ନୟାଗଡ଼/କଣ୍ଟିଲେ/ଖଣ୍ଡପଡ଼ା/ ଭାପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ପୀଠରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଭାପୁର ବ୍ଲକ୍ କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ। ଆୟୋଜିତ ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ, ହଜାର ହଜାର ବର୍ଷ ତଳର ଶବର ପଲ୍ଲୀର ଅସ୍ତିତ୍ବ ଆଜି ବି ଉଜ୍ଜୀବିତ ରହିଛି। ଏଠାରେ ବିଶ୍ବାବସୁ ଜଗନ୍ନାଥଙ୍କୁ ନୀଳମାଧବ ରୂପେ ପୂଜା କରୁଥିଲେ। ମାତ୍ର ଏହି ସ୍ଥାନକୁ ଯେତିକି ଗୁରୁତ୍ବ ମିଳିବା କଥା, ତାହା ମିଳିନାହିଁ ବୋଲି ଅନୁଭବ ହେଉଛି। ନୀଳମାଧବ ମନ୍ଦିରକୁ ଦର୍ଶନ ପାଇଁ ଯିବାବେଳେ ଜଣେ ବି ବିଶ୍ବାବସୁ ସମ୍ପ୍ରଦାୟର ସେବକଙ୍କୁ ସେଠାରେ ଦେଖିବାକୁ ପାଇଲିନି ବୋଲି ରାଷ୍ଟ୍ରପତି କହିଥିଲେ। ନୀଳମାଧବ ପୀଠ ଓ କାଳିଆପଲ୍ଲୀର ଭିତ୍ତିଭୂମି ବିକାଶ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିବ। ପର୍ଯ୍ୟଟନର ବିକାଶ ହେଲେ ଏ ଅଞ୍ଚଳର ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ।
ନୀଳମାଧବଙ୍କ ଦର୍ଶନ କଲେ ମହାମହିମ
‘ଜଣେ ବି ବିଶ୍ବାବସୁ ସମ୍ପ୍ରଦାୟର ସେବକଙ୍କୁ ଦେଖିବାକୁ ପାଇଲିନି’
ମନ୍ଦିରର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଦିବାସୀ ସମ୍ପଦ୍ରାୟର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ ଯେ ଆଦିମ ଜନଜାତି ଶବର, ବନବାସୀ ସଂପ୍ରଦାୟ ଓଡ଼ିଶାର ପ୍ରାଚୀନ ଅଧିବାସୀ। ଜନଜାତି ସମ୍ପ୍ରଦାୟଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ଜୀବିକା ଓ ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ତାରତମ୍ୟକୁ ଦୂର କରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ୨୭ଟି ଜିଲ୍ଲାର ୭,୬୬୭ଟି ଗାଁକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଜଙ୍ଗଲ ଜମି ଅଧିକାର ଆଇନ୍ ବଳରେ ରାଜ୍ୟର ୮ଟି ବିଶେଷ ଅନୁନ୍ନତ ଜନଜାତି ବର୍ଗଙ୍କୁ ବସବାସର ଅଧିକାର ଦେଇ ଓଡ଼ିଶା ସର୍ବଭାରତୀୟ ସ୍ତରରେ ରେକର୍ଡ କରିଛି। ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା’ ପ୍ରଣୟନ କରିଛନ୍ତି। କଣ୍ଟିଲୋ ନୀଳମାଧବ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦାବିଗୁଡ଼ିକ ସଂକ୍ରାନ୍ତରେ ପଦକ୍ଷେପ ନିଆଯିବ। ପୂର୍ବ ସରକାର ୨୦୨୨ ମସିହାରେ ଯେଉଁ ୧୦୦ କୋଟି ଟଙ୍କା ପ୍ରଦାନ କରିଥିଲେ ସେ କାମ ଆଗେଇ ପାରିନାହିଁ। ମନ୍ଦିରର ଉନ୍ନତି, ସୌନ୍ଦର୍ଯ୍ୟୀକରଣ ଓ ପରିଚାଳନା ପାଇଁ ଟଙ୍କାର ଅଭାବ ରହିବ ନାହିଁ। ଏଥିପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୀଳମାଧବ କ୍ଷେତ୍ରକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ, ଆଧ୍ୟାତ୍ମିକ, ଧାର୍ମିକ ସ୍ଥଳ କରିବା ପାଇଁ ସରକାର ଆଗାମୀ ଦିନରେ ସମସ୍ତ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଭାରତୀୟ ବିଶ୍ୱାବସୁ ଶବର ସମାଜ ଫାଉଣ୍ଡେସନ୍ର ସଭାପତି ହୃଷୀକେଶ ଦେହୁରୀ, ସମ୍ପାଦକ ବୈଷ୍ଣବ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। ସୋମବାର ଅପରାହ୍ନ ୨ଟା ୨୫ ମିନିଟରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି କଣ୍ଟିଲୋ ପଲଟନ୍ ପଡ଼ିଆରେ ପହଞ୍ଚିବା ପରେ ପୂର୍ତ୍ତବିଭାଗ ଡାକ ବଙ୍ଗଳାକୁ ଯାଇ କିଛି ସମୟ ବିଶ୍ରାମ ନେଇଥିଲେ। ନୀଳମାଧବ ପୂଜକ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ସହିତ ମହାମହିମ୍ ମନ୍ଦିର ଭିତରକାଠ ନିକଟରେ ପ୍ରଭୁ ନୀଳମାଧବଙ୍କ ସ୍ୱତନ୍ତ୍ର ଚନ୍ଦନ ବେଶ ଦର୍ଶନ କରିଥିଲେ। ଏହା ପରେ ରାଷ୍ଟ୍ରପତି ସଡ଼କ ପଥ ଦେଇ ପ୍ରାୟ ୫ କିମି ଦୂରରେ ଥିବା ଶବର ରାଜା ବିଶ୍ୱାବସୁଙ୍କ ପୀଠ କାଳିଆପଲ୍ଲୀ ଅଭିମୁଖେ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/25/nW9E6sdeZsjURQN19b8N.jpg)