ଜୟପୁର: ଥରେ ରାଜର୍ଷି ବିକ୍ରମଦେବ ବର୍ମାଙ୍କ ଦରବାରକୁ ସାହିତ୍ୟ ଚର୍ଚ୍ଚା କରିବାକୁ ଆସିଥିଲେ ସ୍ବର୍ଗତ ଗଙ୍ଗାଧର ନନ୍ଦ। ସେକ୍‌ସପିୟରଙ୍କ ହାମଲେଟ ନାଟକର ସଂଳାପ ‘ଟୁ ବି ଅର୍‌ ନଟ୍‌ ଟୁ ବି’ରୁ ସାତ ପ୍ରକାର ଅର୍ଥ ବାହାରୁଥିବା ସୂଚନା ଦେଇଥିଲେ। ଇଂରାଜୀ ସାହିତ୍ୟର ଏହି ଉତ୍କର୍ଷତା ଅନ୍ୟ କୌଣସି ସାହିତ୍ୟରେ ଦୁଷ୍ପ୍ରାପ୍ୟ ବୋଲି କହିବାକୁ ପଛାଇ ନଥିଲେ। କିନ୍ତୁ ଏହି ରାଜସଭାରେ ଉପସ୍ଥିତ ଅନ୍ୟ ଜଣେ ପଣ୍ଡିତ ଏହାକୁ ସ୍ବୀକାର କରିନଥିଲେ। ଆଦିଭାଷା ସଂସ୍କୃତ ସମସ୍ତ ଭାଷାର ଜନନୀ। ଯଦି ମା’ ଭଗବତୀଙ୍କ କୃପା ହୁଏ ଦ‌ିନେ ଏପରି ‌ଶ୍ଳୋକ ରଚନା କରିବି ଯାହାର ଏକଶତ ଅର୍ଥ ବାହାରିବ ବୋଲି ପ୍ରକାଶ କରିଥିଲେ। ସେହି ସଂକଳ୍ପ ଆଧାରରେ ରଚନା କଲେ ‘ଶତାର୍ଥ ପଦ୍ୟମ’: ‘ଅନନ୍ତ ଗୋଭୂତି ବିସାର କଳ୍ପିତ ପ୍ରଭୂତ ତେଜୋ ବଳ ବିକ୍ରମୋଦୟଃ, ଚିରଂ ବିଦଧ୍ୟାଦିହି ଲୋକପାଳକଃ ସ୍ଥିତିଂ ସବଂଶସ୍ଥ ସମୁଜ୍ଜ୍ବଳ ଶ୍ରିୟଃ’। ସଂସ୍କୃତିର ଏହି କିଛି ଶବ୍ଦର ସଂରଚନା ପରବର୍ତ୍ତୀ ସମୟରେ ୧୧୫ ପ୍ରକାର ଅର୍ଥ ପରିପ୍ରକାଶ କରିବା ସହ ବିଶ୍ବ ସାହିତ୍ୟର ଶ୍ରେଷ୍ଠ ସ୍ଥାନରେ ପହଞ୍ଚିଲା। ଏହି କାଳଜୟୀ ସୃଷ୍ଟିର ଜନକ ଥିଲେ ଯୋଗଜନ୍ମା ବାଗ୍ମୀ ମହାମହୋପାଧ୍ୟାୟ ବିଦ୍ୟାଭୂଷଣ ରାମନାଥ ନନ୍ଦ। ପରବର୍ତ୍ତୀ ସମୟରେ ଏହି ସାହିତ୍ୟ କୃତି ଅମୂଲ୍ୟ ସମ୍ପଦ ଭାବେ ମାଡ୍ରାସ ଲିଟରେରି ଆର୍‌କାଇଭରେ ସ୍ଥାନ ପାଇଛି।

Advertisment

ଜୟପୁର ସହରରେ ୧୮୭୯ ମସିହା ନଭେମ୍ବର ୨୮ତାରିଖରେ ଜନ୍ମଲାଭ କରିଥିଲେ ରାମନାଥ। ବାଲ୍ୟକାଳରେ ଛୋଟ ଛୋଟ ସଂସ୍କୃତ ଶ୍ଳୋକ ରଚନା କରି ପିତା ପ୍ରହରାଜ ମାଧବାନନ୍ଦଙ୍କ ସହ ରାଜ ଦରବାରରେ ପାଠ କରୁଥିଲେ। ଶୈଶବରେ କରିଣି ଗୁରୁ ଓ ପରେ ଶ୍ରୀକୃଷ୍ଣ ଦାସଙ୍କ ଠାରୁ ପ୍ରାଥମିକ ଶିକ୍ଷାଲାଭ କରନ୍ତି। ସେହି ସମୟରେ କୋରାପୁଟ ଜିଲ୍ଲାରେ କୌଣସି ଉଚ୍ଚବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ନଥିଲା। ତେଣୁ ପଦଯାତ୍ରା ସହ ଶଗଡ଼ଯାତ୍ରା କରି ସୁଦୂର ବିଜୟନଗରମ ଓ କାଶୀ ଯାଇ ସଂସ୍କୃତ ସାହିତ୍ୟ ବ୍ୟାକରଣ ପଢ଼ିଥିଲେ। ଜଣେ ଜ୍ୟୋତିଷଶାସ୍ତ୍ର ନିପୁଣ ପଣ୍ଡିତ ଭାବେ ତାଙ୍କର ପରିଚୟ ଥିଲା। ତନ୍ତ୍ର ସାଧନା ଥିଲା ତାଙ୍କ ବଂଶ ପରମ୍ପରାଗତ ଧର୍ମ। ରାଜାଙ୍କ ଇଷ୍ଟଦେବୀ ମା’ କନକଦୁର୍ଗା ଓ ମା’ ଭଗବତୀଙ୍କ ସେବାରେ ସମଗ୍ର ଜୀବନ ସମର୍ପଣ କରିଥିଲେ। ଏହାରି ମଧ୍ୟରେ ଜୟପୁର ରାଜବଂଶାବଳୀ, ତୀର୍ଥକାଷ୍ଟକମ, ବିକ୍ରମ ପଞ୍ଚଦଶୀ, ଦୁର୍ଗାନାରାୟଣ ସ୍ତବଃ, ଭାଗବତୀ ବର୍ଣ୍ଣବତୀ ବର୍ଣ୍ଣନମ, ଶିବସ୍ତବଃ, ଗୀତାସୀତା ବଲ୍ଲଭ ଟୀକା ଭଳି ଅମୂଲ୍ୟ ଗ୍ରନ୍ଥ ଭବିଷ୍ୟତ ପିଢ଼ି ପାଇଁ ଛାଡ଼ି ଯାଇଛନ୍ତି। ଶତାର୍ଥ ପଦ୍ୟମ୍‌ର ୧୧୫ ଅର୍ଥ ରହିଥିବା କାଶୀ ଓ ପୁରୀ ପଣ୍ଡିତ ସ୍ବୀକୃତି ପ୍ରଦାନ କରିଛନ୍ତି। ଜ୍ଞାନପୀଠ ବିଜେତା ଗୋପୀନାଥ ମହାନ୍ତିଙ୍କ ଭାଷାରେ ମହାମହୋପାଧ୍ୟାୟ ବିଦ୍ୟାଭୂଷଣ ପଣ୍ଡିତ ରାମନାଥ ନନ୍ଦ ଶର୍ମା ହେଉଛନ୍ତି ବିଶ୍ବର ସର୍ବଶ୍ରେଷ୍ଠ ସାହିତ୍ୟ ସାଧକ ଓ ତାଙ୍କ କୃତି ‘ଶତାର୍ଥ ପଦ୍ୟମ’ ବିଶ୍ବର ଶ୍ରେଷ୍ଠ ରଚନା।

ମା’ ସରସ୍ବତୀଙ୍କ କୃପା ନଥିଲେ ଏଭଳି କବିତ୍ବ ସମ୍ଭବ ନୁହେଁ ବୋଲି ଇଂ. ଦାଶରଥି ନନ୍ଦ ନିଜ ‘ଗଢ଼ିବାର ସ୍ବପ୍ନ’ ଉପନ୍ୟାସରେ ଉଲ୍ଲେଖ କରିଛନ୍ତି। ବିଶେଷ ଶିକ୍ଷାଗତ ଯୋଗ୍ୟତା ନଥାଇ ସୁଦ୍ଧା ତତ୍କାଳୀନ ଆନ୍ଧ୍ର ଭାରତୀ ତୀର୍ଥ ରିସର୍ଚ୍ଚ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଦ୍ବାରା ୧୯୩୩ ମସିହା ‌ମେ’ ୬ତାରିଖରେ ସମ୍ମାନ ସୂଚକ ମହାମହୋପାଧ୍ୟୟ ଉପାଧିରେ ଭୂଷିତ ହୋଇଥିଲେ। ସେହିପରି ‘ଅଲ ଇଜ୍‌ ନଟ୍‌ ଗୋଲ୍‌ଡ ଦ୍ୟାଟ୍‌ ଗ୍ଲିଟର୍ସ’ ଭଳି ଉଦ୍ଧୃତିର ୧୫ ପ୍ରକାର ଅର୍ଥର ପ୍ରତିଲିପି ପ୍ରେରଣ କରି ୧୯୬୨ ମସିହା ଜାନୁଆରି ୨୨ରେ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲେ। ସାହିତ୍ୟ ସମ୍ରାଟ ବିକ୍ରମଦେବ ବର୍ମାଙ୍କ ମତରେ ‘ରାମନାଥ ସମୋଧୀମାନ ନ ଭୂତେ ନା ଭବିଷ୍ୟତି’।

ଶତାର୍ଥ ପଦ୍ୟମ ଉପରେ ରାୟପୁର ବିଶ୍ବବିଦ୍ୟାଳୟର ପ୍ରଫେସର କୃଷ୍ଣଦେବ ସାରସ୍ବତ, ଦୀନବନ୍ଧୁ ଭଞ୍ଜ ଗବେଷଣା କରି ସମ୍ମାନସୂଚକ ଡକ୍ଟରେଟ୍‌ ପାଇଛନ୍ତି। ଏହିସହ ଜର୍ମାନୀ ଓ ଫ୍ରାନସ୍‌ ଗବେଷକ ମଧ୍ୟ ତାଙ୍କ ରଚନାକୁ ନେଇ ଗବେଷଣାରତ। ସ୍ରଷ୍ଟାଙ୍କ କାଳଜୟୀ ସୃଷ୍ଟି ଆନ୍ଧ୍ର, ମାଡ୍ରାସ, କାଶୀ ବିଶ୍ବବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ସ୍ଥାନ ପାଇଛି। ଅଥଚ ନିଜ ରାଜ୍ୟରେ ଏହି ବିଦ୍ବାନ ଯଥୋଚିତ ସମ୍ମାନର ଅଧିକାରୀ ହୋଇପାରିଲେ ନାହିଁ ବୋଲି ଗବେଷକ ଡ. ପ୍ରଦୀପ ମିଶ୍ର ପ୍ରକାଶ କରିଛନ୍ତି।