ବିଶ୍ବ ଦେଖିଲା ବିରଳ ଉଦାହରଣ, ଭକ୍ତଙ୍କୁ ଝୁରିଲା ବଡ଼ଦାଣ୍ଡ

ସେବାୟତ ଟାଣିଲେ ରଥ, କୋଳାହଳ ନ ଥିଲା କି ଘଣ୍ଟନାଦରେ କମ୍ପିଲାନି

ପୁରୀ: ଘଣ୍ଟ ବଜାଉଥିଲେ ଘଣ୍ଟୁଆ। କିନ୍ତୁ ସବୁବର୍ଷ ଭଳି ଆଜି ଗଗନ ପବନ ପ୍ରକମ୍ଫିତ ହେଉନଥିଲା। ମହାପ୍ରଭୁ ଆଜି ଯେତେବେଳେ ବାଇଶି ପାହାଚରୁ ଓହ୍ଲାଉଥିଲେ, ସେତେ‌ବେଳ ହାତ ଉପରକୁ ଉଠାଇ ସମର୍ପଣ ମୁଦ୍ରାରେ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଡାକି ବଡ଼ଦାଣ୍ଡ ଥରାଇ ଦେବାକୁ ଲକ୍ଷ ଲକ୍ଷ ଭକ୍ତ ନଥିଲେ। ଆଉ ଯେତେବେଳେ ମହାପ୍ରଭୁ ଶ୍ରୀମନ୍ଦିର ଗୁମୁଟ ଭିତରୁ ଟିକିଏ ଟେକି ହୋଇ ଚାହୁଁଥିଲେ, ସେତେବେଳେ ଭକ୍ତଙ୍କର ଯେଉଁ ଅଭୂତପୂର୍ବ ପ୍ରତିକ୍ରିୟା, ତାହା ଆଜି କେଉଁଠି ଦେଖିବାକୁ ମିଳିନଥିଲା। ମହାପ୍ରଭୁ ଅଝଟ କରି କେତେବେଳେ ଡାହାଣକୁ ଢଳିଯାଆନ୍ତି ତ ଆଉ କେତେବେଳେ ପୂରା ଭୂଇଁ ପାଖାପାଖି ଲୋଟିଯାନ୍ତି। ଠିକ୍ ସେତିକିବେଳେ ଭକ୍ତର ଛାତିରୁ ଅତଡ଼ାଖଣ୍ଡେ ଖସିପଡ଼ିବା ଭଳି ଲାଗେ। ତାହା ଆଜି ପୂରା ସ୍ବପ୍ନ ପାଲଟି ଯାଇଥିଲା।

ଯାହା ପାଇଁ ଠାକୁରେ ଏତେ ସବୁ ଲୀଳା ବଡ଼ଦାଣ୍ଡରେ ଦେଖାନ୍ତି, ଆଜି ଯେତେବେଳେ ସେମାନେ ନାହାନ୍ତି, ସେସବୁ କାହା ପାଇଁ କରିଥାନ୍ତେ?
ନରହନ୍ତା କରୋନା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଯେଉଁ କଟକଣାଯୁକ୍ତ ରଥଯାତ୍ରା ପାଇଁ ନିର୍ଦେଶ ଦେଇଥିଲେ, ତାହାକୁ ମାନି ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଆଜି ମହାପ୍ରଭୁଙ୍କ ରଥ ସିଧା ସିଧା ଗଡ଼ିଯାଇଥିଲା ଶରଧା ବାଲିଯାଏ। ଯେହେତୁ ରଥ ଦଉଡ଼ିଟିକିଏ ଛୁଇଁବା ପାଇଁ ପ୍ରତିଯୋଗିତା ଲାଗି ଆଜି ଭକ୍ତ ନଥିଲେ; ମାଳ ମାଳ ପୁଲିସ ଭିତରେ ଲକ୍ଷ ଲକ୍ଷ ଛତା ଜନତାଙ୍କୁ ଆଡେଇ ତାଳଧ୍ବଜ, ଦର୍ପଦଳନ, ନନ୍ଦିଘୋଷ ତିନିରଥ ବଡ଼ଦାଣ୍ଡରେ ଆଗକୁ ଆଗକୁ ଗଲାବେଳେ ବାମକୁ ଡା଼ହାଣକୁ ଟିକିଏ ମାଡ଼ିଯିବାର ସମ୍ଭାବନା ହିଁ ନଥିଲା। ଏଣୁ କେଉଁଠିକି ବି ଅଟକିବା ଲାଗି ଆଗ୍ରହ ଦେଖାଇନଥିଲେ ଠାକୁରେ। ଘୋ ଘୋ କମ୍ପୁଥିବା ବଡ଼ଦାଣ୍ଡ ଆଜି ଭକ୍ତଙ୍କୁ ଝୁରିଥିଲା। ବରଂ ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇ ସେବାୟତମାନେ ଯେତେବେଳେ ଖାଲିପାଦରେ ଅତ୍ୟନ୍ତ ଶୃଙ୍ଖଳାର ସହିତ ଶ୍ରୀବିଗ୍ରହମାନଙ୍କ ତିନି ରଥ ବଡ଼ଦାଣ୍ଡରେ ଟାଣି ନେଉଥିଲେ, ସେତେବେଳେ ଟିଭି ପରଦାରେ ଏସବୁ ଦୃଶ୍ୟ ଦେଖୁଥିବା ସାରା ବିଶ୍ବର କୋଣ ଅନୁକୋଣର ଶ୍ରୀଜଗନ୍ନାଥ ପ୍ରେମୀଙ୍କ ହୃଦୟ ବିଦାରି ହୋଇଯାଉଥିଲା। ଆଖି କୋଣରେ ଲୁହ ଜକାଇ ଆସୁଥିଲା। ଗତ ୩ଶହ ବର୍ଷ ଭିତରେ ଏମିତି ଭକ୍ତବିହୀନ ରଥଯାତ୍ରା କେବେ ବିଶ୍ବ ଦେଖିନଥିଲା। ଯେଉଁ ସେବାୟତମାନଙ୍କ ହାତରେ ପ୍ରତିଦିନ ମହାପ୍ରଭୁ ସେବା ପାଆନ୍ତି, ଆଜି ଏହି ସ୍ବତନ୍ତ୍ର ମହୋତ୍ସବରେ ସେହି ସେବାୟତଙ୍କ ହାତ ସ୍ପର୍ଶରେ ଯାଇଥିଲେ ଶରଧାବାଲି ପର୍ଯ୍ୟନ୍ତ।

ଏହା ସତ୍ତ୍ବେ ଆଜି ସଂଧ୍ୟା ପୂର୍ବରୁ ତିନି ରଥ ଶରଧାବାଲିରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ପ୍ରଶାସନର ନିର୍ଘଣ୍ଟ ନୀତି ପୂର୍ବରୁ ସମସ୍ତ ନୀତି ସଂପନ୍ନ ହୋଇଥିଲା। ଆଜି ରାତିରେ ରଥ ଉପରେ ଦୈନିକ ନୀତିକାନ୍ତି ପରେ ଆସନ୍ତାକାଲି ସକାଳୁ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିବେ। ଏଥିସହିତ ଶରଧାବାଲି ଓ ଜନ୍ମବେଦି ଚଳଚଞ୍ଚଳ ହୋଇଉଠିଛି। ସମସ୍ତଙ୍କ ମାନ ରଖିଥିବାରୁ ଦଇତାପତି, ସେବାୟତ ଓ ମୁଖ୍ୟ ପ୍ରଶାସକଙ୍କ ଠାରୁ ଆରମ୍ଭକରି ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଗୀତଗୋବିନ୍ଦ ଗାଇ ମହାପ୍ରଭୁଙ୍କର ଜୟ ଜୟ କାର କରିଛନ୍ତି। ରଥଯାତ୍ରା ପୂର୍ବରୁ ଆଜି ସକାଳୁ ପୁଲିସ ବଡ଼ଦାଣ୍ଡରେ ଫ୍ଲାଗମାର୍ଚ କରି ସାମାନ୍ୟ ଭିଡ଼ ହଟାଇଥିଲା। ଓଏସ୍‌ଏଏଫ ଯବାନମାନଙ୍କୁ ଲଗାଇ ବଡ଼ଦାଣ୍ଡ ସହ ସାହି ଗଳିକନ୍ଦିର ଭିଡ଼ ହଟାଇବା ପରେ ରଥଟଣା ଆରମ୍ଭ ହୋଇଥିଲା। ଭୋର ୪ଟା ୨୫ରେ ମଙ୍ଗଳଆଳତି, ୪ଟା ୩୫ରେ ମଇଲମ, ୪ଟା ୪୦ରେ ତଡ଼ପଲାଗି, ୪ଟା ୪୦ରେ ରୋଷହୋମ, ୫ଟାରେ ଅବାକାଶ, ୫ଟା ୨୦ରେ ସୂର୍ଯ୍ୟପୂଜା, ୫ଟା ୩୫ରେ ଦ୍ବାରପାଳ ପୂଜା, ସାଢ଼େ ୫ଟାରେ ବେଶଶେଷ ହୋଇ ୬ଟା ୪୫ ସୁଦ୍ଧା ବଲ୍ଲଭ ଓ ସକାଳଧୂପ ଶେଷ ହୋଇଥିଲା।

ସକାଳ ୬ଟା ୩୫ରେ ରଥ ପ୍ରତିଷ୍ଠା ପରେ ୭ଟା ୧୫ରେ ମଙ୍ଗଳାର୍ପଣ କରାଯାଇଥିଲା। ସକାଳ ୭ଟା ୨୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ରଥକୁ ବିଜେ କରିଥିଲେ। ୯ଟା ୧୦ ସୁଦ୍ଧା ପହଣ୍ଡି ଶେଷ ପରେ ସାଢ଼େ ୯ଟାରେ ମଦନମୋହନ ରଥକୁ ବିଜେ କରିଥିଲେ। ପରେ ପ‌ରେ ଜଗଦଗୁରୁ ଶଙ୍କରଚାର୍ଯ୍ୟ ତିନି ରଥକୁ ବିଜେ କରି ମହାପ୍ରଭୁଙ୍କ ଶୁଭାଶୀର୍ବାଦ ନେଇଥିଲେ। ଏହାପରେ ପରେ ଛେରାପହଁରା ନୀତି ଆରମ୍ଭ ହୋଇଥିଲା। ରାଜନଅରରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ମେହେନାରେ ସିଂହଦ୍ବାରରେ ପହଞ୍ଚିବା ପରେ ସୁନାର ଝାଡ଼ୁରେ ତିନି ରଥରେ ଛେରା ପହଁରା ନୀତି ସଂପନ୍ନ କରିଥିଲେ। ପୂର୍ବାହ୍ଣ ୧୦ଟା ୩୫ରୁ ୧୧ଟା ୪୦ ଭିତରେ ଛେରା ପହଁରା ଶେଷ ପରେ ଚାରମାଳ ଫିଟାଇ ପୂର୍ବାହ୍ନ ୧୧ଟା ୫୫ରୁ ରଥଟଣା ଆରମ୍ଭ ହୋଇଥିଲା। ଆଗରେ ବଡ଼ଠାକୁର ବଳଭଦ୍ର ତାଳଧ୍ବଜ ରଥରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା କରିଥିଲେ। ୧୨ଟା ୫୫ରେ ମା’ ସୁଭଦ୍ରା ଦେବଦଳନ ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରିଥିଲେ। ଶେଷରେ ଅପରାହ୍ଣ ୧ଟା ୫୫ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରିଥିଲେ। ମହାପ୍ରଭୁ ବଡ଼ଦାଣ୍ଡକୁ ଆସିବା ପରେ ସେବାୟତଙ୍କ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଟାଣ ଖରାର କଷ୍ଟ ସତ୍ତ୍ବେ ସେବାୟତମାନେ ତିନି ରଥକୁ ସଂଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚାରେ ପହଞ୍ଚାଇଥିଲେ। ଅପରାହ୍ଣ ୩ ଟା ୫୨ରେ ତାଳଧ୍ବଜ, ଅପରାହ୍ଣ ୪ଟା ୧୧ରେ ଦେବଦଳନ ଓ ଅପରାହ୍ଣ ୫ଟା ୧୦ରେ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା। ଟାଣ ଖରାରୁ ରକ୍ଷା ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ପକ୍ଷରୁ ରଥଟଣାରେ ନିୟୋଜିତ ସେବାୟତଙ୍କ ଉପରେ ଥଣ୍ଡାପାଣି ସିଞ୍ଚନ କରାଯାଇଥିଲା। ପାଦକୁ ବି ଖରାରୁ ରକ୍ଷା ପାଇଁ ପୂରା ବଡ଼ଦାଣ୍ଡକୁ ‌ଓଦା କରାଯାଇଥିଲା।

ସମ୍ବନ୍ଧିତ ଖବର