ଠେକୁଆ ଚାଷ କରି ଚର୍ଚ୍ଚାରେ ଯୁବଇଂଜିନିୟର

ଯାଜପୁରସଦର: କରୋନା ହଜାଇ ଦେଲା ଚାକିରି ନିଶା। ମହିଶୁରର ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ କାର୍ଯ୍ୟ କରୁଥିବା ଜଣେ ଯୁବ ଇଞ୍ଜିନିୟର ଏବେ ସଫଳ ଠେକୁଆ ଚାଷୀ। ଠେକୁଆ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି ସେ। ଚାକିରି ପ୍ରତି ଅଭିଳାଷ ନରଖି ଠେକୁଆ ଚାଷ କରି ଆଜି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ଯୁବକ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ଯୁବ ଇଞ୍ଜିନିୟର ଜଗନ୍ନାଥ ମହାରଣା। ମହିଶୁରର ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ଜଣେ ସଫଳ ଠେକୁଆ ଚାଷୀ। ଯାହା ଦ୍ୱାରା ସେ ନିଜେ ସ୍ୱାବଲମ୍ବୀ ହେବା ସହ ଏଥିରେ ନିୟୋଜିତ ଶ୍ରମଜୀବୀଙ୍କ ପରିବାର ପ୍ରତିପୋଷଣରେ ସହାୟକ ହୋଇପାରିଛନ୍ତି।

ପାଣିକୋଇଲି ଅଞ୍ଚଳର ଜଣେ ବିଟେକ୍ ଉତ୍ତୀର୍ଣ୍ଣ ଯୁବକ ଜଗନ୍ନାଥ ମହାରଣା ଏମିତି ଏକ ଚାଷ ପ୍ରଣାଳୀ ଆପଣାଇଛନ୍ତି, ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ। ଠେକୁଆ ଚାଷ କରି ବାର୍ଷିକ ୯ରୁ ୧୦ଲକ୍ଷ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ଭାବା ଅଟୋମିକ୍ ରିସର୍ଚ୍ଚ ସେଣ୍ଟରରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଜଗନ୍ନାଥ ଦୁଇବର୍ଷ ତଳେ କୋଭିଡ୍ ମହାମାରୀ ସମୟରେ ଘରକୁ ଫେରିଆସିବାକୁ ବାଧ୍ୟ ହେଲେ। ୟୁଟ୍ୟୁବ୍ ଦେଖି ଚାଷ କରିବାକୁ ମନସ୍ଥ କଲେ। ଯେଉଁଥିରୁ ସେ ଠେକୁଆ ଚାଷ ପ୍ରତି ଆକୃଷ୍ଟ ହୋଇଥିଲେ। ପରେ ଜଣେ ସମ୍ପର୍କୀୟଙ୍କ ସହଯୋଗରେ ଏସମ୍ପର୍କରେ ତାଲିମ ନେଇଥିଲେ। ଘରକୁ ଫେରିଆସି ଗାଁରେ ଥିବା ନିଜ ଜମିରେ ଏକ ଫାର୍ମ କରି ଠେକୁଆ ଚାଷ ଆରମ୍ଭ କଲେ। ଯେଉଁଥିରୁ ଆଜି ତାଙ୍କ ପାଇଁ ରୋଜଗାରର ବାଟ ଫିଟିଛି।

ଜଗନ୍ନାଥ ଗତ ଫେବ୍ରୁଆରି ମାସରେ ପ୍ରଥମେ ୭୦ଟି ମାଈ ଓ ୩୦ଟି ଅଣ୍ଡିରା ଠେକୁଆ ଆଣି ଫାର୍ମ ଆରମ୍ଭ କରିଥିଲେ। ଧୀରେଧୀରେ ଠେକୁଆଙ୍କ ସଂଖ୍ୟା ବଢ଼ିବା ସହ ରୋଜଗାରର ବାଟ ମଧ୍ୟ ଫିଟିଲା। ପ୍ରତି ଠେକୁଆ ଥରକେ ୫ଟି ଲେଖାଏଁ ଛୁଆ ଜନ୍ମ ଦେଇଥାନ୍ତି। ମାତ୍ର ୯୦ ଦିନ ମଧ୍ୟରେ ପ୍ରାୟ ୩୫୦ଟି ଛୁଆ ଉତ୍ପାଦନ ହୋଇସାରିଛନ୍ତି। ଏବେ ଅଧିକାଂଶ ବିକ୍ରି ହେବା ଯୋଗ୍ୟ ମଧ୍ୟ ହୋଇସାରିଛନ୍ତି। ଠେକୁଆ ଗୁଡ଼ିକୁ କିଏ ଘରେ ପାଳିବାକୁ କିଣି ନେଉଛନ୍ତି ତ ଆଉକିଏ ମାଂସ ଉତ୍ପାଦନ ପାଇଁ। କମ ଦାନା ଓ ଘାସ ଖାଇ ୩ ମାସ ମଧ୍ୟରେ ଗୋଟିଏ ଠେକୁଆ ୨କିଲୋରୁ ଅଢ଼େଇ କିଲୋ ପର୍ଯ୍ୟନ୍ତ ହୋଇଯାଉଛନ୍ତି। ବର୍ତ୍ତମାନ ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ଏଠାରୁ ଠେକୁଆ ଗୁଡ଼ିକ ବିକ୍ରି ପାଇଁ ପଠାଯାଉଛି। ଫଳରେ ଜଗନ୍ନାଥ ଏବେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତେବେ ଏହାଦ୍ୱାରା ଅନ୍ୟମାନେ ମଧ୍ୟ ପ୍ରଭାବିତ ହୋଇ ଠେକୁଆ ଚାଷ ପ୍ରତି ଆକୃଷ୍ଟ ହେଉଥିବା ଜଗନ୍ନାଥ କହନ୍ତି।

ସମ୍ବନ୍ଧିତ ଖବର