସରକାରୀ ସହାୟତା ଓ ପ୍ରାପ୍ୟ ନମିଳିବା ଆମ ପାଇଁ ଚିନ୍ତାର କାରଣ ପାଲଟିଛି। ‌ତେବେ ଏଭଳି ପରିସ୍ଥିତିରେ ରାଜ୍ୟର କିଛି ବେପାରୀ ବମକୋଇ ପାଟ କିଣି ନେଇ ଏହାର ଅବିକଳ ନକଲି ପାଟ ତିଆରି କରୁଛନ୍ତି। ଆଉ ବମକୋଇ ପାଟ ନାମରେ ପୁରସ୍କାର ହାତଉଛନ୍ତି। ପ୍ରକୃତ ବୁଣାକାର ଏଥିରୁ ବଞ୍ଚିତ ହୋଇଛନ୍ତି।

କାରଣ ବମକୋଇ ଗ୍ରାମର ବୁଣାକାରମାନେ ଗ୍ରାହକଙ୍କ ଚାହିଦା ଏବଂ ସେମାନଙ୍କ ମନପସନ୍ଦର ଡିଜାଇନ୍ ଅନୁସାରେ ପାଟ ବୁଣିଥାନ୍ତି। କିନ୍ତୁ ଅନ୍ୟ ବୁଣାକାର ତାହା ବୁଣିପାରିବେ ନାହିଁ ବୋଲି କେଶବ ଦୃଢ଼ୋକ୍ତି କରିଛନ୍ତି।

ପୂର୍ବରୁ ଦିଲ୍ଲୀର ସୁରଜକୁଣ୍ଡ ମେଳା ଓ ହରିଆଣା ଭଳି ସ୍ଥାନରେ ବମକୋଇ ପାଟର ଚାହିଦା ରହିଥିଲା। ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ବମକୋଇ ବୁଣାକାରଙ୍କୁ ଯୋଗାଯୋଗ କରିବା ସହ ସେମାନଙ୍କ ଠାରୁ ବିଭିନ୍ନ ରକମର ପାଟ ଓ ଲୁଗା କିଣି ନେଇଥିଲେ। ଏଥିପାଇଁ ଗ୍ରାମର ସ୍ବର୍ଗତ ଚକ୍ରପାଣି ପାତ୍ର ରାଷ୍ଟ୍ରପତିଙ୍କଠୁ ପୁରସ୍କାର ପାଇଥିବା ବେଳେ ସ୍ବର୍ଗତ କବିରାଜ ନାୟକଙ୍କ ଭଳି ବିଶିଷ୍ଟ ବୁଣାକାର ଅନେକ ସଂଗଠନ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ସେହିପରି ସ୍ବର୍ଗତ ଚୈତନ୍ୟ ନାୟକଙ୍କ ତତ୍ତ୍ବାବଧାନରେ ଅନେକ ବୁଣାକାର ବି ତାଲିମ ଦେଉଥିଲେ। କିନ୍ତୁ ଆଜି ଏସବୁ ଇତିହାସ ପାଲଟିଯାଇଛି। ସୋସାଇଟି ବନ୍ଦ ହୋଇଯିବା ପରେ ସରକାରଙ୍କ ସହାୟତା ନମିଳିବାରୁ ବୁଣାକାରମାନଙ୍କ ଜୀବନ ଦୁର୍ବିଷହ ପାଲଟିଛି। ବହୁବର୍ଷ ବ୍ୟବଧାନ ପରେ ତଥା ତିନିବର୍ଷ ତଳେ ବୁଣାକାରଙ୍କ ପରିବାରକୁ ଋଣ ମିଳିଥିଲା। ଜୀବିକାକୁ ସ୍ବାଭାବିକ କରିବାକୁ ବୁଣାକାରମାନେ ଅଣ୍ଟା ଭିଡ଼ିଥିବା ବେଳେ ବୁଣିଥିବା ପାଟ ଆଉ ବିକ୍ରି ହୋଇପାରିଲା ନାହିଁ। ଫଳରେ ଶାଗମାଛ ଦରରେ ପାଟ ବିକ୍ରି କରି ପରିବାର ପ୍ରତିପୋଷଣ ସହ ଋଣ ପରିଶୋଧ କରିଥିଲେ। ଏବେବି କିଛି ବୁଣାକାର ଋଣଭାରରେ ଡୁବି ରହିଛନ୍ତି।