ଭୁବନେଶ୍ବର : ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ଦୁଇ ଦିନ ବାକି ରହିଲା। ହେଲେ ଅବକାରୀ ବିଭାଗର ଆସନ୍ତା ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି ପ୍ରକାଶ ପାଇଲାନି। ରାଜ୍ୟ ସରକାର ରାଜ୍ୟ ରାଜସ୍ବର ବଡ଼ ଭାଗ ଏଥିରୁ ପାଉଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଚଳିତବର୍ଷ ଏହା ଏପର୍ଯ୍ୟନ୍ତ ପ୍ରକାଶ ପାଇନି। ନିୟମ ଅନୁଯାୟୀ ଦେଖିଲେ, ଏପ୍ରିଲ ୧ରୁ ରାଜ୍ୟର ସମସ୍ତ ମଦ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ୍ ହୋଇଯିବ। ଅର୍ଥାତ୍ କୌଣସି ମଦ ଦୋକାନ, ହୋଟେଲ, ବାର୍, ରେସ୍ତୋରାଁ, ତାରକା ହୋଟେଲରେ ମଦ ବିକ୍ରି ହୋଇପାରିବନି।
ଅବକାରୀ ନୀତିରେ ମୁଖ୍ୟତଃ କିଏ ସର୍ବନିମ୍ନ କେତେ ମଦ ଉଠାଇବେ, ମଦ ଉତ୍ପାଦନକାରୀ, ବିକ୍ରେତାମାନଙ୍କୁ ଆବେଦନ ଫି’ ବାବଦକୁ କେତେ ଅର୍ଥ ଜମା କରିବାକୁ ହେବ, ଏଥର ମଦ ଦାମ୍ ବଢ଼ିବ ନା କମିବ, ଲାଇସେନ୍ସ ଫି’ ବାବଦକୁ କେତେ ଜମା କରିବାକୁ ପଡ଼ିବ, ଅବକାରୀ ଡ୍ୟୁଟି ବଢ଼ିବ ନା କମିବ ତାହା ମୁଖ୍ୟତଃ ଧାର୍ଯ୍ୟ ହୋଇଥାଏ। ଏପରିକି ବାର୍ ଓ ହୋଟେଲ ବ୍ୟବସାୟୀମାନଙ୍କୁ ମଦ ବିକ୍ରି ବାବଦକୁ ଲାଇସେନ୍ସ ଫି’ ନେଇ ଅତି କମ୍ରେ ପ୍ରାୟ ୪ରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିବାକୁ ପଡ଼ିଥାଏ। ହେଲେ ଆସନ୍ତାବର୍ଷ ପାଇଁ ଏପର୍ଯ୍ୟନ୍ତ ଅବକାରୀ ନୀତି ପ୍ରକାଶ ପାଇପାରିଲାନି।
ହୋଟେଲ୍ ଆଣ୍ଡ ବାର୍ ଆସୋସିଏସନ୍ର ଜଣେ କର୍ମକର୍ତ୍ତାଙ୍କ କହିବାନୁଯାୟୀ, ମାର୍ଚ୍ଚ ୩୧ ପୂର୍ବରୁ ରାଜ୍ୟ ସରକାର ଅବକାରୀ ନୀତି ପ୍ରକାଶ କରିବାର ନିୟମ ଅଛି। ହେଲେ ୩୦ତାରିଖ ଛୁଟି ପଡ଼ୁଥିବାବେଳେ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ରହିଛି। ଯଦି ରାଜ୍ୟ ସରକାର ତାଙ୍କ ଅପାରଗତା ଲୁଚାଇବାକୁ ମାର୍ଚ୍ଚ ୩୧ରେ ଅବକାରୀ ନୀତି ୨୦୨୩-୨୪ ପ୍ରକାଶ କରିବେ ତେବେ ବହୁ ବ୍ୟବସାୟୀ ହଇରାଣ ହେବେ। ଗୋଟିଏ ଦିନରେ ଆକାଉଣ୍ଟରେ ପ୍ରାୟ ୧୦ରୁ ୧୫ଲକ୍ଷ ଟଙ୍କା ଜମା କରିବା, ସମସ୍ତ ଡକୁମେଣ୍ଟ ପ୍ରସ୍ତୁତ କରିବା, ଲାଇସେନ୍ସ ବାହାର କରିବା କଷ୍ଟକର। ମାର୍ଚ୍ଚ ୩୧ରେ ବ୍ୟାଙ୍କଗୁଡ଼ିକର ଅଡିଟ୍ ପାଇଁ ଅଧିକାଂଶ ବ୍ୟାଙ୍କ ସର୍ବସାଧାରଣଙ୍କ ପାଇଁ ଖୋଲନ୍ତିନି। ଏଥିରେ କିପରି ଗୋଟିଏ ଦିନରେ ଟଙ୍କା ଜମା କରିବୁ, ଆବେଦନ ଫି ’ ଓ ଲାଇସେନ୍ସ ଫି’ ଦେବୁ। ଯଦି ବ୍ୟାଙ୍କର ଲିଙ୍କ୍ ଫେଲ୍ ହୋଇଗଲା କି କୌଣସି ବୈଷୟିକ ତ୍ରୁଟି ଦେଖାଦେଲା ତେବେ ଏପ୍ରିଲ ୧ରୁ ଦୋକାନ ଖୋଲି ହେବନି। ରାଜ୍ୟ ସରକାର ମଦ ଉଠାଇବାକୁ ଟାର୍ଗେଟ ଲଦି ଦେଉଛନ୍ତି ହେଲେ ବ୍ୟବସାୟୀ କିପରି ଅର୍ଥ ଯୋଗାଡ଼ କରିବେ ଏବଂ ଆବେଦନ କରିବେ ସେନେଇ ସମୟ ଦେଉନାହାନ୍ତି।
ପୂର୍ବରୁ ଫେବ୍ରୁଆରୀ ମାସରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି ପ୍ରକାଶ ପାଉଥିବାବେଳେ ଗତ ଦୁଇ ତିନି ବର୍ଷ ହେଲା ଏହାକୁ ମାର୍ଚ୍ଚ ମାସରେ ପ୍ରକାଶ କରାଯାଉଛି। ହେଲେ ଚଳିତବର୍ଷ ବର୍ଷର ଶେଷ ଦିନରେ କାହିଁକି ପ୍ରକାଶ କରାଯାଉଛି ତାହା ଜଣାପଡ଼ୁନି।
ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଅବକାରୀ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କର ହଠାତ୍ ବଦଳି ହୋଇଯିବାରୁ ବିଭିନ୍ନ ସମସ୍ୟା ଦେଖାଦେଇଛି। ନୂଆ ଅବକାରୀ ନୀତି ଅର୍ଥ ବିଭାଗକୁ ପଠାଯାଇଥିଲେ ହେଁ ଏହା ଏପର୍ଯ୍ୟନ୍ତ ଫେରିନି। ତେଣୁ ମାର୍ଚ୍ଚ ୩୧ରେ ନୂଆ ଅବକାରୀ ନୀତି ପ୍ରକାଶ କରିବାକୁ ଯୋଜନା ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/excise-ffff-bbb.jpg)