ପୁରୀ : ପେଣ୍ଠକଟା ସାମୁଦ୍ରିକ ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କୁ ସେହି ଗାଁର ଜଣେ ଯୁବକ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ପେଣ୍ଠକଟା ସାମୁଦ୍ରିକ ଥାନା ପୁଲିସ ୧୧୨/୨୨ ନମ୍ବରରେ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି। ତେବେ ଦିବ୍ୟାଙ୍ଗକୁ ମାଡ଼ ମରାଯାଉଥିବାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ପରେ ପୁଲିସ ତତ୍ପର ହୋଇ ଅଭିଯୁକ୍ତକୁ ଧରିବା ପାଇଁ ଚାରିଆଡ଼େ ଚଢ଼ଉ ଜାରି ରଖିଛି।

Advertisment

publive-image

ଏସ୍‌ସିଏସ୍‌ କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ବାଲିଗୁଆଳିର ସୁରେଶ ପ୍ରଧାନଙ୍କ ପୁଅ ସୌମ୍ୟରଞ୍ଜନ ପ୍ରଧାନ ଜଣେ ଦିବ୍ୟାଙ୍ଗ। ଗତକାଲି ସେ ଗାଁରୁ ସଉଦା କିଣିବାକୁ ସାଇକେଲରେ ଯାଉଥିବା ବେଳେ ସେହି ଗାଁର ବାଟୁଆ ପ୍ରଧାନ(୨୫) ତାଙ୍କୁ ବାଟରେ ଅଟକାଇ ନିସ୍ତୁକ ପିଟିଥିଲା। ଏପରିକି ଘଟଣାସ୍ଥଳରୁ ସୌମ୍ୟରଞ୍ଜନ ଖସିଯାଉଥିବା ବେଳେ ବାଟୁଆ ତାଙ୍କୁ ପଛପଟୁ ଇଟା ଫିଙ୍ଗି ପୁଣି ମାଡ଼ ମାରି ରକ୍ତାକ୍ତ କରିଦେଇଥିଲା। ଏପରିକି ସୌମ୍ୟରଞ୍ଜନଙ୍କ ସାଇକେଲକୁ ଟେକି ବାଟୁଆ କଚାଡ଼ି ଦେଇଥିଲା। ଏସେବୁ ଘଟଣା ସିସି କ୍ୟାମେରାରେ ରେକର୍ଡ ହୋଇଛି। ଏଥିରେ ସୌମ୍ୟରଞ୍ଜନ ଗୁରୁତର ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଏହି ଘଟଣାର ସିସି ଟିଭି ଫୁଟେଜ୍‌ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛି। ଏ ସମ୍ପର୍କରେ ସୌମ୍ୟରଞ୍ଜନଙ୍କ ମା’ ରିନା ପ୍ରଧାନ ପେଣ୍ଠକଟା ସାମୁଦ୍ରିକ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରିଛି। ତେବେ ଥାନାରେ ମାମଲା ହୋଇଥିବା ଜାଣିବା ପରେ ବାଟୁଆ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣା ଘଟିବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ବାଟୁଆକୁ ଧରିପାରିନାହିଁ।